କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା : କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କୁନ୍ଦୁଲିରେ

କଟକ : କୋରାପୁଟ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଗ୍ରହଣ କରିଛି । ଏ ସଂକ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରିବା ସହିତ ୪ ଜଣିଆ ଟିମ୍‌ କୁନ୍ଦୁଲି ଯାଇଛନ୍ତି । ମେଡିକାଲ୍‌ ରିପୋର୍ଟ, ପୀଡ଼ିତାଙ୍କ ପରିବାରା ବୟାନ ଏବଂ ତଥାକଥିତ ଯବାନଙ୍କ ସଂପୃକ୍ତି ଅଭିଯୋଗକୁ ବି ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, କୁନ୍ଦୁଲି ଥାନା ଲେଞ୍ଜିଗୁଡ଼ା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକାଙ୍କୁ ୪ ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୁନ୍ଦୁଲି ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ପୀଡ଼ିତାଙ୍କ କୁନ୍ଦୁଲି ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା।   ତା’ ସହିତ ସମାନ୍ତରାଳ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ରହ୍ମପୁର ଏମ୍‌କେସିଜେ ମେଡିକାଲ୍‌ର ବରିଷ୍ଠ ଡାକ୍ତର ମଧ୍ୟ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରୁଥିଲେ । ଗଲା ୭ ତାରିଖରେ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ ଏଡିିଜି ମହେନ୍ଦ୍ର ପ୍ରତାପ ଗଣଦୁଷ୍କର୍ମ ହୋଇନଥିବା କହିବାରୁ ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା ।

ଗଲାକାଲି ରାଜ୍ୟ ସରକାର ଘଟଣା ରହସ୍ୟ ଉନ୍ମୋଚନ ପାଇଁ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରିବାକୁ ଘୋଷଣା କରିଛି । ଗଠନ ହୋଇଥିବା ଚାରି ଜଣିଆ ଟିମ୍‌ରେ କ୍ରାଇମ୍‌ବ୍ରାଞ୍ଚର ଜଣେ ଇନ୍‌ସ୍ପେକ୍ଟର ପାହ୍ୟାର ଅଧିକାରୀ ନେତୃତ୍ୱ ନେଉଛନ୍ତି । ଅନ୍ୟ ୩ ଜଣ ଅଫିସର ତାଙ୍କୁ ତଦନ୍ତରେ ସହଯୋଗ କରିବେ। ଏହି ଟିମ୍‌ ଆଜି ସକାଳୁ କଟକ ବକ୍ସିବଜାର କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରୁ କୁନ୍ଦୁଲି ଅଭିମୁଖେ ବାହାରିଛି । ବିଚାରବିଭାଗୀୟ କମିସନଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯିବା ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ୧୦ ତାରିଖରେ କୁନ୍ଦୁଲି ଥାନାରେ ମାମଲା ରୁଜୁ କରିବା ପରେ ୧୨ ତାରିଖରେ ଉଭୟ କ୍ରାଇମ୍‌ବ୍ରାଞ୍ଚ ଏବଂ ଫରେନ୍‌ସିକ ଲ୍ୟାବର ୫ ଜଣ ବରିଷ୍ଠ ଅଧିକାରୀ କୁନ୍ଦୁଲିରେ ପହଞ୍ଚି ଜିଲ୍ଲା ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ । ପାଖାପାଖି ୪ ଦିନ ରହିବା ପରେ ସେମାନେ ଫେରିଥିବା ସୂଚନା ମିଳିଛି ।

କୁନ୍ଦୁଲି ପୀଡ଼ିତା ଘରକୁ ଫେରିବା ନେଇ ସହମତି ହେଲାନି

କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ଘରକୁ ଫେରାଇ ନେବା ପାଇଁ ପରିବାର ଲୋକ କରିଥିବା ଦାବି ଉପରେ ସହମତି ହୋଇ ପାରିନି। ତେଣୁ ପୀଡିତାଙ୍କୁ ଏବେ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯିବ। ପ୍ରଶାସନର ହେପାଜତରେ ସେ ରହିବେ। ଅପରପକ୍ଷରେ ମାମଲାର ତଦନ୍ତ ପାଇଁ ୪ ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍‌ ଆଜି କୋରାପୁଟରେ ପହଞ୍ଚିଛି।

କୁନ୍ଦୁଲି ଗଣଦୁଷ୍କର୍ମ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା ବେଳେ ପୀଡିତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କୌଣସି ପ୍ରମାଣ ନଥିବା ପୁଲିସ କହିଥିଲା। ଏହା ପରେ ପୀଡିତାଙ୍କ ପରିବାର ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ପୀଡିତାଙ୍କୁ ଘରକୁ ଫେରାଇ ନେବା ପାଇଁ ସେମାନେ ଜିଦ୍‌ କରିଥିଲେ। ଏପରିକି ଗତକାଲି ସେ ରହୁଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ପହଞ୍ଚିଥିଲେ। ଶିଶୁ ମଙ୍ଗଳ କମିଟିର ବିନା ଅନୁମତିରେ ପୀଡିତାଙ୍କୁ ହସ୍ତାନ୍ତର କରାଯାଇ ପାରିବନି ବୋଲି ପୁଲିସ କହିଥିଲା। ଏହା ପରେ ପୀଡିତାଙ୍କ ପରିବାର ଶିଶୁ ମଙ୍ଗଳ କମିଟିର ଦ୍ୱାରସ୍ଥ ହୋଇଥିଲା। ପରେ ଶିଶୁ ମଙ୍ଗଳ କମିଟି ଘଟଣାର ତର୍ଜମା କରିବା ସହ ପୀଡିତାଙ୍କ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲା।

ଘର ଲୋକ କରୁଥିବା ଦାବି ଉପରେ କମିଟି ବିଚାର କରି କହିଥିଲା ଯେ, ପୀଡିତା ଓ ତାଙ୍କ ପରିବାର ଯଦି ଚାହୁଁଛନ୍ତି ତେବେ ତାଙ୍କୁ ଘରକୁ ନେଇ ପାରିବେ। କିନ୍ତୁ ଏହା ପୂର୍ବରୁ ପୀଡିତାଙ୍କ ସମସ୍ତ ଦାୟିତ୍ୱ ନେବାକୁ ପଡିବ ଏବଂ କୌଣସି ଅସୁବିଧା ହେଲେ ଦାୟୀ ରହିବେ ବୋଲି ଲିଖିତ ଭାବେ କମିଟିକୁ ଦେବାକୁ ପଡିବ। କମିଟିର ଏମିତି ସର୍ତ୍ତରେ ଘର ଲୋକ ରାଜି ହୋଇ ନ ଥିଲେ। ତେଣୁ ସେମାନେ ପୀଡିତାଙ୍କୁ ଘରକୁ ନ ନେଇ ଫେରି ଯାଇଥିଲେ। ପରବର୍ତ୍ତୀ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ପୀଡିତା ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରହିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର