ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା : ଜୁଆରେ ହାରି ବନ୍ଧା ପଡ଼ିଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି କୁମାର ପୂର୍ଣ୍ଣିମା ନୀତି ପାଳିତ ହୋଇଯାଇଛି। ଜୁଆ ଖେଳରେ ହାରିବା ପରେ ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କଠାରେ ବନ୍ଧା ପଡ଼ିଛନ୍ତି। ମହାପ୍ରଭୁଙ୍କ ପ୍ରତିରୂପ ମାଧବ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ୭ ଦିନ ପାଇଁ ବନ୍ଧା ପଡ଼ିଛନ୍ତି। ଏ ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା। ପରମ୍ପରା ଅନୁଯାୟୀ, ଆଜି ଉଭୟ ବାହାର ଓ ଭିତର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନଧୂପ ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯରେ ବିଜେ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀ ସୁଦର୍ଶନ ଜଗମୋହନସ୍ଥିତ ଚ‌ଉଦୋଳାରେ ବସିଥିଲେ। ସେଠାରେ ପାଟପତନି ଲାଗି ପରେ ଚୁଳଲାଗି କରାଯାଇ ଚଉଦୋଳାରେ ବସାଇ ଝୁଲଣମଣ୍ଡପ ନିକଟକୁ ନିଆଯାଇଥିଲା। ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢ଼ିବା ପରେ ପଶ୍ଚିମଦ୍ବାର ବାଟ ଦେଇ ବଡ଼ଦେଉଳକୁ ପୁନର୍ବାର ଫେରିଥିଲେ। ରୁନ୍ଧା ଫିଟାଯିବା ପରେ ଶ୍ରୀ ସୁଦର୍ଶନ ସିଂହାସନକୁ ବିଜେ କରିଥିଲେ। ଚାରିବାଡ଼ରେ ମହାସ୍ନାନ ପରେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ କରିଥିଲେ। ସଂଧ୍ୟା ଆଳତି ପରେ ଚାରିବାଡ଼ରେ ସଂଧ୍ୟାଧୂପ ନୀତି ସଂପନ୍ନ ହୋଇଥିଲା। ଏହି ଭୋଗରେ ଶ୍ରୀସୁଦର୍ଶନଙ୍କ ବାଡ଼ରେ ପ୍ରସାଦ ଲାଗି ଓ ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଭୋଗ ପରେ ଦକ୍ଷିଣ ଘରୁ ମଦନମୋହନ ସିଂହାସନକୁ ବିଜେ କରିଥିଲେ। ମଦନମୋହନ ଓ ମା’ ଲକ୍ଷ୍ମୀ ଆଜ୍ଞାମାଳ ପାଇବା ପରେ ସାତପାହାଚ ପାଖରେ ଥିବା ପାଲିଙ୍କିରେ ବସି ଲକ୍ଷ୍ମୀମନ୍ଦିର ଜଗମୋହନ ଖଟ ଉପରେ ବିଜେ କରିଥିଲେ। ଏଠାରେ ଉଭୟ ଠାକୁର-ଠାକୁରାଣୀଙ୍କ ମଧ୍ୟରେ କଉଡ଼ି, ପଶା, ସକଟା ଆଦି ଖେଳ ହୋଇଥିଲା। ଏହାପରେ ଶୀତଳ ମଣୋହୀ ବଢ଼ି ଠାକୁର-ଠାକୁରାଣୀ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଏହାକୁ ବାହାର କୁମାର ଉତ୍ସବ କୁହାଯାଏ। ବାହାର କୁମାର ଉତ୍ସବ ପରେ ଭିତର କୁମାର ଉତ୍ସବ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର‌ ଭିତରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ପରେ ବଡ଼ସିଂହାର ଭୋଗ ବଢ଼ି ପାଣି ପଡ଼ିଥିଲା। ସିଂହାସନ ତଳେ ଜୁଆ, ସକଟା, ପଶା ଓ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଲକ୍ଷ୍ମୀଙ୍କଠାରୁ ମହାପ୍ରଭୁ ହାରିଯାଇଥିବାରୁ ଆଜିଠାରୁ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ପଡ଼ିଥିଲେ। ପରମ୍ପରା ଅନୁଯାୟୀ, ମାଧବ ହାତରେ ବିଜେ ହୋଇ ସାତଦିନ ଯାଏଁ ଲକ୍ଷ୍ମୀ ମନ୍ଦିରରେ ରହିବେ। ଅଷ୍ଟମୀ ଦିନ ଲକ୍ଷ୍ମୀ ମନ୍ଦିରରୁ ଆସି ସିଂହାସନରେ ବିଜେ କରିବେ।

ସମ୍ବନ୍ଧିତ ଖବର