ନୂଆ ସମ୍ପର୍କ ଗଢ଼ିବ କୋରିଆ : ପୁଞ୍ଜିନିବେଶ କରିବାକୁ କୋରିଆ ଆଗ୍ରହୀ, କୃଷି, ମତ୍ସ୍ୟଚାଷ, ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ବ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା, ସହଯୋଗ ପାଇଁ ପ୍ରତିଶ୍ରୁତି

‘ଓଡ଼ିଶାଠୁ ଆନ୍ଧ୍ର ଭଲ’

ଭୁବନେଶ୍ବର : ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ୍‌ କିଲ୍‌ଙ୍କ ନେତୃତ୍ବରେ ଓଡ଼ିଶା ଆସିଥିବା ଏକ ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହ ଆସିଥିବା କୋରିଆ ଶିଳ୍ପ ଜଗତର ୯ ଜଣ ପ୍ରତିନିଧି ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଶିଳ୍ପାୟନକୁ ନେଇ ରାଜ୍ୟ ସରକାର ନିଜ ନୀତି ବିଷୟରେ ସୂଚନା ପ୍ରଦାନ କରିବା ପରେ ସେମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରଦର୍ଶନ କରିଛନ୍ତି େବାଲି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଶିଳ୍ପ ନୀତିକୁ ସେମାନେ ବହୁତ ପସନ୍ଦ କରିଥିବା ଶ୍ରୀ ମିଶ୍ର କହିଛନ୍ତି। ବିଶେଷକରି କୋରିଆର ଶିଳ୍ପ ଜଗତ ଓଡ଼ିଶା‌େର କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଏବଂ ସେବା କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ଦେଖାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

କୋରିଆ ପ୍ରତିନିଧି ଦଳକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ଓ କୋରିଆ ମଧ୍ୟରେ ବ୍ୟବସାୟ, ପୁଞ୍ଜିନିବେଶ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗିତା ବଢ଼ାଇବାର ବିଶେଷ ସୁଯୋଗ ରହିଛି। ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା‌ ଛଅଟି କ୍ଷେତ୍ର ଯଥା ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ, ପେଟ୍ରୋଲିୟମ୍, ରସାୟନ, ପେଟ୍ରୋକେମିକାଲ୍ସ, ବୟନ ଶିଳ୍ପ, ପର୍ଯ୍ୟଟନ ଏବଂ ଧାତୁର ଆନୁଷଙ୍ଗିକ ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ କୋରିଆର ଶିଳ୍ପ ପ୍ରତିନିଧିମାନେ ଆଗେଇ ଆସିବା ଦରକାର। ଏସବୁ ପାଇଁ ଭିତ୍ତିଭୂମି, ଶିଳ୍ପ ପରିବେଶ ଓ ମାନବ ସମ୍ବଳ କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ସରକାର ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ପ୍ରଚୁର ମାତ୍ରାରେ ଖଣିଜ ସମ୍ପଦ ଗଚ୍ଛିତ ରହିଛି । ନିବେଶକ ସଂଖ୍ୟା ବଢ଼ିଲେ ରାଜ୍ୟର ବକାଶ ଅଧିକ ଗତିଶୀଳ ହୋଇପାରିବ। ଏଥିସହିତ ରାଜ୍ୟ ଭିତରେ ଉତ୍ପାଦିତ ହେଉଥିବା ୫୦% ଖଣିଜ ପଦାର୍ଥରେ ମୂଲ୍ୟଯୋଗ (ଭାଲ୍ୟୁ ଆଡିସନ୍‌) କରିବା ଲାଗି ଭିଜନ ୨୦୩୦ ନାମରେ ଏକ ଭିଜନ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚି ସୂଚନା ଦେଇଥିଲେ ଯେ ୨୦ କୋଟି ଡଲାର ବିନିଯୋଗରେ ଓଡ଼ିଶା ଏକ ବିଶ୍ବ ସ୍ତରୀୟ କୌଶଳ କେନ୍ଦ୍ର ସ୍ଥାପନ କରୁଛି। ସେଥିରେ ୮ଟି ବିଷୟରେ ଦେଢ଼ ଲକ୍ଷ ଲୋକଙ୍କୁ କୌଶଳ ତାଲିମ ପ୍ରଦାନ କରାଯିବ । ଶିଳ୍ପ ସଚିବ ହେମନ୍ତ ଶର୍ମା କୋରିଆର ପ୍ରତିନିଧିମାନଙ୍କୁ କୋରିଆ ଭାଷାରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

‘ଓଡ଼ିଶାଠୁ ଆନ୍ଧ୍ର ଭଲ’

ଭୁବନେଶ୍ବର : ୧୪ ବର୍ଷ ପୂର୍ବେ ଦକ୍ଷିଣ କୋରିଆର ଇସ୍ପାତ କଂପାନି ପୋସ୍କୋ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଚାହିଥିଲା। ବୁଝାମଣା ପତ୍ର ସ୍ବାକ୍ଷର ହୋଇଥିଲା। ଦୀର୍ଘ ବର୍ଷର ‌ଉଦ୍ୟମ ସତ୍ତ୍ବେ ଅନେକ କାରଣ ଯୋଗୁ ସେହି ପ୍ରକଳ୍ପ ଆଗକୁ ବଢ଼ିପାରିନଥିଲା। ଯଦିଓ ଓଡ଼ିଶାରେ ସେହି ପ୍ରକଳ୍ପ ସ୍ଥାପନ ହୋଇପାରିନାହିଁ ତଥାପି ଆମେ ଏହି ରାଜ୍ୟ ସହିତ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଛୁ ବୋଲି ଓଡ଼ିଶା ଗସ୍ତରେ ଆସିଥିବା କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ୍‌ କିଲ୍ କହିଛନ୍ତି।

ହୋଟେଲ୍‌ ମେ’ଫେୟାରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ବଙ୍ଗ୍‌ କିଲ୍ କହିଲେ ଯେ ଓଡ଼ିଶା ସହିତ ଆମେ ଦୁଇଟି କ୍ଷେତ୍ରରେ ସମ୍ପର୍କ ଦୃଢ କରିବାକୁ ଆଗ୍ରହୀ। ତାହା ହେଉଛି ବ୍ୟବସାୟ ଓ ସଂସ୍କୃତି। ବ୍ୟବସାୟ କ୍ଷେତ୍ରରେ ରହିଥିବା ସୁଯୋଗର ସନ୍ଧାନ କରିବା ଲାଗି ଆମ ସହିତ ପ୍ରତିଷ୍ଠିତ କଂପାନିର ପ୍ରତିନିଧିମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ନୂତନ ପୁଞ୍ଜିନିବେଶ ଏବଂ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ଏଠାରେ ରହିଥିବା ସୁଯୋଗକୁ ସେମାନେ ଜାଣିବାକୁ ପ୍ରୟାସ କରିବେ। କଂପାନିର ପ୍ରତିନିଧିମାନେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ‌ତେଣୁ ବର୍ତ୍ତମାନ ପରିସ୍ଥିତିରେ ପୁଞ୍ଜିନିବେଶକୁ ନେଇ ନିର୍ଦିଷ୍ଟ ଭାବେ କିଛି କହିହେବ ନାହିଁ। ମାତ୍ର ରାଜ୍ୟ ସରକାର ନିଜର ନୀତି ଏବଂ ପ୍ରୋତ୍ସାହନ ବିଷୟରେ ଯେଉଁ ସୂଚନା ଦେଇଛନ୍ତି ତାହାକୁ ସେମାନେ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ କିଛି ମାସ ଭିତରେ ଯଦି କୋରିଆର କୌଣସି କଂପାନି ଓଡ଼ିଶାରେ ପୁଞ୍ଜିନିବେଶ କରିବା ବିଷୟରେ ଘୋଷଣା କରନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ବଙ୍ଗ୍‌କିଲ୍ କହିଛନ୍ତି। ମାନୁଫାକ୍‌ଚରିଂ କ୍ଷେତ୍ରରେ ପୁଞ୍ଜିନିବେଶକୁ ନେଇ କିଛି ସମ୍ଭାବନା ରହିଛି କି? ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ କିଆ ପକ୍ଷରୁ ଗାଡ଼ି ଉତ୍ପାଦନ ଲାଗି ଆନ୍ଧ୍ରରେ ଏକ ବିଶାଳ କାରଖାନା ସ୍ଥାପନ କରାଯାଇଛି। ସେଠାରେ ବ୍ୟବସାୟ ପାଇଁ ଶ୍ରେଷ୍ଠ ପରିବେଶ ରହିଛି ଓ ସେଠାକାର ସରକାର ନିବେଶକମାନଙ୍କୁ ଶ୍ରେଷ୍ଠ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ଓଡ଼ିଶା ଯଦିଓ ନିବେଶକଙ୍କ ପାଇଁ ଏହାର ପରିବେଶକୁ ବେଶ ସହଜ କରିପାରିଛି, ତଥାପି ଏହାକୁ ଆହୁରି ବହୁତ ଦୂର ଯିବାକୁ ବାକି ଅଛି। ଶ୍ରେଷ୍ଠ ବ୍ୟବସାୟ ପରିବେଶ ହାସଲ କରିବା ଲାଗି ଓଡ଼ିଶାକୁ ଆହୁରି ସମୟ ଲାଗିବ ବୋଲି ସେ କହିଛନ୍ତି। କୋରିଆର ପାରମ୍ପରିକ ସଂସ୍କୃତିକୁ ଓଡ଼ିଶା ସହିତ ପରିଚିତ କରିବାକୁ ମଧ୍ୟ ଯୋଜନା ରହିଛି ବୋଲି ଶ୍ରୀ ବଙ୍ଗ୍‌ କିଲ୍‌ କହିଛନ୍ତି। କୋରିଆର ପ୍ରସିଦ୍ଧ କେ-ପପ୍ ସଂସ୍କୃତିକୁ ଓଡ଼ିଶା ଆଣିବାକୁ ପ୍ରୟାସ କରିବୁ। ଏହା ହେଉଛି ହିପ୍-ହପ୍, ଜାଜ୍ ନୃତ୍ୟ ଏବଂ ମନଛୁଆଁ ସଙ୍ଗୀତର ଏକ ମିଶ୍ରଣ ଯାହା କୋରିଆର ଯୁବିପିଢ଼ିଙ୍କ ମଧ୍ୟରେ ବେଶ ଚର୍ଚ୍ଚିତ। ଏଠାକାର ଲୋକ ଏହି ନୃତ୍ୟ କଳାକୁ ବହୁତ ପସନ୍ଦ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର