ତିନି ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ସବୁ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ମାମଲା

କଟକ : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ସଂପର୍କିତ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ୩ ସପ୍ତାହ ଭିତରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଖାଉଟିଙ୍କ ଅଧିକାର ସୁରକ୍ଷା ତଥା ହିତ ପାଇଁ ଆଇନ ଅନୁସାରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଖାଉଟି ସୁରକ୍ଷା ପରିଷଦ ଗଠନ ପାଇଁ ସଂଘ ପକ୍ଷରୁ ୨୦୦୮ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏଥି ସହିତ ପରିଷଦ ଗଠନ ପରେ ଏଥିରେ ସଦସ୍ୟ ନିଯୁକ୍ତି ପାଇଁ ମଧ୍ୟ ଆବେଦନରେ ପ୍ରାର୍ଥନା କରାଯାଇଥିଲା। ୨୦୦୮, ଅକ୍ଟୋବର ୨୭ରେ ମାମଲାର ଶୁଣାଣି କରି ହାଇକୋର୍ଟ ସମସ୍ତ ଜିଲ୍ଲାରେ ୬ମାସ ମଧ୍ୟରେ ଖାଉଟି ସୁରକ୍ଷା ପରିଷଦ ଗଠନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ଏଥି ସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପ୍ରତି ମାସରେ ଉପଭୋକ୍ତାଙ୍କ ବୈଠକ ଆୟୋଜନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ସରକାର ପାଳନ କରି ନଥିଲେ। ଏ ନେଇ ସଂଘ ପକ୍ଷରୁ ଅଦାଲତ ଅବମାନନା ମାମଲା ୨୦୦୯ ମସିହାରେ ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ୨୦୦୮, ଅକ୍ଟୋବର ୨୭ର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ବୋଲି ଆବେଦନକାରୀଙ୍କ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର