ଚୁକ୍ତିନାମାରେ ଅଟକିଛି କୋରାପୁଟ ଆଳୁ ଚିପ୍ସ କାରଖାନା, ଏବେ ମଉଳିବାରେ ଲାଗିଛି ଚାଷୀ ମହଲରେ ରହିଥିବା ଆଶା

ଜୟପୁର : କେବେ କୋରାପୁଟ ଆଳୁର ସ୍ବାଦ ଚାଖିବ ସାରା ବିଶ୍ବ। ଓଡ଼ିଶା କାହିଁକି ସାରା ବିଶ୍ବରେ କେବେ ମିଳିବ କୋରାପୁଟ ଆଳୁରୁ ଉତ୍ପାଦିତ ଆଳୁଚିପ୍ସ। କେବେ‌ଠାରୁ ଆରମ୍ଭ ହେବ ଏହି ପ୍ରକଳ୍ପ ? କୋରାପୁଟ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିବା ବେଳେ ଏହାର ସ୍ଥିତି କଣ ଏବଂ କାର୍ଯ୍ୟକାରିତାକୁ ନେଇ ଜିଲ୍ଲାବାସୀଙ୍କ ମହଲରେ ଉତ୍ସୁକତା ଦେଖାଦେଇଛି । କୋରାପୁଟ ଜିଲ୍ଲା ପଟାଙ୍ଗି ଠାରେ ପେପ୍ସିକୋର ଏକ ଫ୍ୟାକ୍ଟ୍ରିର ପତିଷ୍ଠା ହେବ ବୋଲି କୁ‌ହାଯାଇଥିଲା । ଏଥିନେଇ ଉଦ୍ୟାନ କୃଷି ବିଭାଗ ଓ ପେପ୍ସି କମ୍ପାନି ମଧୢରେ ଚୁକ୍ତିନାମା ସ୍ବାକ୍ଷର ହେବାକୁ ବର୍ଷଟିଏ ବିତିଥିବା ବେଳେ ଏହି ପ୍ରକଳ୍ପର ଅଗ୍ରଗତି ହୋଇନଥିବା ଯୋଗୁଁ ଚାଷୀ ମହଲରେ ରହିଥିବା ଆଶା ଏବେ ମଉଲିବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ ଆଳୁ ଉତ୍ପାଦନ ପାଇଁ କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, ପଟାଙ୍ଗୀ, ବନ୍ଧୁଗାଁ, ଦଶମନ୍ତପୁର ଓ ଲକ୍ଷ୍ମୀପୁରର ଜଳବାୟୁ ଅତ୍ୟନ୍ତ ଉପଯୋଗୀ। ଏହି ଅଞ୍ଚଳରେ ପ୍ରାୟ ୧୨ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯାଏ। ଶୀତଳଭଣ୍ତାରର ଅଭାବ ଓ ସରକାରୀ ପ୍ରେତ୍ସାହନ ନ ମିଳିବାରୁ ପ୍ରତିବର୍ଷ କୋରାପୁଟରୁ ହଜାର ହଜାର କୁଇଣ୍ଟାଲ ଆଳୁ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ। ପାହାଡ ପର୍ବତ ଘେରା କୋରାପୁଟ ଜିଲ୍ଲାରେ ବିଭିନ୍ନ କିସମର ଆଳୁ ଚାଷ ଉଭୟ ରବି ଓ ଖରିଫ ଋତୁରେ ହୋଉଥିବା ବେଳେ କେବଳ ଖରିଫ ଋତୁରେ ହେଉଛି ଚିପସୋନା କିସମର ଆଳୁ ଚାଷ। ଆଳୁ ଚିସ୍ପ କାରଖାନା ହେବ ଏବଂ ଏହି ଅଂଚଳର ଚାଷୀ ଉପକୃତ ହେବେ ବୋଲି ବେଶ ଆଶାବାଦୀ ରହିଥିବା ବେଳେ କଂପାନି ପ୍ରତିଷ୍ଠାର ମୂଳ ପ୍ରକ୍ରିୟା ହିଁ ଆରମ୍ଭ ହୋଇପାରିନାହିଁ ।

