ନରସିଂହଙ୍କ ବିରୋଧରେ ବିଷୋଦ୍‌ଗାର କଲେ ସଗରିଆ

ଭୁବନେଶ୍ବର : ବିଧାୟକ ପଦରୁ ଇସ୍ତଫା ଦେଲା ପରେ କୃଷ୍ଣଚନ୍ଦ୍ର ସଗରିଆ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଶ୍ରୀ ମିଶ୍ରଙ୍କୁ ଏକ ଚିଠି ଲେଖି ନିଜ ଅସନ୍ତୋଷ ପ୍ରକାଶ କରିବା ସହ ଗଣମାଧ୍ୟମରେ ଖୋଲା ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶ୍ରୀ ମିଶ୍ରଙ୍କ ସୁସମ୍ପର୍କ ରହିଛି। ସେଥି ପାଇଁ ଦଳିତ ଓ ଆଦିବାସୀଙ୍କ ପାଇଁ ସେ ସବୁବେଳେ ଚୁପ୍ ରୁହନ୍ତି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ ସମୟ କାଢ଼ି ନ ଥିବା ଶ୍ରୀ ମିଶ୍ର ବିରୋଧୀ ଦଳ ନେତା ପଦରେ ଥାଇ ମଧ୍ୟ ଆଦିବାସୀ ଓ ଦଳିତଙ୍କ ସାମ୍ବିଧାନିକ ସୁରକ୍ଷାକୁ ନେଇ ମୁହଁ ଖୋଲୁ ନାହାନ୍ତି। କୁନ୍ଦୁଲି ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ନ୍ୟାୟ ନ ମିଳିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଲେ। କିନ୍ତୁ ତାଙ୍କ ଇସ୍ତଫାକୁ ରାଜନୀତିକରଣ କରି କିଛି ଦଳୀୟ ନେତାଙ୍କ ଚାପରେ ସେ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ।

ଶ୍ରୀ ସଗରିଆ ଆହୁରି ଅଭିଯୋଗ କରିଛନ୍ତି, ଶ୍ରୀ ମିଶ୍ରଙ୍କ ସହ ‌େସ ବହୁବାର ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। କିନ୍ତୁ ଶ୍ରୀ ମିଶ୍ର କେବେ ଏହାକୁ ଗୁରୁତ୍ବ ଦିଅନ୍ତି ନାହିଁ। ଉଚ୍ଚଶିକ୍ଷାରେ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଦାବି ସମ୍ପର୍କରେ ବିଧାନସଭା ଭିତରେ ପ୍ରଶ୍ନ ଉଠାଇଲା ‌େବଳେ ବିରୋଧୀ ଦଳ ନେତା ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଅନୁରୋଧ କରିବାକୁ। ତାଙ୍କ ପରାମର୍ଶ ମାନି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡ଼ିଥିଲେ। ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରସାରିତ ହେଲା। କିନ୍ତୁ ଶ୍ରୀ ମିଶ୍ର ଚୁପ୍‌ଚାପ୍ ବସି ରହିଲେ। ଦଳିତ ଓ ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଦିଗରେ ବିରୋଧୀ ଦଳ ନେତା ଭାବେ ତାଙ୍କର କ’ଣ କିଛି ଭୂମିକା ନ ଥିଲା ବୋଲି ଶ୍ରୀ ସଗରିଆ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ରଙ୍କ ସୁସମ୍ପର୍କର ଫାଇଦା ଉଠାଇ ଦଳିତ ଓ ଆଦିବାସୀ ସମାଜ କିଛି ଲାଭବାନ ହେବ ବୋଲି ଆଶା ଥିଲା। କିନ୍ତୁ ତାହା ବଦଳରେ ଅପମାନ ମିଳିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର