ଦୁଇ ଛାତ୍ରୀଙ୍କୁ ଅପହରଣ, ଘଣ୍ଟାକ ପରେ ଉଦ୍ଧାର : କାର୍‌ରେ ନେଇ ପଳାଉଥିଲେ, ମୋବାଇଲ୍ ଟ୍ରାକିଂ କରି ଧରିଲା ପୁଲିସ

ଚନ୍ଦ୍ରଶେଖରପୁର : ରାଜଧାନୀରେ ଚାଞ୍ଚଲ୍ୟ। ଆଜି ଅପରାହଣ୍‌ରେ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୩ଜଣ ଯୁବକ ଅପହରଣ କରିନେବା ଏବଂ ଏକ ଘଣ୍ଟାକ ପରେ ପୁଲିସ ସେମାନଙ୍କ ମୋବାଇଲ୍ ଟ୍ରାକିଂ କରି ଛାତ୍ରୀମାନଙ୍କୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ୩ ଜଣ ଅପହର୍ତ୍ତାଙ୍କୁ ଧରିବା ପରେ ସେମାନେ ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଆଜି ସ୍କୁଲ୍ ଛୁଟି ହେବା ପରେ ଛାତ୍ରୀ ଦ୍ବୟ କ୍ୟାମ୍ପସ୍ ବାହରକୁ ଆସି କଥା ହେଉଥିବାବେଳେ ସେମାନଙ୍କ ଆଗରେ ଏକ ନାନୋ କାର୍ ଲାଗିଥିଲା। କାର୍‌ରେ ବସିଥିବା ୩ ଜଣ ଯୁବକ ଛାତ୍ରୀଦ୍ବୟଙ୍କୁ ପାଖକୁ ଡାକି କୌଣସି ଏକ ଠିକଣା ବିଷୟରେ ପଚାରିଥିଲେ। ଛାତ୍ରୀମାନେ ସେମାନଙ୍କ ଚାଲ୍ ବୁଝି ନ ପାରି କାର୍ ପାଖକୁ ଯିବା ମାତ୍ରେ ସେମାନେ ଉଭୟଙ୍କୁ କାର୍ ଭିତରକୁ ଟାଣି ନେଇ ଦ୍ରୁତ ଗତିରେ ଇନ୍‌ଫୋସିଟି ଦିଗକୁ ପଳାଇଥିଲେ। ଅପହରଣ ବେଳେ ଛାତ୍ରୀମାନେ ଚିତ୍କାର କରିବାରୁ ସ୍କୁଲ୍‌ର ସିକ୍ୟୁରିଟି ଗାଡ଼ି ସେମାନଙ୍କୁ ପିଛା କରିଥିଲା ଏବଂ ଗୋଡ଼ାଇ ଗୋଡ଼ାଇ ସିପେଟ୍ ଛକ ନିକଟରେ ଜଣେ ଯୁବକକୁ କାବୁ କରିଥିଲା। ତେବେ ଅନ୍ୟମାନେ କାର୍ ସହ ପଳାଇ ଯାଇଥିଲେ। ଅନ୍ୟପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଏ ନେଇ ଛାତ୍ରୀ ଦ୍ବୟଙ୍କ ଅଭିଭାବକ ଓ ପୁଲିସକୁ ସୂଚନା ଦେବାରୁ ଇନ୍‌ଫୋସିଟି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ‌ଚଢ଼ଉ ଆରମ୍ଭ କରିଥିଲା। ଧରା ପଡ଼ିଥିବା ଯୁବକ ଜଣଙ୍କୁ ପୁଲିସ ପଚରାଉଚରା କରି ଅନ୍ୟ ଯୁବକମାନଙ୍କ ଠିକଣା ଓ ମୋବାଇଲ୍ ନମ୍ବର ଆଦାୟ କରି ନେବାରୁ ସେମାନଙ୍କୁ ଟ୍ରାକିଂ କରିବା ସହଜ ‌େହାଇଥିଲା। ଫଳରେ ଅପହରଣର ଘଣ୍ଟାକ ମଧ୍ୟରେ ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ଅନ୍ୟ ଦୁଇ ଜଣ ଅପହର୍ତ୍ତାଙ୍କୁ କାବୁ କରିବା ସହ ଛାତ୍ରୀ ଦ୍ବୟଙ୍କୁ ଉଦ୍ଧାର କରିଥିଲା।

୩ ଅପହର୍ତ୍ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ପୁଲିସ ଛାତ୍ରୀମାନଙ୍କୁ ସ୍କୁଲ୍ ଜିମା ଦେଇଥିଲା। ଖବର ପାଇ ସେମାନଙ୍କ ଅଭିଭାବକ ସ୍କୁଲ୍‌ରେ ପହଞ୍ଚିଥିଲେ ଏବଂ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଅଭିଭାବକଙ୍କ ଜିମା ଦେଇଥିଲେ। ନିଜ ନିଜ ଝିଅଙ୍କୁ ଫେରି ପାଇ ନାନା ଆଶଙ୍କାରେ ଥିବା ଅଭିଭାବକମାନଙ୍କ ମୁହଁରେ ହସ ଫୁଟିଥିଲା। ପୁଲିସ ସୂଚନା ଅନୁଯାୟୀ, ଅପହରଣ ଉଦ୍ୟମ କରିଥିବା ଯୁବକମାନେ ସ୍କୁଲ୍ ନିକଟରେ ଥିବା ଏକ ଇଂଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ସେମାନେ ଅର୍ଥ ଲୋଭରେ ଏପରି କରିଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଏ ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର