ନୂଆ ପିଢ଼ିଙ୍କ ନିକଟରେ ଗାନ୍ଧୀଙ୍କ ଆଦର୍ଶ ପହଞ୍ଚାଇବା ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର : ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଚଳିତବର୍ଷ ମହତ୍ମା ଗାନ୍ଧୀଙ୍କ ୧୫୦ଜନ୍ମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଏ ଦିଗରେ କ’ଣ କରାଯାଇ ପାରିବ ତାହା ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଶ୍ରୀ ପ୍ରଶାନ୍ତ କହିଲେ, ଗାନ୍ଧୀଜୀଙ୍କ ଆଦର୍ଶକୁ ନୂଆପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ। ଗାନ୍ଧୀ ଏକ ବିରାଟ ନାଁ, ମାତ୍ର ତାଙ୍କ କାମ ହଜି ଯିବାକୁ ବସିଛି। ତେଣୁ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ କିଭଳି ତାଙ୍କ କାମକୁ ନୂଆ ପିଢ଼ିଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ପ୍ରଶାନ୍ତ କହିଥିଲେ।

‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକ କହିଲେ, ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଦେଶବ୍ୟାପୀ ପାଳନ କରାଯାଉଥିବା ବେଳେ ‘ସମ୍ବାଦ’ ଏଥିରେ ସାମିଲ ହେଉଛି। ‘ସମ୍ବାଦ’ର ଜନ୍ମ ସଂଖ୍ୟାକୁ ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏହାର ଶୀର୍ଷକ ରହିଛି ‘ଗାନ୍ଧୀ ଓ ଓଡ଼ିଶା’। ଏହାସହ ‘ଆମ ଓଡ଼ିଶା’ ପ୍ରକାଶନ ବିଭାଗ ପକ୍ଷରୁ ଗାନ୍ଧୀଜୀଙ୍କ ଦ୍ୱାରା ଲିଖିତ ଅନେକ ଲେଖାକୁ ଓଡ଼ିଆ ଭାଷାରେ ପ୍ରକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୦ଟି ସଂଖ୍ୟାରେ ଏହା ପ୍ରକାଶିତ ହେବ। ଆସନ୍ତା ଜାନୁଆରି ୩୦ତାରିଖ ସୁଦ୍ଧା ଏହା ପ୍ରକାଶିତ ହେବ। ଖବରକାଗଜ ମାଧ୍ୟମରେ ଗାନ୍ଧୀଙ୍କ ବିଚାରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମରେ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି, ଡ.ବିଶ୍ୱଜିତ, ଗାନ୍ଧୀ ୧୫୦ର ରାଜ୍ୟ ସମିତି ସଦସ୍ୟ ମିହିର ପ୍ରତାପ ଦାସ, ରାଷ୍ଟ୍ରୀୟ ଯୁବ ସଂଗଠନର ରାଜ୍ୟ ସଂଯୋଜକ ରଣଜିତ ଦେହୁରୀ ଓ ଗାନ୍ଧୀ ୧୫୦ର ମିଡିଆ ସେଲର ଆବାହକ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର