ମୁରିବାହାଲ ବ୍ଲକ୍‌ରେ ବ୍ୟାପୁଛି କିଡ୍‌ନି ରୋଗ, ୩ ବର୍ଷରେ ମଲେଣି ୧୧ ଜଣ

କଂଟାବାଞ୍ଜି/ମୁରିବାହାଲ : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ୍‌ରେ ବୃଦ୍ଧି ପାଇବାରେ ଲାଗିଛି କିଡ୍‌ନି ରୋଗ। ଗତ ୩ ବର୍ଷରେ ମୁରିବାହାଲ ବ୍ଲକ୍‌ରେ କିଡ୍‌ନି ରୋଗରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ୧୪ ଜଣ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାଯାଇଛି। ମୁରିବାହାଲ ବ୍ଲକର ଝିକିଡୁଙ୍ଗରି, ଚିତ୍ରମୁଣ୍ଡା ଏବଂ ଆଖପାଖ ଗାଁରେ କିଡ୍‌ନି ରୋଗ ବ୍ୟାପୁଥିବା ଜଣାଯାଇଛି। ଗାଁରେ ୬ଟି ନଳକୂଅ ଥିବା ବେଳେ ଫ୍ଲୋରାଇଡ ପାଣି ବାହାରୁ ଥିବାରୁ ଏହି ରୋଗ ବ୍ୟାପୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ବର୍ତ୍ତମାନ କିଡ୍‌ନି ରୋଗରେ କୁନ୍ଦରୁ ଭୋଇ (୬୦), କୀର୍ତିଚନ୍ଦ୍ର ସାହୁ (୬୨), ଡାଳିମ୍ବ ସାହୁ (୬୫), ଧନୁ ସାହୁ (୫୫) ପ୍ରମୁଖ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜ୍ଞାନେନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ଅତିଶୀଘ୍ର ଏକ ସ୍ୱତନ୍ତ୍ର ଦଳ ଉକ୍ତ ଗାଁକୁ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର