ଗର୍ଜିଲା କିଷାନ କଂଗ୍ରେସ

ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା, କୃଷିଋଣ ଛାଡ଼ ଦାବି, ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୯୩୦ ଟଙ୍କା, କୃଷିଋଣ ଛାଡ଼ ଓ ବୋନସ ଦାବି ନେଇ ଆଜି ରାଜଭବନ ସମ୍ମୁଖରେ ଗର୍ଜିଛି ପ୍ରଦେଶ କିଷାନ କଂଗ୍ରେସ। ଚାଷୀଙ୍କ ନାଁରେ ବିଜେପି ଓ ବିଜେଡ଼ି କେବଳ ନାଟକବାଜି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛି। ଆଜି କିଷାନ କ˚ଗ୍ରେସ ତରଫରୁ ସବୁ ଜିଲ୍ଲାର ଚାଷୀ ପ୍ରତିନିଧିମାନଙ୍କୁ ନେଇ କ˚ଗ୍ରେସ ଭବନରୁ ଏକ ପଦଯାତ୍ରାରେ ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ କିଷାନ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଚାଷୀ ସମାବେଶରେ କୃଷକ ନେତାମାନେ ଉଭୟ ବିଜେଡି ଓ ବିଜେପି ସରକାରଙ୍କୁ ଚାଷୀଙ୍କ ଦୁର୍ଦଶା ପାଇଁ ଦାୟୀ କରିଥିଲେ। ସେମାନେ କହିଥିଲେ, ୧୯ବର୍ଷର ଶାସନ ପରେ ବିଜେଡ଼ିର ଚାଷୀଙ୍କ କଥା ମନେ ପଡ଼ିଛି। ଏବେ ‘କାଳିଆ’ ଯୋଜନା ନାଁରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ମସୁଧା କରିଛି। ସେହିପରି ଚାଷୀ ଉତ୍ପାଦନ ଖର୍ଚର ମୂଲ୍ୟ ପାଉନାହିଁ। ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ମଣ୍ତି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି ଓ ବିଭିନ୍ନ ଆଳରେ କ୍ବିଣ୍ଟାଲ୍‌ ପିଛା ୫ରୁ ୭ କେଜି କଟନି ଛଟନି କରାଯାଉଛି ଦର୍ଶାଇ କିଷାନ କ˚ଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ସରକାରଙ୍କୁ ସମାଲୋଚନା କରିଥିଲେ। ସରକାର ଯଥାଶୀଘ୍ର ଦିଲ୍ଲୀ ଛାଡି ପଲ୍ଲୀର ଚାଷୀଙ୍କ ବାସ୍ତବ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।

ନିକଟରେ ଛତିଶଗଡ଼ କ˚ଗ୍ରେସ ସରକାର ଧାନ ଏମଏସ୍‌ପି ଉପରେ ଚାଷୀଙ୍କୁ ୭୫୦ ଟଙ୍କା ଦେଇ ଧାନ କ୍ବିଣ୍ଟାଲ ୨୫୦୦ ଟଙ୍କାରେ କ୍ରୟ କରୁଥିବା ବେଳେ ଏଠାରେ କେବଳ ଚାଷୀଙ୍କୁ ଶୋଷଣ କରାଯାଉଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏପରି ୭ଟି ରାଜ୍ୟ ଚାଷୀଙ୍କଠାରୁ ଋଣଛାଡ଼ ଘୋଷଣା କରିଥିବା ବେଳେ ଚାଷୀଙ୍କ ପାଇଁ ନବୀନବାବୁ କେବଳ ବାହାସ୍ଫୋଟ ମାରିଚାଲିଛନ୍ତି। ସେ ପଟେ ବିଜେପି ଓ କେନ୍ଦ୍ର ସରକାର କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ବଡ,଼ କାମ କମ୍‌। ଦେଶର ୧୫ଟି ଶିଳ୍ପପତିଙ୍କୁ ୧ ଲକ୍ଷ ୫୪ ହଜାର କୋଟି ଋଣ ଛାଡ଼ କରିଥିବା ବେଳେ ଋଣଭାରରେ ଥିବା ଚାଷୀଙ୍କ ପାଇଁ ବିଜେପି ସରକାର ଆଖିବୁଜି ଦେଇଛି। ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼, ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବୃଦ୍ଧି ଓ ପ୍ରତି କ୍ବିଣ୍ଟାଲ୍‌ ପିଛା ଚାଷୀଙ୍କୁ ୭୫୦ ଟଙ୍କା ବୋନସ୍‌ ନ ଦିଅନ୍ତି ଆଗାମୀ ଦିନରେ କିଷାନ କ˚ଗ୍ରେସ ପକ୍ଷରୁ ସାରା ରାଜ୍ୟରେ ପ୍ରତି ଗାଁ ସ୍ତରରୁ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଚାଷୀ ନେତା ସନ୍ତୋଷ ସାହୁ, ସୁବାସ ରାଉତ, ବୃନ୍ଦାବନ ଖଟେଇ, ସୁଧାକର ସାହୁ, ଗୋବିନ୍ଦ ମିଶ୍ର, ନିରଞ୍ଜନ ବେହେରା, ନିତ୍ୟାନନ୍ଦ ପଣ୍ତା, ଜାନକୀକାନ୍ତ ପଟ୍ଟନାୟକ, ନରନାରାୟଣ ଜେନା, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର, କିଶୋର ଜେନା, ଯତି ପ୍ରଧାନ, ପ୍ରଫୁଲ୍ଲ ଦାସ, ସୁରଜ ମହାପାତ୍ର, ବସନ୍ତ ମହାରଣା, ଗଙ୍ଗାଧର ଖଟୁଆ, ଅରବିନ୍ଦ ସାମଲ, କିଣୁରାମ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର