କନ୍ଦଳ କମାଇବାକୁ ନୂଆ ଫର୍ମୁଲା : ମୁହଁଫୁଲାଙ୍କୁ ପିଠି ଥାପୁଡ଼ା

କୋରାପୁଟ : ଟିକେଟ ବଣ୍ଟନ ପରେ ସବୁ ଦଳରେ ବିଦ୍ରୋହ ଦେଖା ଦେଇଥିଲା। କିଛି ନେତା ଖୋଲାଖୋଲି ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ। କିଛି ଭିତରେ ଭିତରେ ଚେର କାଟିବାକୁ ବାଟ ଖୋଜୁଥିଲେ। ପରେ ଏହାକୁ ସମ୍ଭାଳିବା ପାଇଁ ତିନ ଦଳରେ କସରତ ଆରମ୍ଭ ହୋଇ ଯାଇଥିଲା। ମୁହଁ ଫୁଲାଇଥିବା ଏହି ନେତାମାନେ ପିଠି ଥାପୁଡ଼ାରେ ଅଭିମାନ ଭାଙ୍ଗିଛନ୍ତି। ପୁଣି ଦଳ ପାଇଁ କାମ କରିବାକୁ ବାହାରିଛନ୍ତି।

ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଦଳ ଏଥର ଟିକେଟ ଦେଇନି। ଏହାକୁ ନେଇ ସେ ଆରମ୍ଭରୁ ଅସନ୍ତୁଷ୍ଟ ଥିଲେ। ଏପରିକି ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ଦିନ ପ୍ରଫୁଲ୍ଲ ପାଙ୍ଗୀଙ୍କ ଦେଖା ନ ଥିଲା। ମୁହଁ ଫୁଲାଇ ଆସି ନ ଥିଲେ। କିନ୍ତୁ ଏବେ ପୁଣି ବାହାରିଛନ୍ତି ପ୍ରଫୁଲ୍ଲ। ବୁଲି ବୁଲି ଦଳ ପାଇଁ ପ୍ରଚାର କରୁଛନ୍ତି। ଦଳର ପିଠି ଥାପୁଡ଼ାରେ ପାଙ୍ଗୀ ଖୁସ ହୋଇ ଯାଇଥିବା କୁହାଯାଉଛି। ଦଳ ପକ୍ଷରୁ ତାଙ୍କୁ କାମ କରିବାକୁ କୁହାଯାଇଥିଲା। କାମ କଲେ ଦଳ ଠିକଣା ସମୟରେ ଠିକ ପୁରସ୍କାର ଦେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେ କାମରେ ଲାଗି ପଡିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। କୋରାପୁଟ ବିଧାନସଭା ଆସନ ପାଇଁ ଗତଥର ପ୍ରାର୍ଥୀ ହୋଇଥିବା ରଘୁରାମ ମାଛଙ୍କର ମଧ୍ୟ ସମାନ ଅବସ୍ଥା। ଟିକେଟ ଆଶାରେ ସେ ଦୀର୍ଘଦିନ ଧରି ଭୁବନେଶ୍ବରରେ ଡେରା ପକାଇଥିଲେ। ରଘୁରାମ ପଡାଲଙ୍କୁ କେମିତି ଟିକେଟ ମିଳିବନି ସେ ଦିଗରେ ଲାଗି ପଡିଥିଲେ। ଶେଷରେ ଦଳ କିନ୍ତୁ ପଡାଲଙ୍କୁ ଭରସା କରିଥିଲା। ଏହାପରେ ରଘୁରାମ ମାଛ ଅସନ୍ତୁଷ୍ଟ ଥିଲେ। ଏପରିକି ଦଳ ଛାଡ଼ିବାକୁ ସଙ୍କେତ ଦେଇଥିଲେ। ଏପଟେ ମାଛଙ୍କୁ ଟିକେଟ ନ ମିଳିବା ପରେ ଲମତାପୁଟ ଅଂଚଳର କର୍ମୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମ‌ାନେ ମାଛଙ୍କୁ ସମର୍ଥନ କରିବା ସହ ବିଜେଡି ବିରୋଧରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଦଳର ଜିଲ୍ଲାସ୍ତରୀୟ ନେତା ଓ ରଘୁରାମ ପଡାଲ ଲମତାପୁଟରେ ପହଞ୍ଚିଥିଲେ। ସେମାନେ ଅସନ୍ତୁଷ୍ଟଙ୍କୁ ବୁଝାସୁଝା କରିବାରେ ସଫଳ ହୋଇଥିଲେ। ଯାହାଫଳରେ ଦଳରେ ଥିବା ଫାଟରେ ପ୍ୟାଚ ପଡିଥିବା କୁହାଯାଇଛି। ଏପଟେ ମାଛଙ୍କୁ ଦଳୀୟ ନେତାମାନେ କିଛି ଲୋଭନୀୟ ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହେଉଛି।

ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଟିକେଟରୁ ବଂଚିତ ହୋଇଥିବା ଅଶୋକ ପାଙ୍ଗୀ ମଧ୍ୟ ନେତାଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହୋଇଯାଇଛନ୍ତି। ଦଳ ଯାହା କାମ ଦେବ, ତାହା କରିବେ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି। ଏମାନଙ୍କ ବ୍ୟତୀତ ବହୁ ଅସନ୍ତୁଷ୍ଟ ନେତାଙ୍କୁ ଦଳ ମନାଇବାରେ ସଫଳ ହୋଇଛି। ଖାସ ସେଥିପାଇଁ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏଠାରେ ବହୁ ଦିନ ରହି ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ସ୍ଥିତି ସଜାଡିଛନ୍ତି। କେବଳ ବି‌ଜେଡି ନୁହେଁ, ସବୁ ଦଳରେ ଏମିତି ମୁହଁଫୁଲା ନେତାଙ୍କ ଅଭାବ ନ ଥିଲା।

କୋରାପୁଟ ବିଧାନସଭା ଆସନ ପାଇଁ ବିଜେପି ଟିକେଟ ପାଇବାରୁ ବଂଚିତ ହେବା ପରେ ପୂର୍ଣ୍ଣିମା ନାୟକ, ସଂଜୀବ କୁମାର ଓ ହରି ଖେମୁଣ୍ଡୁଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଏମାନଙ୍କ ଭିତରୁ ହରି ଖେମୁଣ୍ଡୁ ଦଳ ଛାଡ଼ି ବିଜେଡିରେ ମିଶିଥିଲା ବେଳେ ସଂଜୀବ କୁମାର ନୀରବ ରହିଛନ୍ତି। ତେବେ ପୂର୍ଣ୍ଣିମା ନାୟକଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। କଂଗ୍ରେସରେ ଅନ୍ୟ ଦଳଙ୍କ ଅପେକ୍ଷା ଆଶାୟୀ କମ ରହିଥିଲେ। ଯେହେତୁ ଦଳ ବିଧାୟକଙ୍କୁ ଟିକେଟ ଦଳ ବୋଲି ଆଗୁଆ ଘୋଷଣା କରିଥିଲା ତେଣୁ ଆଶାୟୀ ସାମ୍ନାକୁ ଆସି ନ ଥିଲେ। କୋରାପୁଟରେ କିନ୍ତୁ ବିଧାୟକ ନ ଥିବାରୁ କୃଷ୍ଣଚନ୍ଦ୍ର କୁଲଦୀପ, ନିମାଇଁ ସରକାର, ରମେଶ ବାଖିଆ ପ୍ରମୁଖ ଟିକେଟ ଦୌଡରେ ରହିଥିଲେ। କିନ୍ତୁ କୃଷ୍ଣଚନ୍ଦ୍ରଙ୍କୁ ଟିକେଟ ମିଳିବା ପରେ ଏମାନେ ସ୍ବାଭାବିକ ଭାବେ ଅସନ୍ତୁଷ୍ଟ ଥିଲେ। ଏପରିକି ନିମା‌ଇଁ ସରକାର ଦଳ ଛାଡ଼ିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ପରେ ଅଭିମାନ ଭାଙ୍ଗିଛି। ଦଳରେ ରହିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ତେବେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କି ନାହିଁ ତାହା ଏବେ ସନ୍ଦେହରେ ରହିଛି। ଏପଟେ ରମେଶ ବାଖିଆ ମନକୁ ବୁଝାଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ବିଭିନ୍ନ ଦଳରେ ଅସନ୍ତୁଷ୍ଟ ଥିବା ନେତା ଓ କର୍ମୀଙ୍କୁ ବୁଝାଇବା ପରେ ଦଳୀୟ ନେତା ଓ ପ୍ରାର୍ଥୀମାନେ ଢେର କସରତ କରୁଛନ୍ତି। କିଏ ପ୍ରତିଶ୍ରୁତି ଦେଉଛି ତ’ କିଏ କ୍ଷମା ମାଗି ସହଯୋଗ ଲୋଡ଼ୁଛି। ଦଳ ପାଇଁ ମିଳିମିଶି କାମ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଗୁପ୍ତ ବୈଠକ ଚାଲୁଛି। ଅସନ୍ତୁଷ୍ଟଙ୍କ ମାନ ଭଂଜନ ପାଇଁ ଏହି କସରତ ଭଲ କାମ କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀମାନେ କହିଛନ୍ତି। ତେବେ ଏହି ତାଳିପକା ସମାଧାନ ନିର୍ବାଚନ ସମୟରେ କେତେ କାମରେ ଆସିବ ତାହା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର