କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ଆଜିଠାରୁ ତଦନ୍ତ କମିଶନଙ୍କ ସାକ୍ଷ୍ୟ ଗ୍ରହଣ, ପ୍ରଥମ ଦିନରେ ଦୁଇ ଇନ୍ସପେକ୍ଟରଙ୍କୁ ଡାକରା

କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆସନ୍ତାକାଲି ଠାରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ। ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ନିକଟରେ ପ୍ରଥମ ଦିନ ସାକ୍ଷ୍ୟ ପ୍ରଦାନ କରିବେ ଦୁଇ ଜଣ ଇନ୍ସପେକ୍ଟର। ପଟାଙ୍ଗୀ ଥାନା ଅଧିକାରୀ ଓ ମାମଲାର ତଦନ୍ତ ଅଧିକାରୀ ଆସନ୍ତାକାଲି କମିଶନଙ୍କ ପାଖରେ ହାଜର ହେବା ପାଇଁ ସମନ ହୋଇଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଦୁର୍ବୃତ୍ତ ଏହି ଦୁଷ୍କର୍ମ କରିଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଥିଲେ। ପରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରି ଦେଇଥିଲେ। ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ କମିଶନ ବସାଇଥିଲେ। କୋରାପୁଟ ଜିଲ୍ଲା ଦୌରା ଜଜଙ୍କୁ ଏହି ମାମଲାର ତଦନ୍ତ କମିଶନ ଭାବେ ଦାୟିତ୍ୱ ଦିଆଯାଇଥିଲା। କମିଶନ ପୂର୍ବରୁ ସତ୍ୟପାଠ ଲୋଡିଥିଲା ବେଳେ ଗତ ୨୯ ତାରିଖରେ ଘଟଣାସ୍ଥଳକୁ ଯାଇଥିଲେ। ଆସନ୍ତାକାଲି ଠାରୁ ଏହି ମାମଲରେ ସାକ୍ଷ୍ୟ ଗ୍ରହଣ କରାଯିବ। ପ୍ରଥମ ଦିନରେ ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗୋ ଓ ମାମଲାର ତଦନ୍ତ ଅଧିକାରୀ ଏଚଆରପିସି ଇନ୍ସପେକ୍ଟର ମମତା ପାଣିଗ୍ରାହୀ ସାକ୍ଷ୍ୟ ପ୍ରଦାନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟମାନଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ ହେବ।

ଜୟପୁର କୋର୍ଟ ପରିସରରେ ଏହି ସାକ୍ଷ୍ୟ ଗ୍ରହଣ ହେବ ବୋଲି ଜଣାପଡିଛି। କମିଶନ ବି.କେ ମିଶ୍ରଙ୍କ ସମେତ କମିଶନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ଏହି ସାକ୍ଷ୍ୟ ଗ୍ରହଣ ସମୟରେ ଉପସ୍ଥିତ ରହିବେ। ଏହି ମାମଲାରେ ଦୁଇ ଇନ୍ସପେକ୍ଟର ସାକ୍ଷ୍ୟ ପ୍ରଦାନ କରିବା ସହ ଆବଶ୍ୟକ କାଗଜପତ୍ର ମଧ୍ୟ ଦାଖଲ କରିବେ ବୋଲି ଜଣାପଡ଼ିଛି। କମିଶନ ଏହି ମାମଲାରେ ମୁଖ୍ୟତଃ ୪ଟି ଦିଗ ଉପରେ ତଦନ୍ତ କରୁଛନ୍ତି। କେଉଁ ପରିସ୍ଥିତିରେ ଅପରାଧ ଘଟିଲା ତାହାର ଘଟଣାକ୍ରମ, ଏହି ଅପରାଧ ପାଇଁ କିଏ କିଏ ଦାୟୀ, କେଉଁ ପରିସ୍ଥିତିରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ମାମଲା ସହ ଜଡିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା କମିଶନ ତଦନ୍ତ ସାପେକ୍ଷ ବୋଲି ମନେ କରିବେ ତାହା ତଦନ୍ତ କରାଯିବ ବୋଲି କୁହାଯାଇଛି। ଏହାକୁ ନେଇ କମିଶନଙ୍କ ପକ୍ଷରୁ ସତ୍ୟପାଠ ଲୋଡା ଯାଇଥିଲା। ଦୁଇ ଥର ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପୀଡିତାଙ୍କ ପକ୍ଷରୁ କେହି ସତ୍ୟପାଠ ଦେଇ ନ ଥିଲେ। ଅପରପକ୍ଷରେ କେବଳ ସରକାରଙ୍କ ପକ୍ଷରୁ ୩ଟି ସତ୍ୟପାଠ ଦାଖଲ କରାଯାଇଥିଲା। ପରେ କମିଶନ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ତଥ୍ୟ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର