ବିଜେପିରେ ମିଶ୍ରଣ ପର୍ବ : ଖାରବେଳଙ୍କ ଘର ବାହୁଡ଼ା

ଖାରବେଳ ରାଜନୀତିରେ ଅମୂଲ୍ୟ ରତ୍ନ: ଧର୍ମେନ୍ଦ୍ର

ଭୁବ‌େନଶ୍ବର : ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ପୁଣି ବିଜେପିକୁ ଫେରିଛନ୍ତି। ପୂର୍ବରୁ ଦୁଇ ଥର ବିଜେପି ଟିକେଟ୍‌ରେ ବାଲେଶ୍ବର ଲୋକସଭା ଆସନରୁ ସାଂସଦ ହୋଇଥିବା ଖାରବେଳଙ୍କର ଏହା ଘର ବାହୁଡ଼ା ବୋଲି କୁହାଯାଉଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆ‌ୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିଜେପି ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।

ଖାରବେଳଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ରାଜନୀତିର ଅମୂଲ୍ୟ ରତ୍ନ ସହ ତୁଳନା କରି ତାଙ୍କ ବ୍ୟକ୍ତିତ୍ବକୁ ବେଶ୍ ପ୍ରଶଂସା କରିଥିଲେ। ସେ କହିଥିଲେ, ବିଜେପିର କ‌ାର୍ଯ୍ୟକର୍ତ୍ତାମାନେ ଶ୍ରୀ ସ୍ବାଇଁଙ୍କୁ କେବେ ବି କୌଣସି ରାଜନୈତିକ ଦଳର ନେତା କି କାର୍ଯ୍ୟକର୍ତ୍ତା ଭାବେ ଗଣନ୍ତି ନାହିଁ। ବିଚାର ଦୃଷ୍ଟିରୁ ରାଷ୍ଟ୍ରବାଦୀ ଆନ୍ଦୋଳନରେ ଥିବା ଶ୍ରୀ ସ୍ବାଇଁ ବିଗତ ୫ ବର୍ଷ‌େର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ପାଇଁ ଭାରତ ଆଜି ସାରା ବିଶ୍ବରେ ଏକ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ବୋଲି ଓଡ଼ିଶାବାସୀଙ୍କ ଆଗରେ କହି ଆସୁଥିଲେ। ରାଜ୍ୟବାସୀ ଚାହୁଁଥିଲେ ସେ ବିଜେପିରେ ସାମିଲ ହୁଅନ୍ତୁ। ଶ୍ରୀ ସ୍ବାଇଁ ଆଜି ସାମିଲ ହେବା ପରେ ଓଡ଼ିଶାରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନର ପ୍ରତିଧ୍ବନିକୁ ସ୍ପଷ୍ଟ କରୁଛି।

ଏହି ଅବସରରେ ଖା‌ରବେଳ କହିଥିଲେ, ଗତ ୧୦ ବର୍ଷ ହେବ ଉତ୍କଳ ଭାରତ ଦଳକୁ ଚଳାଉଛୁ। ବିଜେଡି ସରକାରରେ ଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆନ୍ଦୋଳନ କରିବା ସହ ରାଜ୍ୟ ସରକାରଙ୍କ ପତନ ପାଇଁ ଆପ୍ରାଣ ଉଦ୍ୟମ କରିଆସିଛୁ। କିନ୍ତୁ ଉତ୍କଳ ଭାରତ ଏକ ଛୋଟ ଦଳ ହୋଇଥିବାରୁ ବିଜେଡିକୁ ପରାଜିତ କରିବା ଆମ ପକ୍ଷେ ସମ୍ଭବ ନ ଥିଲା। ବିଜେପି ପରି ଏକ ରାଷ୍ଟ୍ରୀୟ ଦଳ ବିଜେଡି ସରକାରକୁ ହଟାଇବା ପାଇଁ ନେତୃତ୍ବ ନେଇଥିବାରୁ ମୁଁ ନିଜ ତରଫରୁ ବିଜେପିରେ ମିଶିବାର ଆଗ୍ରହ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ‌େଦଶର ଶୀର୍ଷ ସ୍ତରରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲୋପ କରିଛନ୍ତି। ଏହି ୫ ବର୍ଷରେ ମୋଦୀ ସରକାର ଭାରତକୁ ବିଶ୍ବଶକ୍ତିରେ ପରିଣତ କରିଛନ୍ତି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ନିରଙ୍କୁଶ କ୍ଷମତାରେ ଥାଇ ବି ଓଡ଼ିଶାକୁ ସମୃଦ୍ଧ କରିପାରି ନାହାନ୍ତି କି ରାଜ୍ୟର ଗରିବ ଲୋକଙ୍କ ଦୁଃଖ ଦୂର କରିପାରି ନାହାନ୍ତି।

ଏହି ମିଶ୍ରଣ ପର୍ବରେ ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ କୁଳମଣି ପରିଡ଼ା, ଉତ୍କଳ ଭାରତର ରାଜ୍ୟ ସମ୍ପାଦକ ହର୍ଷ ସ୍ବାଇଁ, ମିଡିଆ ପ୍ରମୁଖ ସୁରେଶ କୁମାର ସାହୁ, ଯୁବ ସଭାପତି ଜଗଦୀଶ ପ୍ରଧାନ, ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ଉତ୍କଳ ଭାରତ ବିଦ୍ୟାର୍ଥୀ ସଭାପତି ପ୍ରତ୍ୟୁଷ ନାୟକ, ଭୁବନେଶ୍ବର ସଭାପତି ନବକିଶୋର ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ। ମିଶ୍ରଣ ପର୍ବରେ ବିଜେପି ଉପସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର ଓ ଭଦ୍ରକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର