କୋରାପୁଟ ଲୋକସଭା ଆସନ : କିଏ ପିନ୍ଧିବ ବିଜୟ ଶିରିପା?

ବିଜେପିର ଭରସା ମୋଦୀ ହାୱା, ବିକାଶକୁ ନେଇ ବିଜେଡି, ପରିବର୍ତନକୁ ନେଇ କଂଗ୍ରେସ ଆଶାବାଦୀ

ରାୟଗଡା : ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଲୋକସଭା ଆସନରେ ସରିଛି ଭୋଟ। ଇଭିଏମରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ। ଏବେ କିଏ ଜିତିବ, କିଏ ହାରିବ ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠାର ଅନ୍ତ ନାହିଁ। ଚା’ ଖଟିଠୁ ଆରମ୍ଭ କରି ଅଫିସ୍, ବଜାର, ହୋଟେଲ୍ ସବୁଠି ଗୋଟିଏ ଚର୍ଚା କାହା ମୁଣ୍ଡରେ ଲାଗିବ କୋରାପୁଟ ଲୋକସଭା ଆସନର ଶିରିପା। ମୋଦୀ ହାୱାରେ ବିଜେପି, ବିକାଶକୁ ନେଇ ବିଜେଡି, ପରିବର୍ତନ ଆଶାରେ କଂଗ୍ରେସ ବିଜୟ ଲକ୍ଷ୍ୟରେ ଅଛି। କିନ୍ତୁ ପ୍ରଚାରଠୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ଚର୍ଚାରେ ଥିବା ଏହି ଆସନରେ ଚଳିତ ଥର ନୂଆ ସମୀକରଣ ସମ୍ଭାବନାକୁ ଏଡ଼ାଇ ହେଉନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର ଏହା ସୂଚାଉଛି।

ଗୋଟିଏ ସମୟରେ କଂଗ୍ରେସର ଗଡ଼ ଥିଲା କୋରାପୁଟ ଲୋକସଭା ଆସନ। ୨୦୦୯ ନିର୍ବାଚନ ପରଠୁ ବିଜେଡି କିନ୍ତୁ କଂଗ୍ରେସ ରାସ୍ତାରେ କଣ୍ଟା ସାଜି ବିଜୟ ବାନା ଉଡ଼ାଇ ଆସୁଛି। ୨୦୦୯ରେ ବିଜେଡି ଜୟରାମ ପାଙ୍ଗୀ, ୨୦୧୪ରେ ଝିନ୍ନ ହିକକାଙ୍କୁ ପ୍ରାର୍ଥୀ କରି ଜିତାଇଥିଲା। ଚଳିତ ଥର ପୁଣି ପ୍ରାର୍ଥୀ ପରିବର୍ତନ କରି ମହିଳା କାର୍ଡ ଖେଳିଛି ବିଜେଡି। ୭ ବିଧାନସଭା ଆସନରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ମହିଳା ଭୋଟରଙ୍କ ଉପରେ ଆଖି ପକାଇ ଦଳ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଗତ ଦୁଇ ନିର୍ବାଚନରେ ବିଜେଡି ବିଜୟର ସୂତ୍ରଧର ପାଲଟିଥିବା ଆଦିବାସୀ ନେତା ଜୟରାମ ପାଙ୍ଗୀ ଦଳ ଛାଡ଼ି ବିଜେପିରୁ ପ୍ରାର୍ଥୀ ହେବା ଦଳ ପାଇଁ ଅଡ଼ୁଆ ହୋଇଛି। ପୁରୁଣା ବିଜୁ କର୍ମୀଙ୍କୁ ସାଙ୍ଗରେ ନେଇ ଜୟରାମ ବିଜେପି ଶିବିରରେ ଉତ୍ସାହ ସୃଷ୍ଟି କରିବା ସହ ବିଜୟ ଆଶା ସଞ୍ଚାର ସୃଷ୍ଟି କରିଛନ୍ତି। ଗୋଟିଏ ପଟେ ମୋଦୀ ହାୱା ଅନ୍ୟପକ୍ଷରେ ପାଙ୍ଗୀଙ୍କ ଲୋକ ସଂପର୍କ ଉଭୟ ବିଜେଡି ଓ କଂଗ୍ରେସକୁ ଚିନ୍ତାରେ ପକାଇଛି। ପୂର୍ବ ନିର୍ବାଚନଗୁଡ଼ିକରେ ବିଜେପିର ସ୍ଥିତି ଯଦିଓ କୋରାପୁଟ ଲୋକସଭା ଆସନରେ ଉତ୍ସାହଜନକ ନ ଥିଲା, କିନ୍ତୁ ଏଥର ଯୁବ ବର୍ଗ ଓ ସହରାଞ୍ଚଳ ଭୋଟର ମୋଦୀ ହାୱା ସପକ୍ଷରେ ଥିବା ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି। କିନ୍ତୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିକାଶର ମଙ୍ଗ ଧରିଥିବା ବିଜେଡି ବିକାଶର ନାରାରେ ବିଜେପିର ସବୁ ଅଙ୍କ ବିଗାଡ଼ିବା ଲକ୍ଷ୍ୟରେ ରହିଛି। ୨୦୧୪ ନିର୍ବାଚନରେ ମଧ୍ୟ ଏହି ଆସନରେ ବିଜେପି ସପକ୍ଷରେ ହାୱା ବହିଥିଲା। କିନ୍ତୁ ବିଜେପି ପ୍ରାର୍ଥୀ ମାତ୍ର ୮୯ ହଜାର ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ନିର୍ବାଚନ ପରେ ବିଜେପି ସ୍ଥିତି ଆହୁରି ଦୟନୀୟ ଅବସ୍ଥାକୁ ଚାଲି ଯାଇଥିଲା। ଯାହା ପଂଚାୟତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ। କିଛି ହାତ ଗଣତି ଜିଲ୍ଲା ପରିଷଦ ସିଟକୁ ଛାଡିଲେ ଦଳକୁ ଆଶାତୀତ ସଫଳତା ମିଳିନଥିଲା। କିନ୍ତୁ ୨୦୧୯ ନିର୍ବାଚନର ବର୍ଷକ ପୂର୍ବରୁ ଦୁଇ ଆଦିବାସୀ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏହି ଆସନରୁ ୯ଥର କଂଗ୍ରେସ ଟିକେଟରୁ ସାଂସଦ ହୋଇଥିବା ଡ. ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପିକୁ ଚାଲିଯିବା ପରେ ଦଳ ନୂଆ ଜୀବନ ପାଇଥିଲା।

ଏଣେ ୨୦୧୪ ନିର୍ବାଚନରେ କଂଗ୍ରେସ ମଙ୍ଗ ଧରିଥିବା ଗିରିଧର ଗମାଙ୍ଗ ବିଜେପିକୁ ଯିବା ପରେ କଂଗ୍ରେସ ଏଥର ଯୁବ ନେତୃତ୍ବକୁ ଗୁରୁତ୍ବ ଦେଇଥିଲା। ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲକାଙ୍କ ପୁଅ ଇଂ. ସପ୍ତଗିରି ଉଲ୍ଲକାଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ନିର୍ବାଚନ ସହ ସଂପୃକ୍ତି ନଥିବା ସପ୍ତଗିରି ଟିକେଟ୍ ପାଇବା ପରେ ଯେଉଁ ଜୋସରେ ମଇଦାନକୁ ଓହ୍ଲାଇଲେ ତାହା ନେତା, କର୍ମୀଙ୍କୁ ଉତ୍ସାହିତ କରି କଂଗ୍ରେସ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିଥିଲା ବୋଲି ଦଳୀୟ ସମର୍ଥକ କହୁଛନ୍ତି। ୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟି ଆସନରେ କଂଗ୍ରେସ ବିଜୟ ହେବାର ସମ୍ଭାବନା ଥିବାରୁ ଦଳ ଲୋକସଭା ଆସନରେ ମଧ୍ୟ ବିଜେଡି, ବିଜେପିକୁ ମାତ୍‌ ଦେଇପାରେ ବୋଲି ଦଳୀୟ ନେତା ଅଙ୍କ କଷୁଛନ୍ତି। ୧୯୫୭ ମସିହାରୁ ୨୦୦୪ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ସପକ୍ଷରେ ଫଳାଫଳ ଯାଇଥିବାରୁ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର