‘କୋହିନୂର ହୀରାର ପ୍ରମୁଖ ଦାବିଦାର ଓଡ଼ିଶା’

ଜ୍ଞାନପୁଞ୍ଜ ବକ୍ତୃତାମାଳାରେ ଆନ୍ତର୍ଜାତିକ ଲେଖକ ଡାଲ୍‌ରିମ୍ପଲ୍‌

ଭୁବନେଶ୍ବର : ନୂଆଦିଲ୍ଲୀ ଜାତୀୟ ଅଭିଲେଖାଗାରରେ ସଂରକ୍ଷିତ ଏକ ଚିଠି ଅନୁଯାୟୀ କୋହିନୂର ହୀରାକୁ ମହାରାଜା ସ୍ବର୍ଗତ ରଣଜିତ୍‌ ସିଂହ ଓଡ଼ିଶାର ଶ୍ରୀଜଗନ୍ନାଥଙ୍କୁ ଭକ୍ତିପୂତ ଉପହାର ଭାବେ ଅର୍ପଣ କରିଥିଲେ। ପରବର୍ତୀ ଅବସ୍ଥାରେ ବ୍ରିଟିସ୍‌ ଅଧିକାରୀମାନେ ଏହାକୁ ନିଜ ଦେଶକୁ ନେଇଯାଇଥିଲେ। ସେହି କୋହିନୂର ହୀରାକୁ ଫେରାଇ ଆଣିବା ପାଇଁ ବାରମ୍ବାର ଦାବି ହେଉଛି। କିନ୍ତୁ ‌ଏ ଦିଗରେ କୌଣସି ଫଳପ୍ରଦ ଉଦ୍ୟମ ହୋଇନାହିଁ। ଆଜି ଏହି ବିବାଦୀୟ ହୀରା ସହିତ ଶ୍ରୀଜଗନ୍ନାଥ ପ୍ରସଙ୍ଗ ଖ୍ୟାତିସଂପନ୍ନ ଆନ୍ତର୍ଜାତିକ ଲେଖକ, ସାମ୍ବାଦିକ ଓ ସାହିତ୍ୟିକ ୱିଲିୟମ ଡାଲ୍‌ରିମ୍ପଲ୍‌ଙ୍କ ଐତିହାସିକ ବ୍ୟାଖ୍ୟାନ ପରେ ପୁନର୍ଜୀବିତ ହୋଇଉଠିଛି। ସେ ସ୍ପଷ୍ଟ କରିଦେଇଛନ୍ତି ଓଡ଼ିଶା ଏହାର ପ୍ରମୁଖ ଦାବିଦାର।

ଆଜି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାରେ ବିଂଶତମ ବକ୍ତୃତା ପ୍ରଦାନ କରିଥିଲେ ଲେଖକ ଡାଲ୍‌ରିମ୍ପଲ। ଏହି ପ୍ରସଙ୍ଗରେ ସେ ଐତିହାସିକ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କୁ ମହାରାଜା ରଣ୍‌ଜିତ ସିଂହ କୋହିନୂରକୁ ଭେଟି ଦେଇଥିଲେ। ୧୭୩୦ ମସିହାଠାରୁ ଏହାର ଇତିହାସ ଉପରେ ଆଲୋକପାତ କରି ସେ କହିଥିଲେ, ଏହି କୋହିନୂର ଭାରତରେ ସାମ୍ରାଜ୍ୟବାଦ୍‌ର ପ୍ରତୀକ। ଏହା ସହିତ ଭାରତୀୟ ଭାସ୍କର୍ଯ୍ୟ, ସଂସ୍କୃତି, ସାହିତ୍ୟ ଓ ଇତିହାସ ସହ ମଧ୍ୟ ଜଡ଼ିତ।

୨୦୧୬ରେ ଅନୀତା ଆନନ୍ଦ ଓ ଡାଲ୍‌ରିମ୍ପଲ୍‌ ମିଳିତ ଭାବେ ‘କୋହିନୂରର ଇତିହାସ’ ନାମକ ପୁସ୍ତକ ପ୍ରକାଶ କରିଛନ୍ତି। ନିକଟରେ ସେ ନ୍ୟୁୟର୍କରେ ଏସିଆ ସମାଜ ପାଇଁ ସେ ମୋଗଲ କଳାର ପ୍ରଦର୍ଶନୀ ଆୟୋଜନ କରିଥିଲେ। ସେହି ପ୍ରଦର୍ଶନୀରେ କୋହିନୂରର ମୋଗଲ କଳା ସହ ସଂପର୍କ ସମ୍ବନ୍ଧିତ ତଥ୍ୟ ଉପସ୍ଥାପିତ ହୋଇଥିଲା। କୋହିନୂରକୁ ବିଶ୍ବର ‘ସର୍ବାଧିକ ଅପଖ୍ୟାତ ହୀରା’ ବୋଲି ସେ ଅଭିହିତ କରିଥିଲେ।

ଏହି ବକ୍ତୃତାମାଳାରେ ଡାଲ୍‌ରିମ୍ପଲ୍‌ଙ୍କ ପରିଚିତ ପ୍ରଦାନ କରିବାକୁ ଯାଇ ଉନ୍ନୟନ କମିସନର ଅସୀତ ତ୍ରିପାଠୀ କହିଥିଲେ, ସେ ଭାରତ ଓ ଇସ୍‌ଲାମିୟ ବିଶ୍ବ ସମ୍ବନ୍ଧିତ ୯ଟି ପୁସ୍ତକ ରଚନା କରିଛନ୍ତି। ଲୋକପ୍ରିୟ ଲେଖା ପାଇଁ ତାଙ୍କୁ ବିଭିନ୍ନ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି। ସଚିବାଳୟରେ ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ବିଭିନ୍ନ ଜିଲ୍ଲା ସଦର ମହକୁମା ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମ‌େର ସଂଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର