କେନ୍ଦୁଝର ମହାରାଜଙ୍କ ପରଲୋକ, ରାଜା ହେଲେ ଧନଞ୍ଜୟ ନାରାୟଣ

କେନ୍ଦୁଝର : କେନ୍ଦୁଝର ରାଜା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କ ଆଜି ସକାଳେ ପରଲୋକ ହୋଇଛି। ସେ କେନ୍ଦୁଝର ଗଡ଼ଜାତ ରାଜ୍ୟର ୪୦ତମ ରାଜା ଥିଲେ। କଟକ ସିଡିଏସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀରକୁ କେନ୍ଦୁଝର ଅଣାଯାଇଥିଲା। କେନ୍ଦୁଝର ପୁରୁଣା ସହରସ୍ଥିତ ରାଜବାଟୀକୁ ଆସି ରାଜ ପରିବାରର ବିଭିନ୍ନ ସଦସ୍ୟ, ବନ୍ଧୁ, ଆତ୍ମୀୟସ୍ୱଜନ ଓ ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କ ଶେଷଦର୍ଶନ କରିଥିଲେ। କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବ ଜିଉଙ୍କ ମନ୍ଦିର ପକ୍ଷରୁ ରାଜାଙ୍କ ଶେଷକୃତ୍ୟ ପାଇଁ ପଲଙ୍କ, ଛତ୍ର, ତରାସ, ପାଟବସ୍ତ୍ର, ଚନ୍ଦନ, ଚନ୍ଦନ ମାଳ ଓ ରଥକାଠ ପୁରୁଣା ରାଜବାଟୀକୁ ପଠାଯାଇଥିଲା। ପାରମ୍ପରିକ ରୀତିନୀତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବିଭିନ୍ନ ପିଢ଼ର ଭୂୟାଁ ସର୍ଦ୍ଦାରମାନେ ଏଥିରେ ସାମିଲ ହୋଇଥିଲେ।

ରାଜାରାଜୁଡ଼ା ଶାସନ ନଥିଲେ ମଧ୍ୟ ବିଭିନ୍ନ ପର୍ବପର୍ବାଣୀରେ ତାଙ୍କର ସ୍ୱତନ୍ତ୍ର କର୍ତ୍ତବ୍ୟ ରହିଥିବାରୁ ପାରମ୍ପରିକ ଭାବେ ରାଜାଙ୍କୁ ମାନ୍ୟତା ପ୍ରଦାନ କରାଯାଉଛି। ୧୯୮୬ ମସିହାରେ ନିଜର ବଡ଼ବାପା ପୁଅ ନୃସିଂହ ନାରାୟଣ ଭଞ୍ଜଦେଓଙ୍କ ଦେହାନ୍ତ ପରେ ଅନନ୍ତ ନାରାୟଣ ଭଞ୍ଜଦେଓ ୪୦ତମ ରାଜାଭାବେ ସିଂହାସନ ଆରୋହଣ କରିଥିଲେ। ଆଜି ତାଙ୍କର ମୃତ୍ୟୁପରେ ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କୁ ରାଜ୍ୟାଭିଷେକ କରାଯାଇଥିଲା। ତାଙ୍କ ନିର୍ଦେଶକ୍ରମେ ସ୍ୱର୍ଗତ ଅନନ୍ତ ନାରାୟଣ ଭଞ୍ଜଦେଓଙ୍କ ଅନ୍ତିମସଂସ୍କାର କରାଯାଇଥିଲା।

ଦୀର୍ଘଦିନ ଧରି ଅନନ୍ତ ନାରାୟଣ କଟକରେ ରହୁଥିଲେ। ତାଙ୍କ ଅନୁପସ୍ଥିତିରେ ଦୁଇପୁଅ ଧନଞ୍ଜୟ ଓ ଜନ୍ମେଜୟ ବିଭିନ୍ନ କାର୍ଯ୍ୟ ତୁଲାଇ ଆସୁଥିଲେ। ଅନନ୍ତଙ୍କ ଦ୍ୱିତୀୟ ପତ୍ନୀ ମାଳବିକା ଝାଡ଼ଖଣ୍ଡ ରାଞ୍ଚିର ନାଗବଂଶୀୟ କନ୍ୟା ଅଟନ୍ତି। ଯୁବରାଜ ଭାବେ ଧନଞ୍ଜୟ କେନ୍ଦୁଝର ରଥଯାତ୍ରା ସମୟରେ ଛେରାପହଁରା କରି ଆସୁଥିଲେ। ଆଜି ବିଧିବଦ୍ଧ ଭାବେ ସେ କେନ୍ଦୁଝରର ୪୧ତମ ରାଜା ଭାବେ ଅଭିଷେକ ହୋଇଛନ୍ତି। ଅଭିଷେକ ସମୟରେ ରାଜ ପୁରୋହିତ ପ୍ରସନ୍ନ କୁମାର ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ର, ବଡ଼ପଣ୍ଡା ରାଜକିଶୋର ପଣ୍ଡା, ପୂର୍ବତନ ରାଜ ପୁରୋହିତ ହରିହର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପଣ୍ଡିତ ଓ ରାଜ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର