କୋଣାର୍କ ମାମଲା : ଷ୍ଟାଟସ ର‌ିପୋର୍ଟ ଦାଖଲ ପାଇଁ ଏଏସ୍‌ଆଇ ନେଲା ମହଲତ

ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮ରେ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ବିଚାରାଧୀନ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଅଧିକ ମହଲତ ଲୋଡିଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଲୋଡିଥିଲା ଏଏସଆଇ। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮କୁ ଧାର୍ଯ୍ୟ କରିଥିବା ବେଳେ ଏଥି ପୂର୍ବରୁ ଏଏସଆଇ କୋଣାର୍କ ମରାମତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ରହିଥିବା ଯୋଜନା ସଂପର୍କରେ ଅବଗତ କରିବ।

ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବର ୧୮ରେ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ରୁର୍‌କିର ସିବିଆରଆଇ, ଆଇଆଇଟି ଖଡଗପୁର ଓ ଆଇଆଇଟି ମାଡ୍ରାସର ବିଶେଜ୍ଞ ଓ ବୈଜ୍ଞାନିକମାନେ କୋଣାର୍କ ସଂରକ୍ଷଣ ଓ ମରାମତି କାର୍ଯ୍ୟର ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରୁଛନ୍ତି। କୋଣାର୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଷ୍ଟିଅରିଂ କମିଟି ଓ ଦୁଇଟି ୱାର୍କିଂ ଗ୍ରୁପ୍ ରହିଛି। ଏହି କମିଟି ଓ ଗ୍ରୁପର ପରାମର୍ଶ ନିଆଯାଉଛି। ଏହି କମିଟି ଓ ଗ୍ରୁପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ସଦସ୍ୟ ରହିଛି। କୋଣାର୍କ ପ୍ରତି ଅବହେଳାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କ ପକ୍ଷାରୁ ଅସ୍ବୀକାର କରାଯାଇଥିଲା। ଅନ୍ୟପକ୍ଷରେ ଏଏସଆଇ ସାନି ତଥ୍ୟ ଆଧାରରେ ଏପରି ସତ୍ୟପାଠ ଦାଖଲ କରି ନାହାନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ତେଣୁ କୋଣାର୍କର ସଂପର୍କରେ ସଠିକ ତଥ୍ୟ ଉପସ୍ଥାପନ କରାଯିବ‌‌ା ଆବଶ୍ୟକ। କୋଣାର୍କ ମରାମତି ପ୍ରସଂଗର ଅନୁଧ୍ୟାନ ପାଇଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମାମଲା ଭଳି ଆମିକସ କ୍ୟୁରିଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ୨୦୧୮, ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ଏହା ପରେ ଆବେଦନକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଅବସ୍ଥା ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡି ସାନି ପିଟିସନ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର