ଓଡ଼ିଶା ଓ ଗଞ୍ଜାମ ରାଜନୀତିରେ ବ୍ୟତିକ୍ରମ : ରେକର୍ଡରୁ ବଞ୍ଚିତ ହେଲେ ସୁଜ୍ଞାନ

୧୯୭୪ରୁ ପ୍ରତିଦ୍ବନ୍ଦ୍ବିତା କରି ଆସୁଥିଲେ, ୯ ଥର ବିଧାୟିକା,ହବିବୁଲ୍ଲାଙ୍କ ସମକକ୍ଷ

ବ୍ରହ୍ମପୁର : କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଜଣେ ଅନନ୍ୟ ବ୍ୟକ୍ତିତ୍ବ। ୧୯୭୪ ମସିହାରୁ ପ୍ରତି ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ଆସିଥିବା ସୁଜ୍ଞାନଙ୍କୁ ଏଥର ନିର୍ବାଚନ ରଣଭୂମିରେ ଦେଖିବାକୁ ମିଳିବ ନାହିଁ। ଏଥର ସେ ନିର୍ବାଚନ ଲଢୁନାହାନ୍ତି। ବୟସାଧିକ, ସ୍ବାସ୍ଥ୍ୟଗତ କାରଣରୁ ହେଉ ବିଜେଡିରୁ ତାଙ୍କୁ ଟିକେଟ ନ ମଳିବା ପଛରେ ପ୍ରକୃତ କାରଣ ଅଦ୍ୟାବଧି ସ୍ପଷ୍ଟ କରାଯାଇନି। ଏଥର ତାଙ୍କ ସ୍ଥାନରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ ଅଧ୍ୟକ୍ଷାା ତଥା ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ କନ୍ୟା ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।

୨୦୧୪ ନିର୍ବାଚନରେ ପ୍ରଥମେ ସୁଜ୍ଞାନଙ୍କୁ ବି ବିଜେଡି ଟିକେଟ ଦେଇନଥିଲା। ତାଙ୍କ ବଦଳରେ ଲତିକାଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ମାତ୍ର, ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରୁ ଦଳୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି‌େର ପରିବର୍ତ୍ତନ କରିଥିଲେ। ଏବଂ ଲତିକାଙ୍କ ବଦଳରେ ପୁନର୍ବାର ସୁଜ୍ଞାନଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲେ। ଏବଂ, ସୁଜ୍ଞାନ ମଧ୍ୟ ନିର୍ବାଚନରେ ବିଜୟ ହାସଲ କରିଥିଲେ।

ମାତ୍ର, ଏଥର ସେଭଳି ସ୍ଥିତି ବି ନାହିଁ। ସୁଜ୍ଞାନ ଏବ˚ ତାଙ୍କ ସମର୍ଥକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା କି ପ୍ରତିବାଦ ଦେଖିବାକୁ ମିଳିନାହିଁ। ଯାହାକି, ରାଜନୈତିକ ଦୃଶ୍ୟପଟ୍ଟରୁ ସୁଜ୍ଞାନଙ୍କ ବିରତି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଅପରପ‌େକ୍ଷ, ସୁଜ୍ଞାନ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି ସିନା, ସେ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି। ଗତ ୨୦୧୪ ମସିହାରେ ସେ ୯ ଥର ବିଧାୟିକା ଭାବେ ନିର୍ବାଚିତ ହେବାର ‌ଗୌରବ ହାସଲ କରିଥିଲେ। ନବରଙ୍ଗପୁରରୁ ୯ ଥର ନିର୍ବାଚିତ ହୋଇଥିବା ହବିବୁଲ୍ଲା ଖାଁଙ୍କ ରେକର୍ଡର ସମକକ୍ଷ ହୋଇପାରିଥିଲେ। ଏଥରକ ସେ ପ୍ରତିଦ୍ବନ୍ଦ୍ବିତା କରି ବିଜୟ ହାସଲ କରିଥିଲେ ୧୦ ଥର ନିର୍ବାଚିତ ହେବାର ଗୌରବ ହାସଲ କରିଥା’ନ୍ତେ! ଓଡ଼ିଶା ରାଜନୀତିରେ ଏହା ଏକ ରେକର୍ଡ ଭାବେ ଅନ୍ତର୍ଭୁକ୍ତ ହୋଇଥା’ନ୍ତା। ମାତ୍ର, ସୁଜ୍ଞାନ ସିନା ପ୍ରତିଦ୍ବନ୍ଦ୍ବିତା କଲେ ନାହିଁ, ଏହିଭଳି ଏକ ରେକର୍ଡରୁ ବଞ୍ଚିତ ହେଲେ ବୋଲି ବହୁ ରାଜନୈତିକ ସମୀକ୍ଷକ ମତ ଦିଅନ୍ତି।

ତଥ୍ୟ ଅନୁଯାୟୀ, ୧୯୫୧ରେ ଗଠିତ ହୋଇଥିଲା ଖଲ୍ଲିକୋଟ ନିର୍ବାଚନମଣ୍ତଳୀ। ଖଲ୍ଲିକୋଟର ରାଜା ଥିଲେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ। ୧୯୫୧-୫୨ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ। ଏହାପରେ ୧୯୬୧ରେ ଏହି ନିର୍ବାଚନମଣ୍ତଳୀରୁ କ˚ଗ୍ରେସ ଟିକେଟରୁ ଲଢି ବିଜୟୀ ହୋଇଥିଲେ। ତାଙ୍କ ପରେ ତାଙ୍କ ପୂତ୍ରବଧୂ ତଥା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ରାଜନୀତିରେ ପାଦ ଥାପିଥିଲେ। ୧୯୭୪ ମସିହାରେ ଉତ୍କଳ କ˚ଗ୍ରେସରୁ ଲଢି ସେ ବିଧାନସଭା ଯାଇଥିଲେ। ଏହାପରେ ପରଠାରୁ ଖଲ୍ଲିକୋଟ ନିର୍ବାଚନ ମଣ୍ତଳୀରୁ କ୍ରମାଗତ ଭାବେ ଲଢି ଆସୁଥିଲେ। ୧୯୭୭ରେ ଜନତା ପାର୍ଟି ଏବ˚ ୧୯୮୫, ୧୯୯୦ ଓ ୧୯୯୫ରେ ଜନତା ଦଳରୁ ବିଜୟୀ ହୋଇଥିଲେ। ୨୦୦୦ ଏବ˚ ୨୦୦୪ ମସିହାରେ ବିଜେଡିରୁ ଲଢି ବିଧାନସଭାକୁ ଯାଇଥିଲେ। ୨୦୦୯ରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ବେଳେ ଖଲ୍ଲିକୋଟ ବିଧାନସଭା ଆସନ ଏସ୍‌ସି ବର୍ଗଙ୍କ ପାଇଁ ସ˚ରକ୍ଷିତ ହୋଇଥିଲା। ଏହାପରେ ସେ ନିଜ ନିର୍ବାଚନ କ୍ଷେତ୍ର ପରିବର୍ତ୍ତନ କରି କବିସୂର୍ଯ୍ୟନଗର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଏହାପୂର୍ବରୁ ୧୯୯୬ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସି˚ହ ରାଓଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ।

୯ ଥର ବିଧାୟିକା ହୋଇଥିବା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ ଦେଓ ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। ଏଥର ସେ ଏବ˚ ତାଙ୍କ ସମର୍ଥକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବାରୁ ସେ ନିଜ ଇଚ୍ଛା ମୁତାବକ ପ୍ରାର୍ଥୀ ହୋଇ ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏଥର ସୁଜ୍ଞାନ ପରାମର୍ଶରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ଚୟନ ହୋଇଥିବା ମଧ୍ୟ ଚର୍ଚ୍ଚା ଧରିଛି। ହେଲେ ୯ଥର ବିଧାୟିକା ହୋଇଥିବା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ ଦେଓ କେବେ ବି କୌଣସି ମନ୍ତ୍ରୀପଦ ଗ୍ରହଣ କରିନାହାନ୍ତି। ସେ କେବଳ ଗୋଟିଏ ଥର ପ୍ରୋଟେମ୍‌ ସ୍ପିକର ହୋଇଥିଲେ।

ସମ୍ବନ୍ଧିତ ଖବର