ପରୀ-୨ ଅଭିଯାନ ଏମିତି : ଉଠାଇ ନେଇଥିବା ୨ ଶିଶୁଙ୍କ ପତ୍ତା ମିଳୁନି

କେନ୍ଦୁଝର : ଯୋଡ଼ା ସହର ମଙ୍ଗଳା ମନ୍ଦିର ନିକଟସ୍ଥ ଘର ସମ୍ମୁଖ ରାସ୍ତାରେ ଖେଳୁଥିଲେ ୨ଜଣ ପିଲା। ଏମାନଙ୍କୁ ଶିଶୁ ଶ୍ରମିକ ଭାବି ପୁଲିସ କର୍ମଚାରୀ ଉଠାଇ ନେଲେ। ସେମାନଙ୍କୁ ଶିଶୁ ଥଇଥାନ କେନ୍ଦ୍ରରେ ନେଇ ରଖିଥିଲେ। ହେଲେ ଆଜି ଏହି ଦୁଇ ଜଣ ନାବାଳକ ସେଠାରୁ କେଉଁଆଡେ ଚାଲିଗଲେ। ନିଜନିଜ ପିଲାଙ୍କୁ ଖୋଜିଖୋଜି କରି ଆଜି ଅଭିଭାବକମାନେ ଥାନାକୁ ଆସିବା ପରେ ଏହି ଘଟଣା ପଦାକୁ ଆସିଛି।

ଶିଶୁ ଶ୍ରମିକ ଉଦ୍ଧାର ପାଇଁ କେନ୍ଦୁଝର ପୁଲିସ ଆରମ୍ଭ କରିଛି ଅପରେସନ୍‌ ‘ପରୀ-୨’ ଅଭିଯାନ। ବିଭିନ୍ନ ଢାବା, ଗ୍ୟାରେଜ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଉଛି। ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଯମୁନା ସାମନ୍ତଙ୍କ ୧୨ ବର୍ଷର ପୁଅ ହିଲଟପ୍‌ ୟୁପି ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ସେହିପରି ଲଳିତ ଲୋହାରଙ୍କ ୯ ବର୍ଷର ପୁଅ ସୁବାସ ଟିସ୍କୋ ୟୁପି ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ରବିବାର ସ୍କୁଲ ଛୁଟିଥିବାରୁ ଉଭୟ ଘର ଆଗ ରାସ୍ତାକଡ଼ରେ ଖେଳୁଥିଲେ। ପୁଲିସ ଉଭୟଙ୍କୁ ଶିଶୁ ଶ୍ରମିକ ଭାବି ରାସ୍ତାକଡ଼ରୁ ଉଠାଇ ନେଇଥିଲା। ପିଲାଙ୍କୁ ଖୋଜାଖୋଜି କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ସେମାନଙ୍କ ଅଭିଭାବକ। ଛୁଆଙ୍କୁ ଆଣିବା ପାଇଁ ଯୋଡ଼ା ଥାନାକୁ ଆସିଥିଲେ। ଶିଶୁମାନଙ୍କୁ କେନ୍ଦୁଝର ଶିଶୁ ଥଇଥାନ କେନ୍ଦ୍ର ‘ଆଶୀର୍ବାଦ’ରେ ରଖାଯାଇଛି ବୋଲି ପୁଲିସ କହିଥିଲା। ସେମାନଙ୍କୁ ନେବା ପାଇଁ ନିଜର ପରିଚୟ ପତ୍ର ଓ ଆଧାର କାର୍ଡ ଆଣିବାକୁ ଅଭିଭାବକଙ୍କୁ ପୁଲିସ କହିଥିଲା। ଅଭିଭାବକମାନେ ନିଜ ନିଜର ପରିଚୟପତ୍ର ନେଇ ‘ଆଶୀର୍ବାଦ’ ଶିଶୁ ଥଇଥାନ କେନ୍ଦ୍ରରେ ପହଞ୍ଚିଲାବେଳକୁ ସେଠାରେ ସେମାନଙ୍କ ଶିଶୁ ନଥିବା ଜାଣିବାକୁ ପାଇଥିଲେ।

ଏହାପରେ ସେମାନେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ଏସ୍‌ପି ଜୟନାରାୟଣ ପଙ୍କଜଙ୍କୁ ଭେଟି ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନି। ଉଭୟ ନାବାଳକ କୁଆଡ଼େ ଗଲେ ପୁଲିସ ସେମାନଙ୍କ ପତ୍ତା ପାଉନି। ଏ ସମ୍ପର୍କରେ ଲଳିତ କହିଛନ୍ତି, ଗତକାଲି ପୁଲିସ ମୋ ପୁଅକୁ ଉଠାଇ ଆଣିଥିଲା। ଆଜି ତାକୁ ନେବାକୁ ଆସିଛି। ହେଲେ ପୁଅକୁ ପାଉନି। ଡିଏସ୍‌ପି ଶୁଭ୍ରାଂଶୁ ମିଶ୍ର କହିଛନ୍ତି, ଘଟଣାର ତଦନ୍ତ ହେବ। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର