ବିପଦରେ କୋଣାର୍କ : ୟୁନେସ୍କୋ କଥା ବି ଶୁଣୁନି ଏଏସ୍‌ଆଇ

ଭୁଶୁଡ଼ିଯିବ ଜଗମୋହନ, ଭିତରେ ଚରିଗଲାଣି ଗୁଳ୍ମ ଚେର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲାଗି ସତର୍କ କରାଇଲେଣି ବିଶେଷଜ୍ଞ

ଭୁବନେଶ୍ବର : ଖଣ୍ଡ ଖଣ୍ଡ ହୋଇ ଭୁଶୁଡ଼ିଯିବ କୋଣାର୍କର ଜଗମୋହନ। ଏବେଠାରୁ ଧୀରେ ଧୀରେ ଉଜୁଡ଼ିଯାଉଛି ସବୁ ସ୍ଥାପତ୍ୟ। ହଜିଯାଉଛି ଓଡ଼ିଶା ଶିଳ୍ପ ଚାତୁରିର ମୁକସାକ୍ଷୀ। ବେଳ ହୁଁ ସାବଧାନ ନହେଲେ, ଜଗମୋହନ ମଧ୍ୟରେ ଥିବା ବାଲି, ଗୁଳ୍ମଜାତୀୟ ବୃକ୍ଷରାଜି ଓ ଶିଉଳି ପୂରା ସ୍ଥାପତ୍ୟକୁ ମାଟିରେ ମିଶାଇ ଦେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସ୍ଲୋ ପଏଜନ୍‌ ଭଳି ପୂରା ମୁଖଶାଳାକୁ ଖାଇଦେବାକୁ ବସିଛି।

ବିଶେଷଜ୍ଞମାନଙ୍କର ଏଭଳି ସତର୍କବାଣୀ ପରେ କୋଣାର୍କକୁ ନେଇ ସବୁସ୍ତରରେ ଉଦବେଗ ପ୍ରକାଶ ପାଇଲାଣି। ଏହି ପ୍ରସଙ୍ଗକୁ ନେଇ ନିେଘାଡ ନିଦରେ ଶୋଇଥିବା ରାଜ୍ୟ ସରକାରଙ୍କର ମଧ୍ୟ ଚେତା ଫେରିଛି। ଘଟଣାକୁ ନେଇ ତନାଘନା କରିଛନ୍ତି। ଅନ୍ୟପକ୍ଷରେ ଏଏସ୍ଆଇ ନିଜ ଦୋଷ ଘୋଡାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି। ଆଇନରେ ବ୍ୟବସ୍ଥା ନାହିଁ ବୋଲି ଦ୍ବାହି ଦେଇ କେନ୍ଦ୍ର ସରକାରଙ୍କୁ ବିଭ୍ରାନ୍ତ କରିବା ଲାଗି କୌଣସି ସୁେଯାଗ ଛାଡୁନାହିଁ। ଗୁଳ୍ମଜାତୀୟ ବୃକ୍ଷରାଜି ଓ ଶିଉଳି ଛଡାଇ କୀର୍ତିରାଜି ସୁରକ୍ଷିତ କରିବା ଲାଗି କୌଣସି କଟକଣା ନାହିଁ। ଏପରିସ୍ଥଳେ ଗତ ୩୦ ତାରିଖରେ ନୂଆଦିଲ୍ଲୀରେ ହୋଇଥିବା ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷ ମୁହୂର୍ତରେ ହସ୍ତକ୍ଷେପ କରିବା ପରେ କେନ୍ଦ୍ର ସଂସ୍କୃତି ବିଭାଗ ମଧ୍ୟ ତତ୍ପରତା ଦେଖାଇଛନ୍ତି।

ବିଶେଷଜ୍ଞମାନଙ୍କର କହିବା ଅନୁସାରେ, କୋଣାର୍କ ଜଗମୋହନ ମଧ୍ୟରେ ଥିବା ବାଲି ପାଣି ସଂସ୍ପର୍ଶରେ ଆସିବା ପରେ ସୃଷ୍ଟି ହୋଇଥିବା ଶିଉଳି ଓ ଗୁଳ୍ମ ଜାତୀୟ ଉଦ୍ଭିଦରାଜିର ଚେର ପଥରର ଯୋଡ଼େଇ ଅଂଶକୁ ପଶି କୋଣାର୍କ ଜଗମୋହନ ପାଇଁ ମହାବିପତ୍ତିକୁ ଡାକି ଆଣିଲାଣି। ଚେର ପଥରର ଯୋଡ଼େଇ ଅଂଶକୁ ଚରି ଯାଉଥିବାରୁ ପଥର କାଳକ୍ରମେ ଗୁଣ୍ଡ ହୋଇଯାଉଛି। ଅଥଚ ଏହା ଭିତରକୁ କେହି ଯାଉନାହାନ୍ତି କି ସେହି ଗୁଳ୍ମ ଓ ଶିଉଳିକୁ ମାରିବା ପାଇଁ କୀଟନାଶକର ପ୍ରୟୋଗ କରାଯାଉନାହିଁ। ଫଳରେ ଯୋଡ଼େଇ ଅଂଶ କ୍ରମଶଃ ଦୁର୍ବଳ ହୋଇ ପଥର ଖସିବା ପରିସ୍ଥିତି ସୃଷ୍ଟି ହେଲାଣି।

ଏନେଇ ‘ୟୁନେସ୍କୋ’ ବାରମ୍ବାର ହସ୍ତକ୍ଷେପ କରି ଜଗମୋହନ ମଧ୍ୟରୁ ବାଲି କାଢ଼ିବା ପାଇଁ କହିଥିଲେ ହେଁ ଏଏସ୍‌ଆଇ ପ୍ରତିଥର ଏହି ପ୍ରମୁଖ ବିଷୟକୁ ଏଡାଇ ଚାଲିଛି। ସବୁଠୁ ବଡ଼ ଉଦାହରଣ ହେଉଛି, ୧୯୮୨ ମସିହାରେ ମନ୍ଦିର କାନ୍ଥରେ ଏକ ଫାଟ ସୃଷ୍ଟି ହୋଇଥିଲା। ଏହି ଫାଟ କ୍ରମଶଃ ମେଲୁଛି କି ନାହିଁ ଜାଣିବା ପାଇଁ ଫାଟକୁ କାଚ ଦ୍ବାରା ଲକ୍‌ କରାଯାଇଥିଲା। ସେହି କାଚ ଏବେ ଫାଟି ଯିବା ପରେ କାନ୍ଥର ଫାଟ ଯେ ଆସ୍ତେଆସ୍ତେ ମେଲୁଛି ତାହା ସ୍ପଷ୍ଟ ହୋଇଛି। ତା’ ପରେ ବି ଏଏସ୍‌ଆଇ କେବଳ ଭଙ୍ଗା ସ୍ଥାନରେ ସାଧାରଣ ପଥର ଯୋଡ଼ି ଦେଇ ଚୁପ୍‌ ବସିଯାଇଛି। ୧୯୫୦ ମସିହା ପରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାକୁ ନେଇ ୧୫ଥର କମିଟି ଆସିଛି, ତଥାପି ମନ୍ଦିରର ମୁଖ୍ୟ ଶତ୍ରୁ ସାଜିଥିବା ବାଲି କାଢ଼ିବା ପାଇଁ ଏପର୍ଯ୍ୟନ୍ତ ଚେଷ୍ଟା ହୋଇନାହିଁ।

ଏ ନେଇ ଅର୍କକ୍ଷେତ୍ର କୋଣାର୍କର ଲେଖକ ବିଶିଷ୍ଟ ଗବେଷକ ତଥା କଳିଙ୍ଗ ଐତିହ୍ୟ ସଂରକ୍ଷଣ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଅନିଲ୍‌ ଦେ କହିଛନ୍ତି ଯେ ଶହେ ବର୍ଷ ତଳୁ ଜଗମୋହନ ମଧ୍ୟରେ ବାଲି ଭର୍ତି କରାଯାଇଥିଲା। ମନ୍ଦିର ଅଗ୍ରଭାଗରେ ଏକ ୩ ଇଞ୍ଚର କଣା କରି ସେତେବେଳେ ବାଲି ଭର୍ତି କରାଯାଇଥିଲା। ବାଉଁଶରେ କେଞ୍ଚି ବାଲିକୁ ଜାମ୍‌ ଦିଆଯାଇଥିଲା। ବିଶାନ୍‌ସ୍ବରୂପ ତାଙ୍କର ‘ବ୍ଲାକ୍‌ ପାଗୋଡ଼ା ଅଫ୍‌ ଓଡ଼ିଶା’ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ମାତ୍ର ବାଲି ଦେବା ପରେ ଏହା ସେତିକି ମଜବୁତ ‌ହୋଇନଥିଲା। ବରଂ ୧୯୮୭ ମସିହାରେ ଦେଖାଗଲା ଯେ, ବାଲି ୧୨ ଫୁଟ ତଳକୁ ଖସି ଯାଇଛି। ପୁନର୍ବାର ୨୦୦୬ରେ ବାଲି ଆହୁରି ୪ ଫୁଟ ଖସି ଯାଇଥିବା ୟୁନେସ୍କୋ ଦ୍ବାରା ନିୟୋଜିତ ହୋଇଥିବା ପରାମର୍ଶ ସଂସ୍ଥା ‘ସିମ୍‌ଟେକ୍‌’ ପକ୍ଷରୁ ସୂଚନା ଦିଆଯାଇଥିଲା। ତେଣୁ ବାଲି ୧୬ ଫୁଟ ଖସିଯାଇଥିବାରୁ ତୁରନ୍ତ ବାଲି କାଢ଼ିବାକୁ କହିଥିଲେ। ମାତ୍ର ଏକଥାକୁ ବି ଏଏସ୍‌ଆଇ କର୍ଣ୍ଣପାତ କରିନାହିଁ।

ଶ୍ରୀ ଦେ ଆହୁରି କହିଛନ୍ତି, ୨୦୧୦ ମସିହାରେ ଦେଶ ବିଦେଶର ୬୫ ଜଣ ବିଶେଷଜ୍ଞଙ୍କୁ ନେଇ କୋଣାର୍କରେ ବିଶାଳ ବୈଠକ ବସିଥିଲା। ସେ ସମୟରେ ବାଲି କାଢ଼ିବା କାର୍ଯ୍ୟକୁ ଗୁରୁତ୍ବ ଦେଇ ୪ଟି ସବ୍‌କମିଟି ଏବଂ ୨ଟି ଷ୍ଟିୟରିଂ କମିଟି ଗଠନ ହେଲା। ଏଥିପାଇଁ ୯ ମାସ ସମୟ ଦିଆଗଲା। ମାତ୍ର କମିଟି ହିଁ ବସିଲା ନାହିଁ।

ଖାଲି ସେତିକି ନ‌ୁହେଁ, କେନ୍ଦ୍ର ନିର୍ମାଣ ଗବେଷଣା ପ୍ରତିଷ୍ଠାନ (ସିବିଆର୍ଆଇ) ପକ୍ଷରୁ ଯେବେ ଜଗମୋହନକୁ ଲେଜର ଥ୍ରିଡିରେ ସ୍କାନିଙ୍ଗ୍‌ କରାଗଲା ଏହା ମଧ୍ୟରେ ଅନେକ ପଥର ଭାଙ୍ଗି ଖସି ପଡ଼ିଥିବା ନଜରକୁ ଆସିଥିଲା। ଏକ ଲୁହା ବିମ୍‌ବଙ୍କା ହୋଇଯାଇଥିବା ବେଳେ ୬୨ ଫୁଟ ଲମ୍ବର ଫାଟ ଦୃଶ୍ୟମାନ ହୋଇଥିଲା। ଏସବୁ ଜାଣିବା ପରେ ମଧ୍ୟ ୟୁନେସ୍କୋ ତୁରନ୍ତ ବାଲି କାଢ଼ିବା ପାଇଁ କହିଥିବା କଥା ଏଏସ୍‌ଆଇର ମ‌ନେ ପଡ଼ିଲା ନାହିଁ। ବରଂ ଫାଟ ରିପୋର୍ଟକୁ ନାଲି ଫିତା ତଳେ ବାନ୍ଧି ଉପର ଚେହେରାକୁ ସଜାଡ଼ିବାକୁ ଲାଗିଛନ୍ତି ବୋଲି ସେ ‌କ୍ଷୋଭ ପ୍ରକଟ କରିଛନ୍ତି।

ଦୁର୍ଭାଗ୍ୟ ‌କଥା ଏୟା ଯେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ୫ଟି ମନ୍ଦିର ମଧ୍ୟରୁ ଏବେ ସୁଦ୍ଧା ବଞ୍ଚିଯାଇଥିବା ମୁଖଶାଳାକୁ ସମସ୍ତେ ଦେଖୁଛନ୍ତି। ଏହା ପ୍ରତି ଏବେ ବିପଦ ସୃଷ୍ଟି ହୋଇଥିଲେ ହେଁ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେପରି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା ଏଯାଏ ଦେଖାଯାଇନାହିଁ।

ଶ୍ରୀ ଦେ କହିଛନ୍ତି, ଇଜିପ୍ଟରେ ଆସ୍ବାନ୍‌ଡ୍ୟାମ୍‌ରେ ଜଳରାଶି ବଢ଼ିବା ପରେ ‌ଯେବେ ମିଶରର ଏକ ବୃହତ୍ତାକାର ପିରାମିଡ୍‌ପ୍ରତି ବିପଦ ସୃଷ୍ଟି ହେଲା, ସେତେବେଳେ ୟୁନେସ୍କୋ ପକ୍ଷରୁ ସେହି ପିରାମିଡ୍‌କୁ ଖଣ୍ଡଖଣ୍ଡ କାଟିନେଇ ତାହାକୁ ୩ଶହ ଫୁଟ ଉଚ୍ଚରେ ସ୍ଥାପିତ କରାଯାଇପାରିଲା। ସେହିଭଳି ମାଲେସିଆର ବୋରୋବୁଦୁର ମୋନାଷ୍ଟ୍ରି ତଥା ୭ମହଲା ବିଶିଷ୍ଟ ମଠ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସେଠାରୁ ୮ଲକ୍ଷ ପଥର ଖଣ୍ଡ କାଢ଼ି ସେଇ ୭ ମହଲା ଐତିହ୍ୟ ମଠକୁ ପୁନଃସ୍ଥାପନ କରାଯାଇଥିଲା। ମାତ୍ର ଜଗମୋହନ ମଧ୍ୟରୁ ଦୀର୍ଘ ବର୍ଷ ହେଲା ବାଲି କଢ଼ାଯାଇପାରୁନାହିଁ। ଯଦି ଏଏସ୍‌ଆଇ ଏହାର ଦାୟିତ୍ବ ନେଇ ପାରୁନାହିଁ ତେବେ ୟୁନେସ୍କୋକୁ କାହିଁକି ଛାଡ଼ି ଦେଉନାହିଁ ବୋଲି ଶ୍ରୀ ଦେ ପ୍ରଶ୍ନ କରିଛନ୍ତି।

ୟୁନେସ୍କୋ ପକ୍ଷରୁ ବଡ଼ବଡ଼ କୀର୍ତିରାଜିକୁ ସ୍ଥାନାନ୍ତର ଓ ଆଧୁନିକ ଉପାୟରେ ସଂରକ୍ଷଣ କରିବାର ଉଦାହରଣ ଥିବାରୁ କୋଣାର୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। କେବଳ ସେତିକି ନୁେହଁ, ଆସନ୍ତାକାଲି ବୈଠକରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଘଟଣା ସଂପର୍କରେ ଅଧିକ ଆେଲାଚନା କରିବା ଲାଗି ମଧ୍ୟ ବିେଶଷଜ୍ଞମାେନ ଆଶା େପାଷଣ କରିଛନ୍ତି।

ଆଜି ଉଚ୍ଚସ୍ତରୀୟ ବୈଠକ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଯୋଗଦେବେ, ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଉପସ୍ଥିତ ରହିବେ

ଭୁବନେଶ୍ବର : ଆସନ୍ତାକାଲି କୋଣାର୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟ ଅତିଥି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଦିନ ୧୨ଟା ବେଳେ ଡକାଯାଇଥିବା ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ, ଏଏସ୍‌ଆଇ ମହାନିେର୍ଦଶକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କାକଟପୁର ଓ ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଓ ନିର୍ଦେଶକ, ଇନ୍‌ଟାକ୍ ପକ୍ଷରୁ ଅମୀୟ ଭୂଷଣ ତ୍ରିପାଠୀ, ବିଶେଷଜ୍ଞ ଗୋପାଳ ଚନ୍ଦ୍ର ମିତ୍ର ଓ ପ୍ରଫେସର ସଂଜୟ ଆଚାର୍ଯ୍ୟ, କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାସ, କୋଣାର୍କ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସୁବାସ ନାଏକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକର ନିଷ୍କର୍ଷ ଉପରେ ଏବେ ସମଗ୍ର ରାଜ୍ୟର ଆଖି ରହିଛି।

ସମ୍ବନ୍ଧିତ ଖବର