ଏଏସ୍ଆଇ ଅବହେଳାକୁ ନେଇ ତୀବ୍ର ପ୍ରତିବାଦ : ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିଭିନ୍ନ ସଂଗଠନର ଧାରଣା

କୋଣାର୍କ : ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାବି ନେଇ ଆଜି କୋଣାର୍କ ସୁରକ୍ଷା ସମିତି ଡାକରାରେ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଧାରଣା ଓ ପ୍ରତିବାଦ ସଭାରେ କୋଣାର୍କ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହିତ ଆଜିର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରଶାସନର ଅନୁରୋଧ ସତ୍ତ୍ବେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର କୌଣସି ଅଧିକାରୀ ଧାରଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରି ନ ଥିବାରୁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂର୍ଯ୍ୟମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍‌ଆ ଉପରେ ନ୍ୟସ୍ତ ରହିଛି। ମାତ୍ର ଏହି ପ୍ରାଚୀନ କୀର୍ତିରାଜିର ସୁରକ୍ଷା ଦିଗରେ ଏଏସ୍‌ଆଇ ଧ୍ୟାନ ଦେଉ ନଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ସୂର୍ଯ୍ୟମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣ, ସଂରକ୍ଷଣ ଓ ପ୍ରତି ଶନିବାର ମନ୍ଦିରକୁ ପ୍ରବେଶଶୁଳ୍କ ମୁକ୍ତ ଆଦି ଦାବି ନେଇ ଗତ ୨୧ ବର୍ଷଧରି ପ୍ରତିବର୍ଷ ନଭେମ୍ବର ୧୭ ତାରିଖରେ ଏହି ଆନ୍ଦୋଳନ ହୋଇ ଆସୁଛି। ତେବେ ଚଳିତ ବର୍ଷ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଇଛି।

ପୂର୍ବାହ୍ନରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା। ଏଥିରେ କୋଣାର୍କ ଅଂଚଳର ବୁଦ୍ଧଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ, ମହିଳା, ଛାତ୍ର, ଯୁବକ, ବ୍ୟବସାୟୀ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ। ଏଏସ୍‌ଆଇ ମନେଭାବ ପରିବର୍ତନ ନ କଲେ ଆଗାମୀ ଦିନରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ତା ପାଇଁ ଏଏସ୍‌ଆଇ କର୍ତୃପକ୍ଷ ଦାୟୀ ରହିବେ ବୋଲି ବକ୍ତାମାନେ ଚେତାଇ ଦେଇଥିଲେ। କିଛି ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଧାରଣା ସ୍ଥଳୀରେ ଦେଖିବାକୁ ମିଳିଥିଲା।

ସ୍ଥାନୀୟ ପ୍ରଶାସନର ଅନୁରୋଧ କ୍ରମେ ଅପରାହ୍ନରେ ଧାରଣାକୁ ପ୍ରତ୍ୟାହାର କରାଯାଇଥିଲା। କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶଙ୍କ ନେତୃତ୍ବରେ ଅନୁଷ୍ଠିତ ଆଜିର ଧାରଣା ଓ ପ୍ରତିବାଦ ସଭାରେ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର