ହାଇକୋର୍ଟରେ କୁନ୍ଦୁଲି ମାମଲା: ଆବେଦନକାରୀଙ୍କ ପ୍ରତିଜବାବ ଦାଖଲ

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ କିମ୍ବା ଉପଯୁକ୍ତ ଏଜେନ୍ସି ଦ୍ୱାରା ତଦନ୍ତ ଦାବି କରି ଦାୟର ଦୁଇଟି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତିଜବାବ ଦାଖଲ ହୋଇଛି। କୁନ୍ଦୁଲି ପୀଡିତାଙ୍କ ଭାଇ ଭଗବାନ ଛାତି ଓ ଉତ୍କଳ ଭାରତର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ପୀଡିତାଙ୍କ ମା’ଙ୍କ ପକ୍ଷରୁ ଦାୟର ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟାପଠ ମାଧ୍ୟମରେ ଜବାବ ଦାଖଲ କରାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପୀଡିତାଙ୍କ ମା’ଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧ରେ କୁନ୍ଦୁଲି ଘଟଣା ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁନ୍ଦୁଲି ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସ୍ୱାଇଁଙ୍କ ପକ୍ଷରୁ ବରିଷ୍ଠି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଭଗବାନ ଛାତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଡା, ଅନ୍ୟ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଅସ୍ମିୟ ରଂଜନ ମାଝୀ, ସେବତୀ ସୋରେନ୍‌ ଓ ସରକାରଙ୍କ ତରଫରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର