କୋଟିଆରେ ସର୍ବଦଳୀୟ ବୈଠକ : ଧମକାଇଲେ ଆନ୍ଧ୍ର ନେତା

କୋରାପୁଟ : କୋଟିଆରେ ଆନ୍ଧ୍ରର ଦାଦାଗିରି ଓ ଜବରଦସ୍ତି ଗାଁ ଦଖଲ ଉଦ୍ୟମକୁ କେମିତି ପ୍ରତିହତ କରିହେବ ଓ କୋଟିଆବାସୀ କିପରି ବିକାଶର ସୁଫଳ ପାଇପାରିବେ ସେ ନେଇ ଚାଲିଥିଲା ସର୍ବଦଳୀୟ ବୈଠକ। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ନେତା ଏଥିରେ ଭାଗ ନେଇଥିଲେ। ଜିଲ୍ଲାର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ବି ଏଥିରେ ସାମିଲ ହୋଇଥିଲେ। କୋଟିଆର ଉନ୍ନତି ନେଇ ଚାଲିଥିଲା ବିଚାର ବିମର୍ଶ। ତେବେ ଏହି ବୈଠକ ସମୟରେ ଆନ୍ଧ୍ର ତେଲୁଗୁ ଦେଶମ୍‌ ପାର୍ଟିିର ଜଣେ ଯୁବନେତା ଖୋଲାଖୋଲି ଭାବେ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୋଟିଆରେ ଆନ୍ଧ୍ର ପଶିଛି ଓ ଆଗକୁ ଆହୁରି ଓଡ଼ିଶା ଭିତରେ ପଶିବ। ଓଡ଼ିଶାରେ ବି ତେଲୁଗୁ ଦେଶମ୍‌ ପାର୍ଟି ରାଜନୀତି କରିବ ଓ ଏଥିରେ କେହି ବାଧା ଦେଇ ପାରିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ବିବୃତି ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ଆନ୍ଧ୍ରର ଶାସନ କ୍ଷମତାରେ ଥିବା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟଙ୍କ ମତ କି ଉକ୍ତ ଯୁବନେତାଙ୍କ ବ୍ୟକ୍ତିଗତ ଆକ୍ଷେପ ସେ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ଆଜି କୋଟିଆରେ ‘ଆମ କୋଟିଆ’ ସଂଗଠନ ପକ୍ଷରୁ ସର୍ବଦଳୀୟ ବୈଠକ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇ କୋଟିଆର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହି ସଭାସ୍ଥଳରେ ଗୁପ୍ତଚର ଭଳି ଉପସ୍ଥିତ ଥିଲେ ଆନ୍ଧ୍ରର ଟିଡିପି ନେତା ରାଜେଶ ପୁତ୍ରା। ଏଥିନେଇ ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ପାଇବା ପରେ ତାଙ୍କୁ ଏ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଉତ୍ତରରେ ପୁତ୍ରା କହିଥିଲେ ଯେ, କୋଟିଆରେ ଓଡ଼ିଶା ସବୁକିଛି କରିଛି ବୋଲି କହୁଛି। କିନ୍ତୁ ଏଠାକାର ଲୋକେ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି। ଏଥିରୁ ଓଡ଼ିଶାର କାମ ନେଇ ପ୍ରମାଣ ମିଳୁଛି। ଲୋକମାନେ ଜାଣିଛନ୍ତି ଯେ, ଓଡ଼ିଶା ଅପେକ୍ଷା ଆନ୍ଧ୍ରରୁ ସେମାନେ ଅଧିକ ଫାଇଦା ପାଇବେ। କୋଟିଆକୁ ଆନ୍ଧ୍ରର ଅଧିକାରୀ ଆସିବା ପରେ ହିଁ ଓଡ଼ିଶାର ନିଦ ଭାଙ୍ଗିଲା। ଓଡ଼ିଶାର ଯଦି ଏ ଅଞ୍ଚଳ ପ୍ରତି ଏତେ ଦରଦ ଥିଲା, ତେବେ ଆଗରୁ କୁଆଡ଼େ ଯାଇଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଏ କଥା ବି କହିଥିଲେ ଯେ ୨୦୦୦ ମସିହାରେ ଚନ୍ଦ୍ରବାବୁ ନାଇଡୁ ବିଜେଡିକୁ ସହଯୋଗ କରିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଓଡ଼ିଶାକୁ ଆଗକୁ ନ ନେଇ ପଛୁଆ କରି ରଖିଛନ୍ତି। ଓଡ଼ିଶାରେ ଖଣି, ପାଣି, ବିଜୁଳି ସବୁ କିଛି ଥିଲେ ମଧ୍ୟ ଓଡ଼ିଶା ପଛରେ ପଡ଼ିଛି। ତେଣୁ ଓଡ଼ିଶାକୁ ଟିଡିପି ପ୍ରବେଶ କରିବ। ଏମିତିକି ଟିଡିପି ଓଡ଼ିଶାରେ ନିର୍ବାଚନ ଲଢ଼ିବ ଓ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରାଯିବ ବୋଲି ବାହାସ୍ଫୋଟ ମାରିବାକୁ ବି ପଛାଇନଥିଲେ ରାଜେଶ ପତ୍ରା।

୯ରେ କୋଟିଆ ଯିବ ଆନ୍ତଃବିଭାଗୀୟ କମିଟି

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ, ଆଧାର କାର୍ଡ ସହ ବିଭିନ୍ନ ସାମଗ୍ରୀ ବଣ୍ଟନର ଅଭିଯୋଗ ସମ୍ବନ୍ଧରେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ କଲ୍ୟାଣକାରୀ ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଏକ ଉଚ୍ଚସ୍ତରୀୟ ଆନ୍ତଃବିଭାଗୀୟ କମିଟି ଆସନ୍ତା ୯ତାରିଖରେ କୋଟିଆ ଅଞ୍ଚଳ ପରିଦର୍ଶନ କରିବେ। ଏହି କମିଟି ଆସନ୍ତା ୮ତାରିଖରେ କୋରାପୁଟ ଜିଲ୍ଲା ଗସ୍ତରେ ଯିବେ।

ଏହି ଆନ୍ତଃବିଭାଗୀୟ କମିଟିରେ ଆଇଜି ପୁଲିସ (ଏସ୍‌ଏପି) ସଂଜୀବ ପଣ୍ଡା, ରାଜସ୍ୱ ବିଭାଗ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ପଦପ୍ରଯୁକ୍ତ ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ନାୟକ, ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ (ସିଏଚ୍‌ ଆଣ୍ଡ୍‌ ଏସ୍‌) ଶଶଧର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ (ପ୍ଲାନ୍‌- ରାସ୍ତା) ଆଶୁତୋଷ ମଲ୍ଲିକ ସଦସ୍ୟ ରହିଛନ୍ତି। ଏହି କମିଟି ୮ତାରିଖ ସଂଧ୍ୟାରେ କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସ୍ଥାନୀୟ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବେ। ୯ତାରିଖରେ କୋଟିଆ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ। ଏହି କମିଟି କୋଟିଆ ଅଞ୍ଚଳ ପରିଦର୍ଶନ କରିବା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରାଜ୍ୟ ସରକାରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ରହିବାକୁ କୋଟିଆବାସୀଙ୍କ ଶପଥ

କୋରାପୁଟ/ପଟାଙ୍ଗୀ : ‘କୋଟିଆ ଓଡ଼ିଶାର। ଆମେ ଓଡ଼ିଶାର। ଆମ ମାଟି ଆମେ କାହାକୁ ଦେବୁ ନାହିଁ। ଆନ୍ଧ୍ର ଯିବୁ ନାହିଁ। ଓଡ଼ିଶାରେ ରହିବୁ।’ ଅବିକଳ ଏହି ଶବ୍ଦରେ ଆଜି ଶପଥ ନେଇଛନ୍ତି କୋଟିଆବାସୀ। ଏହି ପଞ୍ଚାୟତର ବିଭିନ୍ନ ଗାଁରୁ ଆସିଥିବା ମୁଖିଆମାନେ ନେତା, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଏମିତି ଶପଥ ନେଇଛନ୍ତି। କେବଳ ଏତିକି ନୁହେଁ, କୋଟିଆବାସୀଙ୍କୁ ଓଡ଼ିଶା ଭିତରେ ରଖିବାର ଦାୟିତ୍ୱ ସମସ୍ତେ ମିଳିମିଶି ନେବାକୁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। କୋଟିଆ ଓଡ଼ିଶାରେ ଥିଲା, ଭବିଷ୍ୟତରେ ବି ରହିବ। କୋଟିଆ ଲୋକଙ୍କୁ ଆନ୍ଧ୍ର ଯେତେ ଲୋଭ ଦେଖାଇଲେ ବି ସେମାନଙ୍କୁ ଆମ ପାଖରୁ ଛଡାଇ ନେଇ ପାରିବ ନାହିଁ ବୋଲି ବିଭିନ୍ନ ଦଳର ନେତା ଓ ଜନ ପ୍ରତିନିଧି ଖୋଲା ମଂଚରେ ଘୋଷଣା କରିଛନ୍ତି। ଏହା ସହିତ ଏହି ବୈଠକରେ ନେତା ଓ ବୁଦ୍ଧିଜୀବୀମାନେ ଯୋଗ ଦେଇ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଏପଟେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଏ. ଆଓ ଆଜି କୋଟିଆ ପଞ୍ଚାୟତର କେତୋଟି ବିବାଦୀୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସର୍ବଦଳୀୟ ବୈଠକରେ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରୁ ମୁଖିଆମାନେ ଯୋଗ ଦେଇ ସେମାନଙ୍କ ଅଭାବ, ଅସୁବିଧା କଥା କହିଥିଲେ। ସେମାନେ କହିଥିଲେ ଯେ, ଆମେ ଓଡ଼ିଶାର ମୌଳିକ ସୁବିଧା ପାଉନୁ। ସାବତ ପୁଅ ପରି କୋଟିଆକୁ ଅଣଦେଖା କରାଯାଉଛି। ଏହି ଅଂଚଳର ବିକାଶ କାମ ଓଡ଼ିଶା ସରକାର ଆଗେଇ ନେଲେ ଲୋକେ କାହିଁକି ଆନ୍ଧ୍ରକୁ ଯିବେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏପଟେ ଓଡ଼ିଶା ସରକାରଙ୍କ ତୁଳନାରେ ଆନ୍ଧ୍ର ଅଧିକ ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ଲୋକମାନେ ପଡୋଶୀ ରାଜ୍ୟ ଆଡକୁ ଢଳୁଥିବା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର