କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା : ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

କୋରାପୁଟ/ପଟାଙ୍ଗୀ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଖୋଳତାଡ଼ ଆରମ୍ଭ କରିଛନ୍ତି ବିଚାରବିଭାଗୀୟ ତଦନ୍ତ କମିସନ। ଆଜି କମିସନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ଦୁଷ୍କର୍ମ ହୋଇଥିବା ସ୍ଥଳୀ ଓ ଆତ୍ମହତ୍ୟା କରିଥିବା ସ୍ଥାନକୁ ଦେଖିବା ସହ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଏହି ମାମଲାରେ ସାକ୍ଷୀମାନଙ୍କୁ ନୋଟିସ୍‌ କରାଯିବାର ସମ୍ଭାବନା ରହିଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଦୁର୍ବୃତ୍ତ ଏହି ଦୁଷ୍କର୍ମ କରିଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲ୍ଲା ଦୌରାଜଜଙ୍କୁ ଏହି ମାମଲାର ତଦନ୍ତ କମିସନ ଭାବେ ଦାୟିତ୍ୱ ଦିଆଯାଇଥିଲା। କମିସନ ପୂର୍ବରୁ ସତ୍ୟପାଠ ଲୋଡ଼ିଥିଲା ବେଳେ ଆଜି ଘଟଣାସ୍ଥଳକୁ ଯାଇଥିଲେ। କମିସନ ବି.କେ. ମିଶ୍ରଙ୍କ ସମେତ କମିସନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ଅନ୍ୟ ଅଧିକାରୀ କୁନ୍ଦୁଲି ନିକଟସ୍ଥ ମୂଷାଗୁଡ଼ା ଗାଁକୁ ଯାଇଥିଲେ। ସେଠାରେ ପୀଡ଼ିତାଙ୍କ ଘରକୁ ଯାଇ ଆତ୍ମହତ୍ୟା କରିଥିବା ସ୍ଥାନ ଦେଖିଥିଲେ। ପୀଡ଼ିତାଙ୍କ ମା’ଙ୍କ ସହ ମଧ୍ୟ କଥା ହୋଇଥିଲେ। ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ପରେ ଲେଂଜିଗୁଡ଼ା ପାହାଡ଼ ପାଖକୁ ଯାଇଥିଲେ। ଏହି ପାହାଡ଼ ନିକଟରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଘଟଣା ସମୟରେ ଅଭିଯୋଗ ହୋଇଥିଲା। ତେଣୁ କମିସନ ଏହାର ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ।

ସେହିଭଳି, ପୀଡ଼ିତା ଆତ୍ମହତ୍ୟା କରିଥିବା ସ୍ଥାନ ଏବଂ ସେ ଯେଉଁଠି ଅଟୋରୁ ଓହ୍ଲାଇଥିଲେ ସେସବୁ ସ୍ଥାନ ମଧ୍ୟ କମିସନ ବୁଲି ଦେଖିଥିଲେ। କମିସନଙ୍କ ଏହି ଗସ୍ତ କାଳରେ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ, କୋରାପୁଟ ଅତିରିକ୍ତ ଏସପି ଭି.ଆର. ରାଓଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସରକାରୀ ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି କମିସନଙ୍କ ପକ୍ଷରୁ ଘଟଣାସ୍ଥଳ ଅନୁଧ୍ୟାନ କରାଯାଇଛି। ଏହି ମାମଲାରେ କମିସନ ମୁଖ୍ୟତଃ ୪ଟି ଦିଗ ଉପରେ ତଦନ୍ତ କରୁଛନ୍ତି। କେଉଁ ପରିସ୍ଥିତିରେ ଅପରାଧ ଘଟିଲା ତାହାର ଘଟଣାକ୍ରମ, ଏହି ଅପରାଧ ପାଇଁ କିଏ କିଏ ଦାୟୀ, କେଉଁ ପରିସ୍ଥିତିରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ମାମଲା ସହ ଜଡ଼ିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଅନୁଧ୍ୟାନ କରୁଥିବର ଜଣାପଡ଼ିଛି। ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା କମିସନ ତଦନ୍ତ ସାପେକ୍ଷ ବୋଲି ମନେ କରିବେ ତାହା ତଦନ୍ତ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର