କେନ୍ଦ୍ରାପଡ଼ାରେ ପ୍ରଶାସନର କରୋନା କସରତ୍‌, ଜନଗହଳି ସ୍ଥାନରେ ହେଲା କ୍ଲୋରିନ୍ ଓ ବ୍ଲିଚିଂ ସ୍ପ୍ରେ

କେନ୍ଦ୍ରାପଡ଼ା:କରୋନା ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏଥିପାଇଁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ମିଳିଛି । କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ ସହଯୋଗରେ ଡାକ୍ତରଖାନା ଛକ, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ସାଆନ୍ତସାହି , ତିନିମୁହାଣି ସମେତ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ କ୍ଲୋରିନ ଓ ବ୍ଲିଚିଂ ସ୍ପ୍ରେ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି କରୋନା ସଂକ୍ରମିତଙ୍କ ପାଇଁ ଜିଲ୍ଲାରେ ଅତିରିକ୍ତ ୯୫୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ଓ ଇଭିନିଂ କଲେଜରେ ୫୦୦ଟି ବେଡ୍ ପକାଯାଇଥିବା ବେଳେ  ଛତା ପଲିଟେକନିକ୍ କଲେଜରେ ୨୦୦, ତରାଣ୍ଡୋରେ ୧୦୦, ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ହଷ୍ଟେଲରେ ଦେଢ ଶହ ବେଡ ପ୍ରସ୍ତୁତ ରଖାଯାଇଥିବା ପ୍ରଶାସନ ଜଣାଇଛି । ଅନ୍ୟପଟେ ଭିଡ ଓ ଜନଗହଳି ଏଡାଇବା ପାଇଁ ଆସନ୍ତାକାଲିଠାରୁ ଇଚ୍ଛାପୁରକୁ ହାଟ ଉଠାଇ ନିଆଯାଇଛି ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରାଇବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି ।

ସରକାରୀ ସ୍କୁଲ , କଲ୍ୟାଣ ମଣ୍ଡପ ଅଥବା ବାତ୍ୟା ଆଶ୍ରୟସ୍ଥଳୀରେ କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ରମାନଙ୍କରେ ଶଯ୍ୟା ସମେତ ପଙ୍ଖା, ପାଣି, ନିରନ୍ତର ବିଜୁଳି ସେବା ସୁବିଧା ରଖିବାକୁ କୁହାଯାଇଛି । ସମସ୍ତ ହିତାଧିକାରୀଙ୍କ ଘରେ ଘରେ ଉଭୟ ଭତ୍ତା ଓ ରାସନ ସାମଗ୍ରୀ ପହଞ୍ଚା ଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର