ସମୟ ଗଡ଼ୁଛି, ରହସ୍ୟ ବଢ଼ୁଛି

କୁନ୍ଦୁଲିରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ୪ ଦିନ ପରେ ମଧ୍ୟ ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ସଫଳ ହୋଇ ପାରିନି। ଏପଟେ ସମୟ ଯେତିକି ଗଡ଼ୁଛି, ଘଟଣା ସେତିକି ରହସ୍ୟମୟ ହେବାରେ ଲାଗିଛି। ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧୀମାନେ କିଏ? କେଉଁଠୁ ଆସିଥିଲେ? ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଚାଲିଛି। ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ଦ୍ୱିତୀୟ ଥର ପାଇଁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏପଟେ ପୀଡ଼ିତାଙ୍କୁ ବିଭିନ୍ନ ସଂଗଠନର ପ୍ରତିନିଧି ଭେଟିବା ସହ ତାଙ୍କ ପରିବାର ସହ ଆଲୋଚନା କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲାବେଳେ କୋରାପୁଟ ପୁଲିସ ଏକାଧିକ ଟିମ୍‌ ଗଠନ କରି ଘଟଣାର ତଦନ୍ତ କରୁଛି। କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ କୋରାପୁଟରେ ପହଞ୍ଚି ତଦନ୍ତରେ ସହାୟତା କରୁଛନ୍ତି। ପୁଲିସ ଓ କ୍ରାଇମବ୍ରାଂଚ ଆଜି ଦ୍ୱିତୀୟ ଥର ପାଇଁ ମେଂଜିଗୁଡା ନିକଟସ୍ଥ ଜଙ୍ଗଲକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେମାନେ ସେଠାରୁ କିଛି ନମୂନା ସଂଗ୍ରହ କରିବା ପରେ ପୀଡ଼ିତାଙ୍କ ଗାଁକୁ ଯାଇ ପଚରାଉଚୁରା କରିଛନ୍ତି। ଏହା ସହ ସୋରିଷପଦର ବିଦ୍ୟାଳୟ ଏବଂ କୁନ୍ଦୁଲି ହାଟପଦାରେ ଥିବା ଫଟୋ ଷ୍ଟୁଡିଓକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ କୌଣସି ଖିଅ ପୁଲିସକୁ ମିଳି ନ ଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ୪ ଦିନ ପରେ ମଧ୍ୟ ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ସଫଳ ହୋଇ ପାରିନି। ଏପଟେ ସମୟ ଯେତିକି ଗଡ଼ୁଛି, ଘଟଣା ସେତିକି ରହସ୍ୟମୟ ହେବାରେ ଲାଗିଛି।

ନାବାଳିକାଙ୍କ ଚିକିତ୍ସା କୋରାପୁଟ ମେଡିକାଲ କଲେଜରେ ଚାଲିଥିବା ବେଳେ ତାଙ୍କ ଅବସ୍ଥା ସୁଧୁରୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ନାବାଳିକାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ସୀତାରାମ ମହାପାତ୍ର ଦେଇଥିବା ସୂଚନା ଅନୁସାରେ, ଏଡିଏମ୍‌ଓଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍‌ ନାବାଳିକାଙ୍କ ସ୍ୱାସ୍ଥ୍ୟ ଉପରେ ୨୪ଘଣ୍ଟିଆ ନଜର ରଖିଛନ୍ତି। ଏଥିରେ ମେଡିକାଲ କଲେଜର ବିଭିନ୍ନ ବିଭାଗର ପ୍ରଫେସରମାନେ ଅଛନ୍ତି। ପୀଡିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ଖାଦ୍ୟପେୟ ବ୍ୟବସ୍ଥା ମାଗଣାରେ କରାଯାଉଛି। ଛାତ୍ରୀ ଜଣଙ୍କ ଧୀରେ ଧୀରେ ସୁସ୍ଥ ହେଉଥିବା ସେ କହିଛନ୍ତି। ଅପରପକ୍ଷରେ ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇ ସମସ୍ତ ରିପୋର୍ଟ ପୁଲିସକୁ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ପୁଲିସର ତଦନ୍ତ କେତେ ବାଟ ଆଗେଇଛି, ଦୋଷୀଙ୍କ ସଂପର୍କରେ କିଛି ସୁରାକ ମିଳିଛି କି ନାହିଁ ସେ ସଂପର୍କରେ କିଛି ସୂଚନା ଦେଇନି ପୁଲିସ। ପୀଡିତାଙ୍କ ପରିବାରକୁ ବିଭିନ୍ନ ପର୍ଯ୍ୟାୟରେ ପଚରାଉଚୁରା କରାଯାଉଛି। କିନ୍ତୁ ବିଶେଷ ତଥ୍ୟ ପାଇ ପାରି ନାହିଁ। ଡାକ୍ତରୀ ମାଇନା ରିପୋର୍ଟ ପୁଲିସକୁ ମିଳିଥିଲେ ମଧ୍ୟ ଏ ସଂପର୍କରେ ପୁଲିସ କିଛି ଖୁଲାସା କରୁନି। ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତଦନ୍ତରେ ବାଧା ପହଞ୍ଚିବା ଆଶଙ୍କାରେ ପୁଲିସ ଏହାକୁ ଗୁପ୍ତ ରଖିଥିବା କହୁଛି। ତଦନ୍ତ ଠିକଣା ଢଙ୍ଗରେ ଚାଲିଛି ଏବଂ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ବୋଲି ପୁଲିସ କହୁଛି। ତେବେ ଦିନ ଗଡ଼ି ଚାଲିଥିବାରୁ ପୁଲିସର ତଦନ୍ତ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏଥିନେଇ ସାଧାରଣରେ ନାନା ଚର୍ଚ୍ଚା ଚାଲିଛି।

ପୀଡିତାଙ୍କ ଅବସ୍ଥା ବୁଝିବା ପାଇଁ ଆଜି ମଧ୍ୟ ବିଭିନ୍ନ ସଂଗଠନର ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିଥିଲେ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ ଆଜି ସକାଳେ ଡାକ୍ତରଖାନାରେ ପହଞ୍ଚି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହା ସହ ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହି ଘଟଣାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଓ ନବରଙ୍ଗପୁର ମା’ଘରର ସଭାନେତ୍ରୀ କାଦମ୍ବିନୀ ତ୍ରିପାଠୀ ଆଜି ମେଡିକାଲକୁ ଯାଇ ପୀଡିତା ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ପୀଡ଼ିତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ବି ଭଲ ନ ଥିବା କାଦମ୍ବିନୀ ତ୍ରିପାଠୀ କହିଛନ୍ତି। ଦୋଷୀଙ୍କୁ ତୁରନ୍ତ ନ ଧରିଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର