୩ ବର୍ଷ ପରେ ରାଜପରିବାର ପୁଣି ଏକାଠି

ନୂଅାଁ ଖାଇଲେ ଅନଙ୍ଗ ଓ କେଭି

ବଲାଙ୍ଗୀର : ଗୋଟିଏ ପରିବାର। ହେଲେ ଦୁଇ ଭାଗ। ରହିଛି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା। ତେବେ ଭାଇଚାରା, ଏକତା ଓ ସଂହତିର ଗଣପର୍ବ ନୂଅାଁଖାଇରେ ରାଜ ପରିବାରର ସଦସ୍ୟମାନେ ଗୋଟିଏ ସ୍ଥାନରେ ନବାନ୍ନ ଖାଇବା ଚର୍ଚ୍ଚାର ବିଷୟ ହୋଇଛି। ସକାଳେ ପାଟଣାଗଡ଼ ଖମାରରେ ଥିବା ମା’ ଦଶମତୀଙ୍କ ପୂଜାର୍ଚ୍ଚନା କରି ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସକୁ ଆସିଥିଲେ ପାଟଣାଗଡ଼ ବିଧାୟକ ତଥା ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ତାଙ୍କ ସହ ଥିଲେ ପୂର୍ବତନ ସାଂସଦ ତଥା ଶ୍ରୀ ସିଂହଦେଓଙ୍କ ସ୍ତ୍ରୀ ସଂଗୀତା ସିଂହଦେଓ। ନୂଅାଁଖାଇ ଅବସରରେ ଶୈଳଶ୍ରୀ ପ୍ୟାଲେସ୍‌ରେ ଥିବା ପୂଜା ବେଦିରେ ସମସ୍ତେ ଏକାଠି ହୋଇଥିଲେ। ପୂଜା ବେଦିରେ ଗୋଟିଏ ପଟେ କନକ ବର୍ଦ୍ଧନ ଓ ପତ୍ନୀ ସଂଗୀତା ବସିଥିବା ବେଳେ ଅନ୍ୟପଟେ ବସିଥିଲେ ପୂର୍ବ ସାଂସଦ ଅନଙ୍ଗ ଉଦୟ ଓ ପତ୍ନୀ ବିଜୟଲକ୍ଷ୍ମୀ ଦେବୀ। ସେହିପରି କେଭି ଓ ସଂଗୀତାଙ୍କ ସମ୍ମୁଖରେ ବସିଥିଲେ ଅନଙ୍ଗ ଉଦୟଙ୍କ ସାନ ପୁଅ ଅର୍କେଶ ନାରାୟଣ ଓ ବୋହୂ ଆଦ୍ରିଜା ମଂଜରୀ। ଅନଙ୍ଗଙ୍କ ସମ୍ମୁଖ ଭାଗରେ ବସିଥିଲେ କେଭିଙ୍କ ଝିଅ ତଥା ମେୱାର ରାଜ ପରିବାରରେ ବିବାହ କରିଥିବା ନିବୃତ୍ତି ଦେବୀ।

ରାଜକୀୟ ରୀତିନୀତି ଅନୁସାରେ ରାଜ ପୁରୋହିତ ସନ୍ତୋଷ ନାରାୟଣ ଦାଶ ପୂଜା ବିଧି କରିଥିଲେ। ପୂର୍ବରୁ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ସେହି ନବାନ୍ନକୁ ସମସ୍ତଙ୍କୁ ଦେଇଥିଲେ ରାଜ ପୁରୋହିତ। ଏକାସଙ୍ଗରେ ବସି ଖାଇଥିଲେ।

ପ୍ୟାଲେସ ପରିସରରେ ଥିବା ବିଭିନ୍ନ ମନ୍ଦିରରେ ମଧ୍ୟ ସମସ୍ତେ ଏକାଠି ବୁଲିଥିଲେ। ସଂଧ୍ୟାରେ ପାଟଣାଗଡ଼ ରାଜ ଖମାରରେ ଥିବା ଦଶମତୀ ମନ୍ଦିରକୁ ଯାଇ ସମସ୍ତେ ଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ, ଶୈଳଶ୍ରୀ ପ୍ୟାଲେସ୍‌ର ଗୋଟିଏ ପାଖ କନକ ବର୍ଦ୍ଧନ ଓ ଅନ୍ୟ ପଟେ ରହୁଛନ୍ତି ଅନଙ୍ଗ ଉଦୟଙ୍କ ପରିବାର। ୨୦୦୬ ମସିହାରେ ପ୍ୟାଲେସର ଦରବାର ହଲକୁ ନେଇ ଉଭୟ ପରିବାର ମୁହାଁମୁହିଁ ହୋଇଥିଲେ। ସେତେବେଳେ ବଲାଙ୍ଗୀର ରାଜ ପରିବାର ବିବାଦ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର