କେନ୍ଦ୍ରାପଡ଼ା ତିନିମୁହାଣି ଗୁଳିକାଣ୍ଡ : ଗ୍ୟାଙ୍ଗଷ୍ଟର ଟିଟୋ ହାତ

୫ ଲକ୍ଷ ଟଙ୍କାରେ ଦିଆଯାଇଥିଲା ସୁପାରି

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସହର ତିନି ମୁହାଣି ନିକଟରେ ଧର୍ମରକ୍ଷା ସେନାର ଜିଲ୍ଲା ସଭାପତି ବିବେକାନନ୍ଦ ମହାରଣା(ବାବୁଲି)ଙ୍କୁ ଗୁଳିମାଡ଼ ଘଟଣାରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋର ସଂପୃକ୍ତି ରହିଛି। ଗତ ୧୩ ତାରିଖରେ ଘଟିଥିବା ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବା ପରେ ପୁଲିସ୍‌ ଏହି ସୂଚନା ଦେଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସେକ୍ ସାକିର(୨୮), ଆଲୋକ ମଲ୍ଲିକ(୨୨), ତ୍ରିଲୋଚନ ମଲ୍ଲିକ(୨୧) ଓ ଶଙ୍କର ସେଠୀ(୨୯)। ୪ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିବାବେଳେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି।

ଏସ୍‌ପି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ବାବୁଲିଙ୍କୁ ହତ୍ୟା କରିବାକୁ ୫ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା। ଦୁଇ ଜଣ ସାର୍ପସୁଟରଙ୍କୁ ଏଥିପାଇଁ ୧ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଥିଲା। ନିକଟରେ ଟିଟୋର ୨ ଭାଇ ଚିତ୍ତୋ ଓ ଜି. ବାବୁଙ୍କ ଗିରଫ ପରେ ବାବୁଲି ପୁଲିସ୍‌କୁ ସବୁ ସୂଚନା ଦେଉଥିବା ସନ୍ଦେହ କରି ଟିଟୋ ଗ୍ୟାଙ୍ଗ୍ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଟିଟୋ ଲିଙ୍କ୍‌ରେ ଥିବା ବଡ଼ହାଟ ଅଞ୍ଚଳର ସେକ୍ ସାକିର ଓ ସେକ୍ ସର୍ଫରାଜ୍(ଜାନ୍) ଗୁଳିକାଣ୍ଡ ପଛର ମୁଖ୍ୟ ନାୟକ ଥିଲେ। ସେମାନେ ଜଇପୁରା ଗାଁର ସେକ୍ ସାନି, ସେକ୍ କୁଦରତ୍, ସେକ୍ ମେହେତାବ(ତାଜା), ପଟ୍ଟାମୁଣ୍ତାଇ ଜରିଆ ଗାଁର ମିର୍ଜା ଗାଲିବ(ଟୁକୁନା), ଯାଜପୁର ଜିଲ୍ଲା ବରି ଥାନା ଶେରପୁର ଗାଁର ରାଜା ମଲ୍ଲିକ, ବଡ଼ହାଟର ସେକ୍ ସୁଲତାନ୍(ଗୋରା), ଚାରିଗାଁର ତ୍ରିଲୋଚନ ମଲ୍ଲିକ(କାଳିଆ), ନେମ୍ବରାର ଶଙ୍କର ସେଠୀ ଓ ଇନ୍ଦୁପୁରର ଆଲୋକ ମଲ୍ଲିକ ପ୍ରମୁଖଙ୍କୁ ମାସକ ତଳେ ଭାସ୍କର ଟକିଜ୍ ନିକଟକୁ ଡକାଇ ହତ୍ୟା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିପାଇଁ ୫ ଲକ୍ଷ ଟଙ୍କା ଦେବାକୁ କଥା ଛିଣ୍ତିଥିଲା। ସୁପାରି କିଲର୍‌ ମେହେତାବଙ୍କୁ ପ୍ରଥମ ଦଫାରେ ୧ ଲକ୍ଷ ଟଙ୍କା ଓ ୩ଟି ପିସ୍ତଲ ଦିଆଯାଇଥିଲା । କାମ ଶେଷ ହୋଇଥିଲେ ଆଉ ୪ ଲକ୍ଷ ଟଙ୍କା ଦେବାକୁ ସର୍ଫରାଜ୍ କହିଥିଲା।

ଘଟଣାଦିନ, ବାବୁଲି ନିଜ ଟ୍ରାକ୍ଟର ସୋ’ରୁମ୍‌ରୁ ରାତି ପ୍ରାୟ ୮ଟା ୪୦ରେ ବାହାରିଥିଲେ। ସେ ସୋ’ରୁମ୍‌ରୁ ବାହାରିବା ମାତ୍ରେ ସାକିର ଓ ରାଜା ମୋବାଇଲ୍‌ରେ ଖବର ଦେଇଥିଲେ। ଖବରପାଇ ମେହେତାବ୍ ଓ କୁଦରତ୍ ପିଛା କରି ଗୁଲନଗର ଛକଠାକୁ କିଛି ଦୂର ହାଇସ୍କୁଲ ସାମ୍ନାରେ ବାବୁଲିଙ୍କ ଉପରକୁ ଗୁଳି କରିଥିଲେ। ପ୍ରଥମ ଗୁଳିଟି ବେକାର ଯାଇଥିଲା । ବାବୁଲି ସେଥିରେ ଖୁବ୍ ଜୋରରେ ପାଟି କରି ବାଇକ୍ ଷ୍ଟାଣ୍ତ ମାରିବା ଭିତରେ ମେହେତାବ୍ ଛାତିକୁ ଲକ୍ଷ୍ୟ କରି ଦ୍ବିତୀୟ ରାଉଣ୍ତ ଗୁଳି କରିଥିଲା। ତାହା ବାବୁଲିଙ୍କ ତଳି ପେଟରେ ବାଜି ବାହାରି ଯାଇଥିଲା। ଏତିକି ବେଳେ ଜଣେ ଦୋକାନୀ ସେଠାରେ ପହଞ୍ଚି ଆକ୍ରମଣକାରୀଙ୍କୁ ମୁକାବିଲା କରିବା ଚେଷ୍ଟା କରିବାରୁ ସେମାନେ ତିନିମୁହାଣି ଆଡ଼କୁ ଫେରାର ହୋଇଯାଇଥିଲେ ବୋଲି ଏସ୍‌ପି କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର