ଅବି‌ଭକ୍ତ କୋରାପୁଟ, ମୟୂରଭଞ୍ଜ ବନ୍ଦ

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବି ତେଜିଲା

ଜୟପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦପାଳନ କରାଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ପ୍ରତି ବ୍ଲକରେ ବନ୍ଦ ପାଳନ ସଫଳ ହୋଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଡାକରାକ୍ରମେ ସକାଳ ୬ଟାରୁ ଅବିଭକ୍ତ କୋରାପୁଟକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଗୁଡ଼କକୁ ଅବରୋଧ କରାଯାଇଥିଲା। ଏପରିକି ଜାତୀୟ ରାଜପଥରେ ବି ରାସ୍ତାରୋକ କରାଯାଇଥିଲା। ଗତକାଲି ଠାରୁ ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ପାଗ ସଂପୂର୍ଣ୍ଣ କୋହଲା ରହିଥିଲା। ପ୍ରବଳ ଶୀତ ସତ୍ତ୍ବେ ଆନ୍ଦୋଳନ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ବନ୍ଦକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ୧୮ଟି ରୁଟ୍‌ରେ ସମସ୍ତ ବସ୍ ଚଳାଚଳ ବନ୍ଦ ରହିଥିଲା। ଅନ୍ୟପକ୍ଷରେ କୋରାପୁଟ ଏବଂ ରାୟଗଡ଼ା ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ନିର୍ଧାରିତ ସମୟ ଠାରୁ ପ୍ର‌ାୟ ଘଣ୍ଟାଏ ବିଳମ୍ବରେ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲା। ଜୟପୁର ଓ କୋରାପୁଟ ଦେଇ ଚଳାଚଳ କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ, ବିଶାଖାପାଟଣା-କରୁଣ୍ଡୁଲ ଏବଂ ଦୁର୍ଗ ଏକ୍ସପ୍ରେସକୁ ଜୟପୁର ଏବଂ କୋରାପୁଟ ଷ୍ଟେସନରେ ଅଟକା ଯାଇଥିଲା। ଯାହାଫଳରେ ଉପରୋକ୍ତ ଟ୍ରେନ ଗୁଡ଼ିକ ଅଧ ଘଣ୍ଟାରୁ ପ୍ରାୟ ଘଣ୍ଟାଏ ଷ୍ଟେସନରେ ଅଟକିବା ପରେ ଯାତ୍ରା କରିଥିଲା। ଯାହାଫଳରେ ରାସ୍ତାଘାଟ ଗୁଡ଼ିକ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶୂନଶାନ ହୋଇଯାଇ ଖାଁ ଖାଁ ଲାଗିଥିଲା। ଆନ୍ଦୋଳନ ଯୋଗୁଁ ଅବିଭକ୍ତ କେରାପୁଟ ଜିଲ୍ଲାରେ ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ପ୍ରଭାବିତ ହୋଇଥିବା ଆକଳନ କରାଯାଉଛି।

ୟୁପିଏସ୍‌ସି କୋଚି˚ ସେଣ୍ଟର ଖୋଲିବା ଦାବି: ବିଜେପିର ୧୨ ଘଣ୍ଟିଆ ବନ୍ଦ
ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ୟୁପିଏସ୍‌ସି କୋଚି˚ ସେଣ୍ଟର ଖୋଲିବା ଏବ˚ ଖାଲିଥିବା ଡାକ୍ତର ପଦବି ପୂରଣ ଦାବି ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଶାନ୍ତିପୂର୍ଣ୍ଣଭାବେ ସଫଳ ହୋଇଥିବା ଦଳ ଦାବି କରିଛି। ବର୍ଷାସତ୍ତ୍ବେ ସକାଳୁ ସକାଳୁ ବିଜେପି କର୍ମୀମାନେ ପିକେଟି˚ କରି ବାରିପଦା ସହର ସମେତ ଜିଲ୍ଲାର ସମସ୍ତ ଉପଖଣ୍ତ ଓ ବ୍ଲକ୍‌ରେ ସରକାରୀ କାର୍ଯ୍ୟାଳୟ, ଗାଡ଼ିମୋଟର, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନକୁ ବନ୍ଦ କରିଥିଲେ। ବନ୍ଦ ଫଳରେ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଶହ ଶହ ଟ୍ରକ୍‌ ଜାତୀୟ ରାଜପଥ ଉପରେ ଅଟକି ରହିଥିବା ଦେଖାଯାଇଥିଲା। ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଏହି ବନ୍ଦରେ ବରିଷ୍ଠ ନେତା ଜୀବନ ସାହୁ, ପରେଶ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ହାବଡ଼ା, ଯୁବନେତା କୁମାର ମଙ୍ଗଳମ୍‌, ଦିନେଶ ଦାସ, ପାୟଲ ରାୟ, ରଞ୍ଜନ ମହାନ୍ତ ପ୍ରମୁଖ ବନ୍ଦର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର