ହାଇକୋର୍ଟରେ କୁନ୍ଦୁଲି ମାମଲା

ତଦନ୍ତ ସଂପର୍କରେ ସବିଶେଷ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ କିମ୍ବା ଉପଯୁକ୍ତ ଏଜେନ୍ସି ଦ୍ୱାରା ତଦନ୍ତ ଦାବି କରି ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଘଟଣାର ତଦନ୍ତ ସଂପର୍କରେ ସବିଶେଷ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୁନ୍ଦୁଲି ଘଟଣାରେ କି ଭଳି ତଦନ୍ତ ହୋଇଥିଲା, ପୁଲିସ ସହିତ କେଉଁ ସଂସ୍ଥା,ଏଜେନ୍ସି ତଦନ୍ତ କରିଥିଲେ ଓ ତଦନ୍ତର ସ୍ଥିତି ସଂକ୍ରାନ୍ତରେ ଜୁନ୍‌ ୨୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ମାମଲାର ଶୁଣାଣି ଜୁଲାଇ ୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଜବାବ ଦାଖଲ ପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀଡିତାଙ୍କ ଭାଇ, ଉତ୍କଳ ଭାରତର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ଆଇନଜୀବୀ ଗୌତମ ସିଦ୍ଦିକି, ଅଚ୍ୟୁତାନନ୍ଦ ସ୍ୱାଇଁ, ଭାରତୀୟ ବିକାଶ ପରିଷଦ ଓ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଭଗବାନ ଛତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଡା, ଶ୍ରୀ ସ୍ୱାଇଁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଅନ୍ୟ ଆବେଦନକାରୀଙ୍କ ତରଫରୁ ଗୌତମ ସିଦ୍ଦିକି, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଅସ୍ମିୟ ରଂଜନ ମାଝୀ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତାଙ୍କ ଭାଇ ଛାତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର