କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟଭରା ପଥର କଢ଼ାଯିବା ନେଇ ଏଏସ୍‌ଆଇ ଉପରେ ବର୍ଷିଲେ ବିଜୟ ମହାପାତ୍ର ଓ ନରସିଂହ ମିଶ୍ର

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟଭରା ପଥର କଢ଼ାଯିବା ଅଭିଯୋଗ ପ୍ରସଙ୍ଗରେ ଆର୍କୋଲଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର (ଏଏସଆଇ) ସ୍ପଷ୍ଟୀକରଣ ପରେ ଗତ ମଙ୍ଗଳବାର ସଚିବାଳୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟଭରା ପଥର କଢ଼ାଯିବା ଓ ଠିକ ଭାବେ ରକ୍ଷଣାବେକ୍ଷଣ କରା ନ ଯିବା ପ୍ରସଙ୍ଗରେ ଅବହେଳାକୁ ନେଇ ଗୁରୁବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଏସଆଇ ଉପରେ ବର୍ଷିଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏଏସଆଇ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, କୋଣାର୍କ ମନ୍ଦିର ଆଦୌ ସୁରକ୍ଷିତ ନୁହେଁ । ଏତେ ବର୍ଷ ଦାୟିତ୍ୱ ନେବା ପରେ ଏଏସଆଇ ପାଇଁ ମନ୍ଦିର ଭୁଷୁଡିବାକୁ ବସିଛି । କୋଣାର୍କ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଯାଇ ସାଦା ପଥର ଲଗାଯାଇଥିଲା । ଏହି କାରୁକାର୍ଯ୍ୟପୂର୍ଣ୍ଣ ପଥର କେଉଁଠି ରଖିଛନ୍ତି କି ବିକ୍ରି କରିଛନ୍ତି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିଜୟ । ଆଗକୁ ସେ କହିଛନ୍ତି, ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚିଠି ଲେଖୁଥିବାବେଳେ ଅନ୍ୟପଟେ ସଂସ୍କୃତି ମନ୍ତ୍ରୀ ସମୀକ୍ଷା କରି ଏଏସଆଇକୁ କ୍ଲିନଚିଟ ଦେଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏଏସଆଇ ଡ଼ିଜି ତୁରନ୍ତ ଘଟଣାସ୍ଥଳ ପରଦର୍ଶନ କରି ଏକ ମାସ ମଧ୍ୟରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଜୟ ।

ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ କୋଣାର୍କରେ ସାଦା ପଥର ଲଗାଯିବା ଘଟଣାରେ ଏଏସଆଇକୁ ଦାୟୀ କରିଛନ୍ତି । ଏଏସଆଇ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଛି । ଏହି ପ୍ରସଙ୍ଗ ବିଧାନସଭା ଅଧିବେଶନରେ ଉଠାଯିବ ।

ସମ୍ବନ୍ଧିତ ଖବର