ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା : ଜଙ୍ଗଲରେ କ୍ରାଇମ୍‌ବ୍ରାଞ୍ଚର ଛାନବିନ୍‌

କୋରାପୁଟ/ପଟାଙ୍ଗୀ : କୋରାପୁଟର କୁନ୍ଦୁଲି ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ୩ଦିନ ପରେ ବି ଦୁଷ୍କର୍ମକାରୀଙ୍କୁ ଠାବ କରାଯାଇ ପାରିନାହିଁ। କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଧିକାରୀମାନେ ଘଟଣାସ୍ଥଳ ବୋଲି କୁହାଯାଉଥିବା ମେଞ୍ଜିଗୁଡା ଜଙ୍ଗଲକୁ ଯାଇ କିଛି ନମୁନା ସଂଗ୍ରହ କରିଥିଲେ। ସେପଟେ କୋରାପୁଟ ରେଞ୍ଜ ଡିଆଇଜି ଏସ. ସାଇନି ଓ ଏସ୍‌ପି କେ.ଭି. ସିଂହ ମଧ୍ୟ ତଦନ୍ତ ଜାରି ରଖିଛନ୍ତି। ଆଜି ଉଭୟ ପ୍ରଥମେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିିଥିଲେ ଓ ପରେ କୁନ୍ଦୁଲି ଡାକ୍ତରଖାନାକୁ ଯାଇଥିଲେ। ମାତ୍ର ଅପରାଧୀଙ୍କ ସଂପର୍କରେ ଏଯାଏଁ ଠୋସ୍‌ ସୂଚନା ମିଳିପାରିନାହିଁ।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେବା ପରେ ଗତକାଲି ବିଳମ୍ବିତ ରାତିରେ କୁନ୍ଦୁଲି ନିକଟରେ ଚାଲିଥିବା ରାସ୍ତା ଅବରୋଧ ହଟିଛି। ଫଳରେ ଜାତୀୟ ରାଜପଥ-୨୬ରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଡାକ୍ତର କହିଛନ୍ତି, ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ନାବାଳିକାଙ୍କ ଡାକ୍ତରୀ ମାଇନା ରିପୋର୍ଟ ମଧ୍ୟ ପୁଲିସକୁ ପ୍ରଦାନ କରାଯାଇଥିବା ଜଣାପଡିଛି। ତଦନ୍ତକୁ ଆଗକୁ ନେଇ ଆଜି ପୁଲିସ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି।

ଏସ୍‌ପି କହିଛନ୍ତି, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅତି ସତର୍କତାର ସହ ତଦନ୍ତ କରାଯାଉଛି। ଫରେନ୍‌ସିକ ଟିମ୍‌ ତଦନ୍ତରେ ସହାୟତା କରୁଛନ୍ତି। ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଖୁବଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଠାରେ ଉଲ୍ଲେଖଥାଉକିି, ପଟାଙ୍ଗୀ ଥାନା କୁନ୍ଦୁଲି ଅନ୍ତର୍ଗତ ମୂଷାଗୁଡ଼ା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ଗଣଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମକାରୀ ଯବାନ ପୋଷାକ ପିନ୍ଧିଥିଲେ ବୋଲି ପୀଡ଼ିତାର ପରିବାର ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର