କାଳିଆ ଯୋଜନା ‌ଭେଳିକିର ଲୋକେ ଜବାବ ଦେବେ: ନିରଞ୍ଜନ

କିଷାନ୍‌ କ˚ଗ୍ରେସର ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏକ ଭେଳିକି। କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏହି ଯୋଜନାର ଡିଣ୍ଡିମ ପିଟି ଜନସାଧାରଣଙ୍କୁ ଭୂଆଁ ବୁଲାଇବାରେ ଲାଗିଛନ୍ତି। ଚାଷୀମାନେ ଏହି ଭେଳିକିକୁ ବେଶ୍‌ ବୁଝିଲେଣି। ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କ˚ଗ୍ରେସ ଭବନରେ ରାଜ୍ୟ କିଷାନ୍‌ କ˚ଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟସ୍ତରୀୟ ବୈଠକ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଲେ ଯେ ଆଜି ଚାଷୀ ଓ ଚାଷର ଯେଉଁ ଦୁଃସ୍ଥିତି ଘଟିଛି ସେଥିପାଇଁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ସ˚ପୂର୍ଣ୍ଣ ଦାୟୀ। ବୈଠକରେ ସରକାର ଚାଷୀଙ୍କଠାରୁ ସବୁ ପଞ୍ଚାୟତର ପ୍ରତି ପ୍ୟାକ୍ସ ଓ ଲ୍ୟାମ୍ପସ୍‌ରୁ ବର୍ଷ ସାରା ଚାଷୀଙ୍କଠାରୁ ସଠିକ୍‌ ମୂଲ୍ୟରେ ଧାନ କିଣିବା ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ସରକାରଙ୍କ ଭଳି କୃଷିଋଣ ଛାଡ଼ ଆଦି ପ୍ରସ୍ତାବଗୁଡିକ ଗୃହୀତ ହୋଇଥିଲା। ଓଡିଶାରେ କ˚ଗ୍ରେସ ଦଳ ସରକାରକୁ ଆସିଲେ ସମସ୍ତ ଚାଷୀଙ୍କଠାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼, ୧୨ ମାସିଆ ଚାଷ ପାଇଁ ସୋଲାର ପମ୍ପ, ୫ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ କୃଷି ସହାୟତା ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ପ୍ରତି ବ୍ଲକରେ ଶୀତଳଭଣ୍ତାର, ପ୍ରତି ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଏବ˚ ରାଜ୍ୟ ସ୍ତରରେ ଓମ୍‌ଫେଡ୍‌ ପରି ଭେଜ୍‌ଫେଡ୍‌ ପ୍ରତିଷ୍ଠା ଆଦି ପ୍ରସ୍ତାବଗୁଡ଼ିକ ସଂପର୍କରେ ମଧ୍ୟ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟର ସବୁ ସାପ୍ତାହିକ ହାଟରେ କିଷାନ୍‌ କ˚ଗ୍ରେସ ପକ୍ଷରୁ ପ୍ରଚାର ସଭାମାନ ଆୟୋଜନ କରିବାକୁ ରଣନୀତି ସ୍ଥିର ହୋଇଛି। ସେସବୁ ସଭାରେ ଚାଷୀ ବିରୋଧୀ ବିଜେଡି-ବିଜେପି ସରକାରଙ୍କ ଅପାରଗତା ଓ ବିଫଳତା ସ˚ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ।

ସମ୍ବନ୍ଧିତ ଖବର