ଚିନ୍ତା ବଢ଼ାଇଲାଣି କିଡ୍‌ନି ରୋଗ: କାରଣ ଖୋଜୁଛି ଆର୍‌ଏମ୍‌ଆରସି

ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ୁଛି କିଡ୍‌ନି ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ବର୍ଷ ମଧ୍ୟରେ କଟକ ଜିଲ୍ଲାର ବଡମ୍ବା-ନରସିିଂହପୁର ସମେତ ତିଗିରିଆ, ଆଠଗଡ଼, ବାଙ୍କି ଆଦି ଅଞ୍ଚଳରେ କିଡ୍‌ନି ରୋଗରେ କେତେଜଣଙ୍କ ଜୀବନ ଗଲାଣି। ତଥାପି ଏହି ରୋଗର କାରଣ ଜଣାପଡ଼ିନି। ନିରାକରଣ ଦିଗରେ ବି ପଦକ୍ଷେପ ନିଆଯାଇ ପାରି ନାହିଁ। ଓଡ଼ିଶାରେ ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କାରଣ ଜାଣିବା ପାଇଁ ଆରମ୍ଭ ହୋଇଛି ଅନୁସନ୍ଧାନ। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି) ସମେତ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ନେପ୍ରୋଲୋଜି ବିଭାଗ, ଚେନ୍ନାଇସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜି(ଏନ୍‌ଆଇଇ) ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଭାବେ କାରଣ ଖୋଜୁଛନ୍ତି। ଗତ ଦେଢ଼ ମାସ ମଧ୍ୟରେ ରାଜ୍ୟର କେଉଁ ଅଞ୍ଚଳରେ ରୋଗ ବ୍ୟାପୁଛି ତାହାକୁ ଚିହ୍ନଟ କରାଯାଇଛି। ଏବେ କାରଣ ଜାଣିବା ପାଇଁ ଅନୁସନ୍ଧାନ ହେଉଛି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରୋଗ ବ୍ୟାପିବାର କାରଣ ଜଣାପଡ଼ିବ ବୋଲି ଆର୍‌ଏମ୍‌ଆର୍‌ସିର ନିର୍ଦେଶିକା ସଂଘମିତ୍ରା ପତି କହିଛନ୍ତି।

ଶ୍ରୀମତୀ ପତିଙ୍କ କହିବା କଥା ହେଲା ଓଡ଼ିଶା କିମ୍ବା ଦେଶରେ କିଡ୍‌ନି ରୋଗ ବ୍ୟାପୁନି। ବରଂ ଶ୍ରୀଲଙ୍କା, ଲାଟିନ୍‌ ଓ ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ କିଡ୍‌ନି ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। କେତେକ ସ୍ଥାନରେ ପରିବେଶ ଓ ଜଳବାୟୁ ସମସ୍ୟା ଯୋଗୁଁ କିଡ୍‌ନି ରୋଗ ହେଉଥିବା ବେଳେ ଆଉ କିଛି ସ୍ଥାନରେ ସ୍ୱାସ୍ଥ୍ୟଗତ କାରଣ ପାଇଁ ରୋଗ ବ୍ୟାପୁଛି। ଓଡ଼ିଶାରେ କାହିଁକି ବ୍ୟାପୁଛି ତାହାର କାରଣ ଖୋଜିବା ସହ ରୋଗ ଉପରେ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି। କାହିଁକି ଗୋଟିଏ ଅଞ୍ଚଳର କିଛି ଲୋକଙ୍କ ମଧ୍ୟରେ ହେଉଥିବା ବେଳେ ଆଉ କିଛି ଲୋକଙ୍କ ମଧ୍ୟରେ କିଡ୍‌ନି ରୋଗ ହେଉନି ତାହା ଉପରେ ଅନୁଧ୍ୟାନ କରାଯାଉଛି। ୬ ମାସ ସମୟ ମଧ୍ୟରେ ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ୨୦୦୬ରୁ ଆଜି ପର୍ଯ୍ୟନ୍ତ ନରସିଂହପୁର ବ୍ଲକରେ ୮୪୧ ଓ ବଡମ୍ବା ବ୍ଲକରେ ୩୩୫ ଜଣ କିଡ୍‌ନି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁଇ ବ୍ଲକରେ ଗାଁକୁ ଗାଁ ସର୍ଭେ କରାଯାଇ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କୁ କାର୍ଡ ପ୍ରଦାନ କରାଯାଇଛି। ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ସହ ସଚେତନ ମଧ୍ୟ କରାଯାଉଛି। ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ନରସିଂହପୁର ସିଏସ୍‌ସି ପାଇଁ ୩ଟି ଡାଏଲିସିସ୍‌ ମେସିନ୍‌ ବ୍ୟବସ୍ଥା ହୋଇଛି। ଡାଏଲିସସ୍‌ ୟୁନିଟ୍‌ କାର୍ଯ୍ୟକ୍ଷମ ସହ ଆନାଲାଇଜ୍‌ର ମେସିନ୍‌ ବ୍ୟବସ୍ଥା କରାଯିବ। ଦୁଇ ବ୍ଲକର ୨୭୫ ଜଣ ଗୁରୁତର ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଜିଲ୍ଲା ପ୍ରଶାସନ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର