ହଳଧରଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଲା କୋଶଲ ଏକାଡେମି

ସାକେତଙ୍କ ବିରୋଧରୁ ମାମଲା ଉଠାଇନେଲେ ହଳଧର!

ସୋନପୁର : ପଦ୍ମଶ୍ରୀ ହଳଧର ନାଗ ହେଉଛନ୍ତି କୋଶଲି ଭାଷା ସଂସ୍କୃତିର ବାର୍ତ୍ତାବହ। ତାଙ୍କ ପ୍ରତି ଆଘାତ ଅର୍ଥ ସମଗ୍ର ପଶ୍ଚିମ ଓଡ଼ିଶା ପ୍ରତି ଆଘାତ ବୋଲି ମନେ କରାଯିବ। ଏପରିକି ପଦ୍ମଶ୍ରୀ ଶ୍ରୀ ନାଗ କୋଶଲ ସାହିତ୍ୟ-ସଂସ୍କୃତି ଏକାଡେମି ଓ କୋଶଲ ହେରିଟେଜ ଟ୍ରଷ୍ଟର ଉପସଭାପତି ଅଛନ୍ତି। ତେଣୁ ତାଙ୍କ ନାମରେ ଦାଖଲ ହୋଇଥିବା ମିଥ୍ୟା ମକଦ୍ଦମା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଲଢାଇ କରିବା ପାଇଁ ଏକାଡେମି ପକ୍ଷରୁ ନିଷ୍ପତ୍ତି ହୋଇଛି।

ଆଜି ଏକାଡେମି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏକାଡେମିର ସାଧାରଣ ସଂପାଦକ ଗୋରେଖନାଥ ସାହୁ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାବାସୀଙ୍କ ବ୍ୟବହୃତ ଭାଷାର ସାମ୍ବିଧାନିକ ମାନ୍ୟତା ଓ ସ୍ବତନ୍ତ୍ର ପ୍ରଦେଶ ଦାବିକୁ କେନ୍ଦ୍ରକରି ଅସହିଷ୍ଣୁ ହୋଇ କିଛି ମୁଷ୍ଟମେୟ ବ୍ୟକ୍ତି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ପୌରାଣିକ, ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ସ୍ଥିତିକୁ କେହି ବଦଳାଇ ପାରିବେ ନାହିଁ। ଭାଷା ଓ ପ୍ରଦେଶର ନାମକରଣ ସମ୍ପର୍କରେ କେନ୍ଦ୍ର ସରକାର ନିର୍ଣ୍ଣୟ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ, ଯୁଗ୍ମ ସଂପାଦକ ବ୍ରଜମୋହନ ଦାନୀ, ଶିକ୍ଷାବିତ ଶରତ ଚନ୍ଦ୍ର ମହାନ୍ତି, ବ୍ୟୋମକେଶ ଦାଶ, ଇନ୍ଦ୍ରମଣୀ ଦାଶ, ନିତ୍ୟାନନ୍ଦ ମାଝୀ, ଅଧ୍ୟାପିକା ମୀନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାରସ୍ବତ ସାଧକ ନରସିଂହ ପ୍ରସାଦ ଗୁରୁଙ୍କ ରଚିତ ବର୍ଣ୍ଣମାଳା ଲୋକାର୍ପିତ ହୋଇଥିଲା।

ସାକେତଙ୍କ ବିରୋଧରୁ ମାମଲା ଉଠାଇନେଲେ ହଳଧର!

ବରଗଡ଼ : ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟକୁ କୋସଲ ସାହିତ୍ୟ ଡଟ୍‌ ଇନ୍‌ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ୍‌ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ‌ଦୃଶ୍ୟକୁ ଅପ୍‌ଲୋଡ୍‌ କରାଯାଇଥିବା ପେଜ୍‌ରେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ଏହି ମାମଲା ନେଇ ହଳଧର ନାଗ ମେଲଛାମୁଣ୍ଡା ଥାନାରେ ଏତଲା ଦେଇଥିଲେ। କେସଲ ସାହିତ୍ୟ ଡଟ୍‌ ଇନ୍‌ ନାମକ ଉକ୍ତ ଫେସ୍‌ବୁକ୍‌ ପେଜ୍‌ରେ ତାଙ୍କ ଫଟୋ ଅପ୍‌ଲୋଡ୍‌ ହେବା ମାମଲାକୁ ନେଇ ହଳଧର ନାଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କେସଲବାଦୀ ନେତା ଗାଇସିଲାଟ୍‌ ବ୍ଲକ ବରୋମୁଣ୍ଡା ଗାଁର ସାକେତ ଭୂଷଣ ସାହୁଙ୍କ ନାମରେ ଗତ ୧୭ ତାରିଖ ଏତଲା ଦେଇଥିଲେ। ୧୮ ତାରିଖ ମେଲଛାମୁଣ୍ଡା ପୁଲିସ୍‌ ସାକେତଙ୍କୁ ଦିନତମାମ ଜେରା କରିବା ପରେ ଛାଡ଼ି ଦେଇଥିଲା। ବୁଧବାର ବିଳମ୍ବିତ ସଂଧ୍ୟାରେ ହଳଧର ନାଗ ଥାନାରେ ପହଂଚି ସାକେତଙ୍କ ବିରୋଧରେ ଦେଇଥିବା ମାମଲାକୁ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି। ସାକେତ ମଧ୍ୟ ଏହି ସମୟରେ ଥାନାରେ ଉପସ୍ଥିତ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର