କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମକୁ ଦାମ ରାଉତଙ୍କ ସ୍ୱୀକାର

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାକୁ ସରକାର ମାନିଲେନି। ତଦନ୍ତକାରୀ ଅଧିକାରୀ, ଏସ୍‌ପିଙ୍କ ଠାରୁ ଆରମ୍ଭ କରି ପୁଲିସ ମହାନିର୍ଦେଶକ ପର୍ଯ୍ୟନ୍ତ ସମସ୍ତେ ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ କହି ମାମଲାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୃଷିମନ୍ତ୍ରୀ ଦାମ ରାଉତ ଆଜି ଏହି ଗଣଦୁଷ୍କର୍ମ ଘଟଣାକୁ ସ୍ୱୀକାର କରିଛନ୍ତି। କୋରାପୁଟ ଗସ୍ତ ବେଳେ ଲକ୍ଷ୍ମୀପୁରଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ‘‘ମୁଁ କ’ଣ, ମୋ ବାପା ବି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ସ୍ୱୀକାର କରିବେ। ଯିଏ ସ୍ୱୀକାର ନ କରିବ ସେ କାପୁରୁଷ।’’ ତେବେ କେଉଁ ପ୍ରମାଣ ଆଧାରରେ ଦାମ ଏଭଳି ମନ୍ତବ୍ୟ ଦେଲେ ସେ ବିଷୟରେ କିଛି କହି ନଥିଲେ। କୃଷିମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାଉତ କହିଥିଲେ ଗଣମାଧ୍ୟମ ଯୋଗୁଁ ହିଁ ଆଜିକାଲି ସବୁଆଡ଼େ ଅଶାନ୍ତି ବଢ଼ୁଛି। ତେବେ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଥିବା ଶ୍ରୀ ରାଉତଙ୍କ ଏହି ମନ୍ତବ୍ୟକୁ କେହି ବିଶେଷ ଗୁରୁତ୍ୱ ଦେଉଥିବା ମନେ ହେଉନି।

ସମ୍ବନ୍ଧିତ ଖବର