ଜୟପୁର : ବହୁଚର୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଆଜି ଜବାବସୁଆଲ ଶେଷ ହୋଇଛି। କୋରାପୁଟ ଜିଲ୍ଲା କୋର୍ଟରେ ୧୫ଜଣ ସରକାରୀ କର୍ମଚାରୀ ଓ ପୀଡିତାଙ୍କ ପରିବାର ଠାରୁ ସଂଗ୍ରହ ହୋଇଥିବା ବୟାନକୁ ଆଜି କୋର୍ଟରେ ତନକ୍ଷୀ କରାଯାଇଥିଲା। କମିଶନଙ୍କ ତଦନ୍ତ ପ୍ରକ୍ରିୟା ଶେଷ ହୋଇଯାଇଥିବାରୁ ସେପ୍ଟେମ୍ବର ମାସ ୨୫ ତାରିଖ ମଧ୍ୟରେ ସରକାରଙ୍କୁ ଏନେଇ ରିପୋର୍ଟ ଦିଆଯିବ ଜଣାପଡ଼ିଛି। ଏହି ରିପୋର୍ଟରେ ପୀଡିତାଙ୍କ ପରିବାର ଦେଇଥିବା ବୟାନ ଓ ୧୫ଜଣ ସରକାରୀ କର୍ମଚାରୀ ଦେଇଥିବା ସତ୍ୟପାଠ ସଂପର୍କରେ ବି ତଥ୍ୟ ରହିବ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜୟପୁରସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଏହି ମାମଲାର ସାକ୍ଷ୍ୟ ଗ୍ରହଣ ସହ ଆଜି ଜବାବ ସୁଆଲ କରାଯାଇଥିଲା। ୧୯ଜଣ ସାକ୍ଷୀଙ୍କ ଠାରୁ ଗ୍ରହଣ କରାଯାଇଥିବା ଦସ୍ତାବିଜକୁ କମିଶନ ବି.କେ. ମିଶ୍ରଙ୍କ ସମେତ କମିସନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ଉପସ୍ଥିତ ରହି ତନଖି କରିଥିଲେ। କମିଶନ ଏହି ମାମଲାରେ ମୁଖ୍ୟତଃ ୪ଟି ଦିଗ ଉପରେ ତଦନ୍ତ କରିଥିଲେ। କେଉଁ ପରିସ୍ଥିତିରେ ଅପରାଧ ଘଟିଲା ତାହାର ଘଟଣାକ୍ରମ, ଏହି ଅପରାଧ ପାଇଁ କିଏ କିଏ ଦାୟୀ, କେଉଁ ପରିସ୍ଥିତିରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ମାମଲା ସହ ଜଡିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା କମିଶନ ତଦନ୍ତ ସାପେକ୍ଷ ବୋଲି ମନେ କରିଥିଲେ ତାହାକୁ ତଦନ୍ତ ପରିସରଭୁକ୍ତ କରିଥିଲେ। ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ ହୋଇଥିବାବେଳେ ଏବେ ବେକଳ ତଦନ୍ତ ରିପୋର୍ଟ ସରକାରଙ୍କୁ ଦେବା ବାକି ରହିଲା।
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତବର୍ଷ ଅକ୍ଟୋବର ମାସ ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।