ଜଣେ ଡାକ୍ତରରେ ଚାଲିଛି କୋଇଡ଼ା ସିଏଚ୍‌ସି, ମ୍ୟାଲେରିଆ ଇଲାକା, ହେଲେ ପାଥୋ ଟେକ୍‌ନିସିଆନ୍‌ ବି ନାହାନ୍ତି

କୋଇଡ଼ା : ମ୍ୟାଲେରିଆ, ହାତୀ ଆକ୍ରମଣ ଓ ସାପ କାମୁଡ଼ା କାରଣରୁ ମୃତ୍ୟୁ, ଗୁଣି ଗାରେଡ଼ି ଜନିତ ହତ୍ୟାକାଣ୍ଡ ଏବଂ ରାସ୍ତା ଜାମ୍‌ ସମେତ ସରକାରଙ୍କୁ ଦିଆ ଯାଉଥିବା କୋଟି କୋଟି ଟଙ୍କାର ରାଜସ୍ବ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଖଣି ସମୃଦ୍ଧ କୋଇଡ଼ା ବ୍ଲକ୍ ଅନେକ ସମୟରେ ଚର୍ଚ୍ଚାକୁ ଆସେ। ତେବେ କୋଇଡ଼ା ବ୍ଲକରେ ସରକାରୀ ସ୍ବାସ୍ଥ୍ୟସେବାରୁ ସାରା ଜିଲ୍ଲାର ଗ୍ରାମାଞ୍ଚଳରେ ଏହାର ସ୍ଥିତି ସଂପର୍କରେ ସ୍ପଷ୍ଟ ଭାବେ ଅନୁମାନ କରା ଯାଇପାରେ।

କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ଟି ଡାକ୍ତର ପଦ ଅଛି। କୋଇଡ଼ା ସିଏଚ୍‌ସି ‌ସୁପରିନ୍‌ଟେ‌ଣ୍ଡେଣ୍ଟ ଡାକ୍ତର ପାତ୍ର ଶାରୀରିକ ଅସୁସ୍ଥତା କାରଣରୁ ଛୁଟିରେ ଅଛନ୍ତି। ତାଙ୍କ ଦାୟିତ୍ବରେ ଅଛନ୍ତି ଆସିଷ୍ଟାଣ୍ଟ ସର୍ଜନ ତଥା ଶିଶୁରୋଗ ବିଶେଷଜ୍ଞ ଡା. ସନତ ପଶୁପାଳକ। ସେ ଏକମାତ୍ର ଡାକ୍ତର ଯିଏକି ୨୪ ଘଣ୍ଟା ହସ୍ପିଟାଲ ମଧ୍ୟରେ ରହୁଛନ୍ତି। କୋଇଡାରେ ଆଉ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଥିଲେ ମଧ୍ୟ ଆସିଷ୍ଟାଣ୍ଟ ସର୍ଜନ ଡା. ବୀରେନ୍‌ ଖାଲ୍‌କୋଙ୍କୁ ରାଜ୍ୟ ସରକାର ବୁର୍ଲା ମେଡିକାଲକୁ ଡେପୁଟେସନରେ ନେଇଛନ୍ତି। ଅନ୍ୟ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ସେ ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି। ନିର୍ବାଚନ ପୂର୍ବରୁ ଅନ୍ୟ ଜଣେ ଡାକ୍ତରଙ୍କ ନିଯୁକ୍ତି ଦିଆଯାଇଥିଲେ ବି ସେ କାର୍ଯ୍ୟରେ ଯୋଗ ନ ଦେଇ ଛୁଟିରେ ଅଛନ୍ତି। ଡିଏମ୍‌ଏଫ ପାଣ୍ଠିରୁ ଗତ ୪ ତାରିଖ ଦିନ ଜଣେ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। ସେ ଏଠାରେ କେତେଦିନ ରହିବେ, ଠିକଣା ନାହିଁ। ମୋଟ୍‌ ଉପରେ ଏବେ ବି କୋଇଡ଼ା ସିଏଚ୍‌ସି ଡା. ପଶୁପାଳକଙ୍କ ଭରସାରେ ଚାଲିଛି।

ଉଲ୍ଲେଖନୀୟ ଯେ ଡା. ପଶୁପାଳକଙ୍କୁ ୩ ବର୍ଷ ହେଲା ଦରମା ମିଳୁନି। ଡା. ପଶୁପାଳକଙ୍କ ନାମରେ ଥିବା ଭିଜିଲାନ୍ସ ମାମଲା ରଦ୍ଦ ହେବାର ୩ ବର୍ଷ ପରେ ବି ରାଜ୍ୟ ସରକାର ତାଙ୍କ ଫାଇଲ୍‌ ପରିବର୍ତ୍ତନ କରୁନାହାନ୍ତି। ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମ୍ୟାଲେରିଆ ପ୍ରବଣ ଇଲାକା ହୋଇଥିଲେ ହେଁ କୋଇଡ଼ା ସିଏଚ୍‌ସିରେ ଥିବା ପାଥୋ-ଟେକ୍‌ନିସିଆନ୍‌ ପଦବିଟି ଅନେକ ଦିନ ହେଲା ଖାଲି ରହିଛି। ଫଳରେ ଲୋକେ ବେସରକାରୀ ପାଥୋ-ଲାବ୍‌ ଉପରେ ନିର୍ଭର କରିବାଲାଗି ବାଧ୍ୟ ହେଉଛନ୍ତି। ଖଣିଜ ପରିବହନ କରୁଥିବା ଟ୍ରକ୍‌ ପାଇଁ କୋଇଡ଼ାରେ ପ୍ରାୟ ପ୍ରତିଦିନ ରାସ୍ତା ଜାମ୍ ହୁଏ। ଦିନେ ଦିନେ ତ ସାରା ରାତି ଲୋକେ ଜାମ୍‌ରେ ଅଧାରାସ୍ତାରେ ଫସି ରହନ୍ତି। ସେଥିପାଇଁ କୋ‌ଇଡ଼ା ବର୍ଷର ଅଧିକାଂଶ ସମୟରେ ଅପହଞ୍ଚ ରହେ। ଏଠାରେ ସରକାରୀ କର୍ମଚାରୀ ନିଯୁକ୍ତି ପାଇଲେ ଛୁଟିରେ ରହନ୍ତି; ଯେଉଁମାନେ ବି ଯାଆନ୍ତି, ପରିବାରକୁ ନିଅନ୍ତି ନାହିଁ। ଏପରିକି ଜିଲ୍ଲା ମୁଖ୍ୟାଳୟରୁ ଉଚ୍ଚ ଅଧିକାରୀମାନେ କୋଇଡ଼ା ଗସ୍ତରେ ଯିବାକୁ ନାପସନ୍ଦ କରନ୍ତି। ଗୁରୁତର ରୋଗୀଙ୍କୁ ଗାଁରୁ କୋଇଡ଼ା ସିଏଚ୍‌ସି ବା କୋଇଡ଼ାରୁ ଅନ୍ୟ ବଡ଼ ଡାକ୍ତରଖାନାକୁ ନେବାବେଳେ ଜାମ୍‌ କାରଣରୁ ବାଟରେ ରୋଗୀଙ୍କ ମୃତ୍ୟୁ ଘଟିବାର ଘଟଣା ଏ ଅଞ୍ଚଳରେ ବିଚିତ୍ର ନୁହେଁ।

ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି, ଖଣି ଖାଦାନରେ ପୂର୍ଣ୍ଣ କୋଇଡ଼ାରେ ପ୍ରାୟ ପ୍ରତିଦିନ ଖଣିରେ ବା ରାସ୍ତାରେ ଦୁର୍ଘଟଣା ଘ‌ଟେ, କିନ୍ତୁ ନିକଟତମ ରକ୍ତଭଣ୍ଡାର ଅଛି ବଣାଇଁରେ, ଯାହା ପ୍ରାୟ ୬୦ କିମି ଦୂରରେ। ରାସ୍ତା ଜାମ୍‌ରେ ସେ ୬୦ କିମି ବାଟ ଯିବାଲାଗି ଅଧିକାଂଶ ଦିନ ୪-୫ ଘଣ୍ଟା ଲାଗେ, ଦିନେ ଦିନେ ତ ରକ୍ତ ଲୋଡୁଥିବା ଆହତର ଛାତିର ସ୍ପନ୍ଦନ ଅଟକିଯାଏ ସିନା, ରାସ୍ତା ଖୋଲେ ନାହିଁ।

କୋଇଡା ସିଏଚସି ଅଧୀନରେ ଚୋରଧରା, ଝାରବେଡା ଓ କେ. ବଲାଙ୍ଗ ପ୍ରାଥମିକ ସ୍ବା‌ସ୍ଥ୍ୟକେନ୍ଦ୍ର ଅଛି। କେ.ବଲାଙ୍ଗ ଜଣେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଦ୍ବାରା ଚାଲୁଥିବା ବେଳେ ଝାରବେଡାରେ କେହି ଏଲୋପ୍ୟାଥିକ୍‌ ଡାକ୍ତର ନାହାନ୍ତି। ସେଠାରେ ଜଣେ ଆୟୁଷ ଡାକ୍ତର ନିଯୁକ୍ତି ପାଇଛନ୍ତି। ଚୋରଧରାରେ ଜଣେ ରେଗୁଲାର ଡାକ୍ତର ନିଯୁକ୍ତି ପାଇଛନ୍ତି। କିନ୍ତୁ ଏହି ତିନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତରମାନେ ନିୟମିତ ଆସନ୍ତି ନାହିଁ। ରାସ୍ତା ଜାମ୍‌ ପାଇଁ କୋଇଡାର ୧୦୮ ଆମ୍ବୁଲାନ୍ସ କେ.ବଲାଙ୍ଗରେ ରହୁଛି। ଦୁଇଟି ୧୦୨ ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ କେ.ବଲାଙ୍ଗ ଓ ଅନ୍ୟଟି କୋଇଡ଼ାରେ ରହୁଛି। ତେବେ ଖରାପ ରାସ୍ତା ଦୁରବସ୍ଥା ଓ ଜାମ୍‌ ପାଇଁ ସେସବୁ ବ୍ଲକ୍‌ର ଅଧିକାଂଶ ଅଞ୍ଚଳକୁ ଯାଇ ପାରୁନାହିଁ।

ସମ୍ବନ୍ଧିତ ଖବର