କୋଣାର୍କ ‌ମହୋତ୍ସବ ଉଦ୍‌ଘାଟିତ

କୋଣାର୍କ : ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟ ଉତ୍ସବ ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ମଧ୍ୟ ଶୁଭାରମ୍ଭ ହୋଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉଭୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ନୃତ୍ୟୋତ୍ସବ ଆଜି ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ ଭାରତନାଟ୍ୟମ୍‌ରେ ଶେଷ ହୋଇଥିଲା। ଶତାଧିକ ବିଦେଶୀ ପର୍ଯ୍ୟଟକ ଆଜି ଏହି ଆନ୍ତର୍ଜାତୀୟ ନୃ୍ତ୍ୟ ମହୋତ୍ସବର ମଜା ନେଇଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ପ୍ରାକ୍ତନ ପ୍ରଶାସକ ତଥା ସଂସ୍କୃତି ଗବେଷକ ଆର.ବାଲକ୍ରିଷ୍ଣନ୍‌, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନା‌ୟକ, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉତ୍ପଳ କୁମାର ପତି, ସଂଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନା‌, ଓଡ଼ିଶୀ କଣ୍ଠଶିଳ୍ପୀ ସଂଗୀତା ଗୋସାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ସାଧନା ଶ୍ରୀବାସ୍ତବ ଓ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ମହୋତ୍ସବର ପ୍ରଥମ ସନ୍ଧ୍ୟା ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା‌। କୋଣାର୍କ ମହାତ୍ମ୍ୟକୁ ନେଇ ଭୁବନେଶ୍ବର ‘ନୃତ୍ୟାୟନା’ ଅନୁଷ୍ଠାନର କଳାକାରମାନେ ନିର୍ବାଣ ଶତକମ୍‌, ଶୁଦ୍ଧ ନୃତ୍ୟ ପଲ୍ଲବୀ ପରିବେଷଣ କରିଥିଲେ। ଶେଷରେ ରମା ବୈଦ୍ୟନାଥନ୍‌ ଓ ତାଙ୍କ ସାଥୀ କଳାକାରଙ୍କ ଦ୍ବାରା ଚିତାକର୍ଷକ ଭାରତ ନାଟ୍ୟମ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାଛଡା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ପର୍ଯ୍ୟଟକମାନଙ୍କୁ ମୁଗ୍ଧ କରିଛି। ଏହି ବାଲୁକା କଳା ପ୍ରଦର୍ଶନୀରେ ଫ୍ରାନସ, ଜର୍ମାନୀ, ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲ୍ୟାଣ୍ଡ, ଇଟାଲି, ଭାରତ ଆଦି ୮ଟି ଦେଶରୁ ୧୦୧ ଜଣ ବାଲୁକା କଳା ଶିଳ୍ପୀ ଯୋଗ ଦେଇ ନିଜ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ ଆଜି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବିଦେଶୀ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅପେରା ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଏହି ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବ। ‌

ସମ୍ବନ୍ଧିତ ଖବର