ଭୁବନେଶ୍ୱର/ଯାଜପୁର: ନରହନ୍ତା ଦନ୍ତା ହାତୀ ଆଜି ଯାଜପୁର ଜିଲ୍ଲାରୁ ଚନ୍ଦକାକୁ ଆସିଛି। ତାକୁ ଚଣ୍ଡିଖୋଲ ନିକଟ ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ଚନ୍ଦକା ଅଭୟାରଣ୍ୟରେ ଥିବା ଦନ୍ତା ହାତୀ ‘ଶଙ୍କର’ ପାଖରେ ରଖାଯାଇଛି। ନରହନ୍ତା ଦନ୍ତାର ଗୋଡ଼ରେ ଶିକୁଳି ବନ୍ଧା ଯାଇଛି। ଏଥି ସହିତ ବନ ବିଭାଗର କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
ଗତକାଲି ଏହି ହାତୀକୁ ଚଣ୍ଡିଖୋଲ ନିକଟ ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ଅସ୍ଥାୟୀ ଭାବେ ରଖାଯାଇଥିଲା। ଦନ୍ତାକୁ ଏଠାରେ ରଖାଯାଇ ଚିକିତ୍ସା କରାଯିବ ବୋଲି କୁହାଯାଉଥିଲା। ତେବେ ବନ ବିଭାଗ ପକ୍ଷରୁ ହଠାତ୍ ନିଷ୍ପତ୍ତି ପରିବର୍ତ୍ତନ କରାଯାଇ ହାତୀକୁ ରାତି ୩ଟା ୪୫ରେ ଚନ୍ଦକାକୁ ଅଣାଯାଇଥିଲା। ପୂର୍ବରୁ ଏହି ହାତୀକୁ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ କୁଶୁନପୁର ଜଙ୍ଗଲକୁ ନିଆଯାଉଥିଲା। କିନ୍ତୁ ବାଟରେ ଲୋକମାନେ ତୀବ୍ର ବିରୋଧ କରିଥିଲେ।
ସୂଚନାଯୋଗ୍ୟ, ଚଣ୍ଡିଖୋଲ ରେଞ୍ଜ ଅନ୍ତର୍ଗତ ଦାନଗଦୀରେ ହାତୀ ଉପଦ୍ରବ କରିବା ସହ ଚାରି ଜଣଙ୍କ ଜୀବନ ନେଇଥିଲା। ହାତୀ ଆକ୍ରମଣରେ କିଛି ଲୋକେ ଆହାତ ହୋଇଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗର ଅଧିକାରୀଙ୍କୁ ନିବେଦନ କରିଥିଲେ। ପରେ ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/3c5ca095-701b-4410-9514-72a75931c279.jpg)