ବୌଦ୍ଧ : ଚଳିତ ରେଳ ବଜେଟରେ ଓଡ଼ିଶା ପାଇଁ ୫୯୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ବ୍ରଡଗେଜ ରେଳପଥ ପ୍ରକଳ୍ପ ପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। ୨୦୨୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ରେଳପଥ ନିର୍ମାଣ ସାରିବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ପଟୁ ନୟାଗଡ଼ ପର୍ଯ୍ୟନ୍ତ ଏବଂ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ବୌଦ୍ଧରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଅଟକି ରହିଛି।
ମୋଟ ୩୦୧ କିମି ହେବାକୁ ଥିବା ରେଳ ପ୍ରକଳ୍ପ ଯୋଜନାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୧୦ କିମି ରେଳପଥ ନିର୍ମାଣ କରିବା ପାଇଁ ରହିଛି। ମାତ୍ର ଜିଲ୍ଲାରେ ଏଯାଏଁ କେବଳ ୧୧ଟି ଗାଁରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୯୦ଟି ଗ୍ରାମର ଜମି ଅଧିଗ୍ରହଣ କାମ ବାକି ରହିଛି। ଏହି ଯୋଜନାରେ ନୂତନ ଗ୍ରାମ ଯୋଡା ଯାଇ ଥିବାରୁ ଆଜି ପର୍ଯ୍ୟନ୍ତ ଏସ୍ଆଇଏସ୍ ଷ୍ଟଡି ବିଭାଗକୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ଜଣାଯାଇଛି। ବହୁ ଦିନରୁ ଭୂ-ଅର୍ଜନ ଅଧିକାରୀ ସମେତ କିରାଣି, ଅମିନ, ଆର୍ଆଇ, ଚେନମ୍ୟାନ୍ ପଦବି ଖାଲିଥିବାରୁ କାର୍ଯ୍ୟର ଅଗ୍ରଗତି ହୋଇ ପାରୁ ନଥିବା ରେଳପଥ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି କରାଯାଉଛି। ଇତିମଧ୍ୟରେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ କଣ୍ଠରାମ ମାଝୀଙ୍କୁ ନୂତନ ସ୍ୱତନ୍ତ୍ର ଭୂ- ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟ ଖାଲି ପଦଗୁଡ଼ିକରେ କର୍ମଚାରୀ ନିଯୁକ୍ତି କରିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାିଥିବା ଜଣାଯାଇଛି। ତେବେ ଜିଲ୍ଲାରେ କର୍ମଚାରୀ ଅଭାବ ରହିଥିବାରୁ ଭୂ- ଅର୍ଜନ ଅଫିସରେ ଖାଲିଥିବା ପଦରେ କର୍ମଚାରୀ ଯୋଗାଇବା ସମସ୍ୟା ରହିଛି। ଏହି ସମସ୍ୟା ସଂପର୍କରେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଯିବ ବୋଲି ଭୂ-ଅର୍ଜନ ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ତେବେ ବୌଦ୍ଧରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତୁରନ୍ତ ତ୍ୱରାନ୍ୱିତ କରିବାକୁ କ୍ରିୟାନୁଷ୍ଠାନ କମିଟିର ଆବାହକ ଦେବାଶିଷ ପୁରୋହିତ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/SBPHO14-BOUDH-PHO-KHURDHA-BGR-RAIL_3.jpg)