ଜୟପୁରରୁ ଲଢ଼ିବେ କୃଷ୍ଣ ସଗରିଆ!

କୋରାପୁଟ/ଜୟପୁର : ଜୟପୁର ବିଧାନସଭା ଆସନରୁ ଲଢ଼ିବେ ବିଏସପି ନେତା ତଥା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଖୋଦ୍‌ ସଗରିଆ ଆଜି ଏମିତି ସଙ୍କେତ ଦେଇଛନ୍ତି। ଏପରିକି ଜୟପୁର ବିଧାନସଭା ଅଂଚଳରେ ଆଜି ସାଧାରଣ ସଭା କରି ଜନ ସମର୍ଥନ ଲୋଡ଼ିଛନ୍ତି। କୃଷ୍ଣଙ୍କ ଏମିତି ନିଷ୍ପତ୍ତି କଂଗ୍ରେସ ସମୀକରଣକୁ ଓଲଟପାଲଟ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

କୋରାପୁଟର ପୂର୍ବତନ ବିଧାୟକ କଂଗ୍ରେସରୁ ଯିବା ପରେ ବିଏସପିରେ ଯୋଗ ଦେଇଥିଲେ। ତେବେ କେଉଁଠାରୁ ସେ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ କରି ନ ଥିଲେ। କୋରାପୁଟ କିମ୍ବା ଉପକୂଳ ଓଡ଼ିଶାର ଏକ ନିର୍ବାଚନ ମଣ୍ଡଳୀରୁ ସେ ପ୍ରାର୍ଥୀ ହେଉଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ସେ ବୋରିଗୁମ୍ମାରେ ଏକ ସାଧାରଣ ସଭା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଲୋକଙ୍କ ମତାମତ ନେବା ସହ ସେମାନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଫଳରେ ସେ ଜୟପୁରରୁ ପ୍ରାର୍ଥୀ ହେଉଥିବା ଜଣାପଡ଼ିଛି। ସଗରିଆ ମଧ୍ୟ ଏହାକୁ ଅସ୍ବୀକାର କରି ନାହାନ୍ତି। ସେ କହିଛନ୍ତି ଯେ, ଏଠାରେ ବିଏସପି ଓ ଏସପି ମେଣ୍ଟ କରି ଜଣଙ୍କୁ ପ୍ରାର୍ଥୀ ଦେବ। ସେ ଲଢ଼ିବା ନେଇ ବିଚାର ଚାଲିଛି। ଖୁବ ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ସଗରିଆ କହିଛନ୍ତି।

କୃଷ୍ଣଙ୍କ ଏମିତି ଇଙ୍ଗିତ ଜୟପୁର ରାଜନୀତିକୁ ଗରମ କରିବାର ଆଶଙ୍କା ଜଳ ଜଳ ଦିଶୁଛି। ସଗରିଆ କୋରାପୁଟର ବିଧାୟକ ଥିଲେ ମଧ୍ୟ ଜୟପୁରକୁ ବାଛିବା ଏକ ଭିନ୍ନ ସଙ୍କେତ ଦେଉଛି। କୁହାଯାଉଛି ଯେ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ରହିଥିବା ବିବାଦକୁ କେନ୍ଦ୍ର କରି ସଗରିଆ ପୁରୁଣା ରାଗକୁ ଶୁଝାଇବା ପାଇଁ ଜୟପୁରରୁ ନିର୍ବାଚନ ଲଢ଼ିବାକୁ ପସନ୍ଦ କରିଛନ୍ତି। ସଗରିଆ ବିଧାୟକ ଭାବେ ଲଢ଼ିଲେ, କଂଗ୍ରେସର ଭୋଟ ବିଭାଜନ ହେବାର ଆଶଙ୍କା ରହିଛି।

ଜୟପୁର ନିର୍ବାଚନମଣ୍ଡଳୀରେ ବିଏସପିର କିଛି ଭୋଟ ରହିଛି। ଗତ ୨୦୦୪ ନିର୍ବାଚନରେ ବିଏସପି ପ୍ରାର୍ଥୀ ପ୍ରକାଶ ମହାନ୍ତି ଏଠାରୁ ୭୪୨୯ ଖଣ୍ଡ ଭୋଟ ପାଇଥିଲେ। ଅବଶ୍ୟ ପରେ ଭୋଟ ହାର କମିଥିଲା। ୨୦୦୯ରେ ଦଳ ୧୬୮୩ ଖଣ୍ଡ ‌ଭୋଟ ପାଇଥିଲା। ଗତ ୨୦୧୪ ନିର୍ବାଚନରେ ବିଏସପି ପ୍ରାର୍ଥୀ ସଦା ନାୟକ ୧୧୧୫ ଖଣ୍ଡ ଭୋଟ ପାଇଥିଲେ। ଏହି ଆସନ ପାଇଁ ବିଜେଡି ପୂର୍ବରୁ ରବି ନାରାୟଣ ନନ୍ଦଙ୍କ ନାମ ଘୋଷଣା କରିଥିଲା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଟିକେଟ ଦେଇଛି। ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।

ସମ୍ବନ୍ଧିତ ଖବର