‘ଖୁସି’ ଯୋଜନା ଦିଗହରା : ବଣ୍ଟା ନ ହୋଇ ଶ୍ରେଣୀଗୃହରେ ପଡ଼ିରହିଛି ନାପ୍‌କିନ୍

ଛେଣ୍ଡିପଦା : ସରକାରଙ୍କ ପକ୍ଷରୁ ‘ଖୁସି’ ଯୋଜନାରେ ସ୍କୁଲ୍ କଲେଜ ଛାତ୍ରୀଙ୍କ ପାଇଁ ନାପକିନ୍ ବଣ୍ଟନ ବ୍ୟବସ୍ଥା କରାଯାଇଛି। ତେବେ, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ୍‌ରେ ଏହି ଯୋଜନା ଦିଗହରା ହୋଇପଡ଼ିଛି। ଚଳିତ ଶିକ୍ଷାବର୍ଷର ୨ ମାସ ବିତିଯାଇଥିଲେ ମଧ୍ୟ ଛେଣ୍ଡିପଦା ବ୍ଲକର ଛାତ୍ରୀଙ୍କୁ ନାପକିନ୍ ବଣ୍ଟନ ହୋଇପାରିନାହିଁ। ଅନ୍ୟପକ୍ଷରେ ଛେଣ୍ଡିପଦା ଉଚ୍ଚବିଦ୍ୟାଳୟର ଗୋଟିଏ ଶ୍ରେଣୀ ଗୃହରେ ନାପକିନ୍ ବଣ୍ଟନ ନ ହୋଇ ରଖାଯାଇଥିବାରୁ ସେଠାରେ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟ ସରକାର ‘ଖୁସି’ ଯୋଜନାରେ ଷଷ୍ଠରୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ବର୍ଷକୁ ୧୨ ପ୍ୟାକେଟ୍ ଲେଖାଁଏ ନାପକିନ୍ ବଣ୍ଟନ ପାଇଁ ବ୍ୟବସ୍ଥା କରିଛନ୍ତି। ଛାତ୍ରୀଙ୍କୁ ସୁବିଧାରେ ନାପକିନ୍ ବଣ୍ଟନ ଓ ବ୍ୟବହାର ନେଇ ବ୍ଲକ୍‌ର ୧୦୨ଜଣ ଶିକ୍ଷୟିତ୍ରୀଙ୍କୁ ୧୦ ମାସ ପୂର୍ବରୁ ତାଲିମ ପ୍ରଦାନ କରାଯାଇଛି। ବ୍ଳକ୍‌ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୭ ହଜାର ୫୧୪ ଛାତ୍ରୀଙ୍କ ପାଇଁ ୧୭ ହଜାର ୮୭୪ ପ୍ୟାକେଟ୍‌ ନାପ୍‌କିନ୍‌ ବ୍ୟବସ୍ଥା କରାଯାଇଛି। ୨ ମାସ ପୂର୍ବରୁ ସମସ୍ତ ନାପକିନ୍ ଅଣାଯାଇ ଛେଣ୍ଡିପଦା ଉଚ୍ଚବିଦ୍ୟାଳୟର ଗୋଟିଏ ଶ୍ରେଣୀ କକ୍ଷରେ ରଖାଯାଇଛି। ଫଳରେ ବିଦ୍ୟାଳୟରେ ଶ୍ରେଣୀ କକ୍ଷର ଅଭାବ ଦେଖାଦେଇଛି।

Jansatta

ବ୍ଲକ୍‌ର ସିଆରସିସିମାନଙ୍କୁ ନାପକିନ୍ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ତେବେ ବ୍ଳକରୁ ୪୦ କିମି ପର୍ଯ୍ୟନ୍ତ ଦୂରରେ ଥିବା ବିଦ୍ୟାଳୟଗୁଡ଼ିକୁ ନାପକିନ୍ ବଣ୍ଟନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସିଆରସିସିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନାପକିନ୍ ବଣ୍ଟନ ପାଇଁ ବିଧିବଦ୍ଧ ଭାବେ ଉପର ମହଲରୁ କୌଣସି ନିର୍ଦେଶ ନଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ବଣ୍ଟନ ହୋଇପାରୁ ନାହିଁ। ମୂଷା ଓ ଉଇ ଯୋଗୁଁ ବନ୍ଦ କୋଠରୀରେ ରଖାଯାଇଥିବା ନାପକିନର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନାପକିନ ବଣ୍ଟନ ସମୟ ଗଡ଼ିଯାଉଥିବାରୁ ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ବିପିଏମ ସଂଜୟ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ଉଚ୍ଚ ଅଧିକାରୀଙ୍କ ସହ ପରାମର୍ଶ କରି ଖୁବ୍‌ଶୀଘ୍ର ନାପକିନ୍ ବଣ୍ଟନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର