କୃଷି ଉପନିର୍ଦ୍ଦେଶକଙ୍କୁ ଧମକାଇଲେ କୁଚିଣ୍ଡା ବିଧାୟକ

ସମ୍ବଲପୁର : ଗୋଟିଏ ପଟେ ପାଟଣାଗଡ଼ର ପ୍ରଥମଥର ବିଧାୟକ ସରୋଜ ମେହେର ରାସ୍ତା ଉପରେ କଂଗାରୁ କୋର୍ଟ ବସାଇଥିଲାବେଳେ ଆଉ ଜଣେ ପ୍ରଥମଥର ବିଧାୟକ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର କିଶୋର ନାଏକ ମଧ୍ୟ କୃଷି ଅଧିକାରୀଙ୍କୁ ଧମକ ଚମକ ଦେଇଥିବା ଜଣାଯାଇଛି। ସମ୍ପୃକ୍ତ କୃଷି ଅଧିକାରୀଙ୍କ ଅଭିଯୋଗ ଅନୁସାରେ, ବିହନ ଯୋଗାଣ ଓ ଲ୍ୟାମ୍ପ୍‌ସ ଗୁଡ଼ିକୁ ଲାଇସନ୍‌ସ ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯୋଗ କରି କୁଚିଣ୍ଡା ବିଧାୟକ ଶ୍ରୀ ନାଏକ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଖଗେନ୍ଦ୍ରନାଥ ଜେନାଙ୍କୁ ଫୋନ କରିଥିଲେ। ଫୋନ୍‌ରେ ଶ୍ରୀ ନାଏକ ଏଥି ପାଇଁ କୃଷି ଉପନିର୍ଦ୍ଦେଶକଙ୍କୁ ଦାୟୀ କରି ଏହି ପଦବି ପାଇଁ ଯୋଗ୍ୟ ନୁହଁ ବୋଲି କହିଥିଲେ। ତୁମର ଅଫିସ ବନ୍ଦ କରିଦେବି ଓ ଚାକିରି ଖାଇଦେବି ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଧାୟକ ଶ୍ରୀ ନାଏକଙ୍କୁ ପଚାରିବାରୁ ସେ ଚାକିରି ଖାଇଦେବି ବୋଲି କହିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ସୋମବାର ସୁଦ୍ଧା ଚାଷୀଙ୍କୁ ବିହନ ନ ମିଳିଲେ କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଉପଖଣ୍ଡ କୃଷି କାର୍ଯ୍ୟାଳୟକୁ ବନ୍ଦ କରିଦେବା ସହ ଅନଶନରେ ବସିବି ବୋଲି କହିଥିବା ବିଷୟକୁ ସ୍ବୀକାର କରିଛନ୍ତି। ଜଣେ ଶାସକ ଦଳ ବିଧାୟକଙ୍କୁ କେମିତି ସୌଜନ୍ୟ ଜଣାଇବାକୁ ହୁଏ ତାହା କୃଷି ଅଧିକାରୀଙ୍କୁ ଜଣା ନାହିଁ ବୋଲି ବି ଶ୍ରୀ ନାଏକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର