ଟିକିରିଠାରୁ କୁନ୍ଦୁଲି ଯାଏଁ ନାରୀକୁ ସୁରକ୍ଷା ଏମିତି

କୁନ୍ଦୁଲି ମାମଲାରେ ଘେରିଲା ବିଜେପି

ସରକାରୀସ୍ତରରେ ତନାଘନା ଜାରି

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ଆଜି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି। ବିରୋଧୀ ଶିବିର ହଠାତ୍‌ ସକ୍ରିୟ ହୋଇପଡିବା ସହିତ ସରକାରଙ୍କୁ ତତ୍କାଳ ଘେରିବାକୁ ଭୁଲିନାହାନ୍ତି। ପୁରୀ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ଭୁବନେଶ୍ୱର ଓ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ବିକ୍ଷୋଭ କରିଛନ୍ତି। ସନ୍ଧ୍ୟାରେ ନବୀନ ନିବାସକୁ ବିଜେପି କର୍ମୀ ମାଡ଼ି ଚାଲିଥିବା ବେଳେ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

ଏପଟେ ଏହି ଘଟଣା ସରକାରଙ୍କୁ ବିଚଳିତ କରିଦେଇଛି। ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରର ଖୁସିରେ ପାଣି ଢାଳି ଦେଇଛି ଏ ପ୍ରସଙ୍ଗ। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ଆଜି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଅନୌପଚାରିକ ବୈଠକ କରିଥିଲେ। ସମୁଦାୟ ବିଷୟରେ ତନାଘନା କରାଯାଇଥିଲା। ଖୁବ୍‌ଶୀଘ୍ର ସରକାର କିଛି ପଦକ୍ଷେପ ନେଇପାରନ୍ତି ବୋଲି ସୂଚନା ମିଳୁଛି।

ତେବେ ନାରୀକୁ ସମ୍ମାନର ସ୍ଲୋଗାନ ସହିତ ଯୋଡି ହୋଇଥିବା ବିଜେଡି ସରକାର ରାଜ୍ୟରେ ନାରୀଙ୍କୁ ସୁରକ୍ଷା ଦେବାରେ ବାରମ୍ବାର ବିଫଳ ଘଟଣା ରାଜନୈତିିକ ପର୍ଯ୍ୟବେକ୍ଷକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିସ୍ମିତ କରୁଛି।

ଟିକିରି ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି କୁନ୍ଦୁଲି ପୀଡ଼ିତାଙ୍କ ପର୍ଯ୍ୟନ୍ତ କାହିଁକି କେହି ନ୍ୟାୟ ପାଉନାହାନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନା ପ୍ରଶାସନିକ ଉଦାସୀନତା ଦାୟୀ କିମ୍ବା ସରକାରଙ୍କ ସାମ୍ନାରେ ଆଉ କୌଣସି ବାଧ୍ୟବାଧ୍ୟକତା ରହିଛି, ତାହା ତର୍ଜମା କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ଉଲ୍ଲେଖଥାଉକି, ନ୍ୟାୟ ପାଇଁ ଲଢି ଲଢି ଶେଷରେ କୁନ୍ଦିଲି ପୀଡ଼ିତା ଆଜି ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ। କେଉଁଠାରେ ତ ନ୍ୟାୟ ମିଳିଲାନି, ଓଲଟା ତାଙ୍କର ହତ୍ୟାକାରୀକୁ ଗିରଫ କରିବାରେ ଉଭୟ କେନ୍ଦ୍ରର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ରାଜ୍ୟ ପୁଲିସର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଉଭୟ ଫେଲ୍‌ ମାରିଲେ।

କେବଳ ଏହି ଦୁଇଟି ଘଟଣାରେ ଏମିତି ହୋଇଛି ତା ନୁହେଁ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଣେ ହାଇସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ନୟାଗଡ଼ ଜିଲ୍ଲା ରାଜସୁନାଖଳା ଦୁଷ୍କର୍ମ ମାମଲା, କେନ୍ଦ୍ରାପଡ଼ାର େ଼ଡରାବିଶ ଥାନା ଅନ୍ତର୍ଗତ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଆଦି ମାମଲାରେ ମଧ୍ୟ ପୁଲିସ ନ୍ୟାୟ ଦେବା କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରିଆସୁଛି।

ଉଲ୍ଲେଖଥାଉକି, ଏସବୁ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏପରିସ୍ଥଳେ କାହିଁକି ଓ ପୁଣି କାହା ଚାପରେ ତଦନ୍ତ ନିର୍ଣ୍ଣାୟକ ମୋଡ଼ ନେଇପାରୁନାହିଁ କିମ୍ବା ପୀଡିତାଙ୍କୁ ନ୍ୟାୟ ସ୍ୱପ୍ନ ହୋଇଯାଉଛି, ତାହା ବୁଝାପଡୁନାହିଁ।

କେବଳ ଯେ ଅପରାଧୀକୁ ଗିରଫ କରିବା କ୍ଷେତ୍ରରେ ପୁଲିସ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ତା ନୁହେଁ, ମାମଲା ଦଣ୍ଡବିଧାନ ହାର ଓ ତଥ୍ୟ ଦେଖିଲେ ମାମଲାର ତଦନ୍ତ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ। ଜାତୀୟ ରେକର୍ଡ ବ୍ୟୁରୋର ସର୍ବଶେଷ ପରିସଂଖ୍ୟାନ ଅନୁଯାୟୀ, ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡିଶାରେ ବାର୍ଷିକ ଦଣ୍ଡବିଧାନ ହାର ମାତ୍ର ୬.୨ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ଏହାର ହାର ପ୍ରାୟ ୩ଗୁଣ। ବର୍ଷ ଆରମ୍ଭ ବେଳକୁ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୮୨,୩୬୪ ଟି ମାମଲା ଆମ ରାଜ୍ୟରେ ବିଚାରାଧୀନ ଥିବାବେଳେ ସେଥିରୁ ବର୍ଷରେ ମାତ୍ର ୬୩୦୪ଟି ମାମଲା ଫଏସଲା ହୋଇଥିଲା । ଏଥିରୁ ମାତ୍ର ୩୯୨ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୫୯୧୨ଟିରେ ଅଭିଯୁକ୍ତମାନେ ଖସି ଯାଇଥିଲେ । ମୋଟାମୋଟି ଭାବେ ବର୍ଷ ଶେଷବେଳକୁ ୯୨.୩ ପ୍ରତିଶତ ଅର୍ଥାତ୍‌ ୬୭,୦୫୭ ମାମଲା ବିଚାର ନହୋଇ ପଡିରହିଥିଲା ।

ସମ୍ବନ୍ଧିତ ଖବର