ପଟାଙ୍ଗୀ ଓ ସେମିଳିଗୁଡା ମଝିରେ ଥିବା ୨୦ ଏକର ଜମିକୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଥିବା ବେଳେ କେବେ ଜମି ଅଧିଗ୍ରହଣ ହେବା ତାହା ସ୍ପଷ୍ଟ ସୂଚନା ମିଳୁନାହିଁ। ପ୍ରସ୍ତାବିତ ଚିହ୍ନଟ ସ୍ଥାନରେ ପ୍ରକଳ୍ପ ହେବ ନା ଅନ୍ୟ କେଉଁ ସ୍ଥାନରେ ହେବ ତାହାର ବି କିଛି ସ୍ପଷ୍ଟ ସୂଚନା ନାହଁ । ଅନ୍ୟପକ୍ଷରେ କୋରାପୁଟରେ ଆଳୁ ମିଶନରେ ସରକାରଙ୍କ ପକ୍ଷରୁ ପଟ୍ଟାଙ୍ଗୀ, ନନ୍ଦପୁର, ସେମିଳିଗୁଡା, ଦଶମନ୍ତପୁର, ଲକ୍ଷ୍ମୀପୁର, କୋରାପୁଟ, ନାରାୟଣପାଟଣା, ବନ୍ଧୁଗାଁରେ ୧୩୭ଜଣ ଚାଷୀଙ୍କର ପ୍ରାୟ ୪୩ ହେକ୍ଟର ଜମିରେ ୬୪୦ କୁଇଣ୍ଟାଲ ଆଳୁ ବିହନ ଲଗାଯାଇଥିଲା। ଶୀତଳଭଣ୍ତାର ନଥିବାରୁ ଚାଷୀ ବାଧ୍ୟ ହୋଇ ଏହାକୁ ଶାଗମାଛ ଦରରେ ବିକ୍ରି କରିଥିଲେ । ବଡଜିଉନା ଗ୍ରାମର ଚାଷୀ ଅମର କହିଛନ୍ତି ଯେ ଯଦି କୋରାପୁଟ ଜିଲ୍ଲାରେ ଏପରି ଏକ କାରଖାନା ହେବାକୁ ଯାଉଛି ତେବେ ଆମ ପରି ଚାଷୀଙ୍କ ପାଇଁ ବଡ କଥା। ଗତବର୍ଷ କେଜି ପ୍ରତି ୩୩ ଟଙ୍କା ଦେଇ ଆଳୁ କିଣି ହେକ୍ଟର ହେକ୍ଟର ଜମିରେ ଲଗେଇଲୁ। ଏଥିରେ ପ୍ରଶାସନ ଢେର ସହଯୋଗରେ ଭଲ ଫଳ ମଧୢ ହୋଇଥିଲା। ଶୀତଳଭଣ୍ତାରର ଅଭାବ ଯୋଗୁଁ ଖରାଦିନେ ଆଳୁ ପଚିଗଲା। ଏହି କରଖାନା ହେଲେ ଆଳୁ ଚାଷୀଙ୍କ କଷ୍ଟ ଦୂର ହେବା ସହ ଜିଲ୍ଲାରେ ଅଧିକ ଚାଷୀ ଏହି ଚାଷ ପାଇଁ ଆକୃଷ୍ଟ ହେବେ ବୋଲି କହିଛନ୍ତି । ଏ ନେଇ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ କରଖାନା ପାଇଁ ପ୍ରାଥମିକ ତନାଘନା ଆରମ୍ଭ ହୋଇଛି। ଖୁବଶୀଘ୍ର ପରବର୍ତ୍ତିୀ କାର୍ଯ୍ୟପନ୍ଥା ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର