ଜଗା-ବଳିଆଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ କିସ୍‌ର ୨୭ହଜାର ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର : କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ହେବା ପରେ ଉଭୟଙ୍କ ଆରୋଗ୍ୟ କାମନା କରି ଆଜି କିସ୍‌’ର ୨୭ହଜାର ଆଦିବାସୀ ଛାତ୍ରଛାତ୍ରୀ ଏକାଠି ଦୀପଦାନ ଓ ସାମୂହିକ ପ୍ରାର୍ଥନା କରିଥିଲେ। ୨୦ମିନିଟ୍‌ ଧରି ଚାଲିଥିବା ଏହି ପ୍ରାର୍ଥନାରେ ପ୍ରଥମେ ଶିକ୍ଷାର୍ଥୀମାନେ ଓମ୍‌ ଉଚ୍ଚାରଣ କରି ପରିବେଶକୁ ମସ୍ତ୍ରମୁଗ୍ଧ କରିଥିଲେ। ପରେ ହାତରେ ଦୀପ ଧରି ପ୍ରାର୍ଥନା କକ୍ଷରେ ଥିବା ଠାକୁରଙ୍କୁ ଆଳତୀ କରିଥିଲେ। ଜଗା-ବଳିଆ ତୁରନ୍ତ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଶିକ୍ଷାର୍ଥୀମାନେ ଏକ ସ୍ୱରରେ ଉଚ୍ଚାରଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜଗା-ବଳିଆଙ୍କ ଆରୋଗ୍ୟ ପାଇଁ ନିକଟସ୍ଥ ଶ୍ରୀବାଣୀ କ୍ଷେତ୍ରରେ ପୂଜା କରିଥିଲେ। କିସ୍‌’ରେ ପଢ଼ୁଥିବା ଜଗା-ବଳିଆଙ୍କ ଜିଲ୍ଲା କନ୍ଧମାଳର ପିଲାମାନେ ନିଜ ଅଞ୍ଚଳର ଦୁଇ ଭାଇଙ୍କ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏନେଇ ଅନୁଷ୍ଠିତ ସଭାରେ ଜଗା-ବଳିଆଙ୍କ ଗ୍ରାମ ବିଷୟରେ ଜାଣିଥିବା ଶିକ୍ଷାର୍ଥୀମାନେ ସେମାନଙ୍କ ଦୁଃଖର କାହାଣୀ ବଖାଣିବା ସହ ଏହି ବିପଦ ସମସରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଥିଲେ। ଜଗା-ବଳିଆ ସୁସ୍ଥ ହୋଇ ଫେରିଲେ ୨୭ହଜାର ପିଲା ନିକଟ ଶ୍ରୀମନ୍ଦିରରେ ପୁନଃ ପୂଜାର୍ଚ୍ଚନା କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର