କୁନ୍ଦୁଲି ମାମଲା ସୁପ୍ରିମକୋର୍ଟରେ: ତଦନ୍ତରେ ଛନ୍ଦି ହୋଇଗଲାଣି ଘଟଣା

ଜାତୀୟ ଏସ୍‌ସି କମିସନ ସଦସ୍ୟଙ୍କ ତଦନ୍ତ ଆରମ୍ଭ

ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲେ ଗମାଙ୍ଗ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାର କୋର୍ଟ ତଦାରଖରେ ଏସ୍‌ଆଇଟି ତଦନ୍ତ କରାଯିବ ବୋଲି ଘୋଷଣା କରିଛନ୍ତି। ଏ ନେଇ ପ୍ରକ୍ରିୟା ଜାରି ରହିଛି। ତଥାପି ଏହି ମାମଲାକୁ ନେଇ ଅଡୁଆ ତୁଟିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଜଟିଳ ରୂପ ଧାରଣ କଲାଣି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଘଟଣାର ସିିବିଆଇ ତଦନ୍ତ ଦାବି କରି ପୀଡିତାଙ୍କ ସଂପର୍କୀୟ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ତଦନ୍ତକାରୀ ସଂସ୍ଥା ଉପରୁ ଆସ୍ଥା ହଟାଇ ଘଟଣାର ସିବିଆଇ ତଦନ୍ତ କରିବା ଲାଗି ଆବେଦନକାରୀ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପଟେ ଘଟଣାର ତଦନ୍ତ ଲାଗି ଜାତୀୟ ଏସ୍‌ସି କମିସନ ସଦସ୍ୟ ଆଜି ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଏସ୍‌ସି କମିସନ ସଦସ୍ୟ ଯୋଗେନ୍ଦ୍ର ପାଶଓ୍ଵାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କୋରାପୁଟ ଗସ୍ତ କରିଛନ୍ତି। ସେଠାରେ ସେ ପୀଡ଼ିତାଙ୍କ ପରିବାର ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିବେ। ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟିବେ। ପରେ ଆସନ୍ତା ୧୩ ତାରିଖ ଦିନ ସେ ଭୁବନେଶ୍ୱର ଫେରି ମୁଖ୍ୟଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏହି ଘଟଣାରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି, ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରସଙ୍ଗରେ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବା ଉଚିତ୍‌। ଭାରତୀୟ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁସାରେ ଅନୁସୁଚିତ ଜାତି, ଜନଜାତି ଅଂଚଳରେ ରାଜ୍ୟପାଳ ସିଧାସଳଖ ହସ୍ତକ୍ଷେପ କରିବାର ଅଧିକାର ରହିଛି ।

ଏଠାରେ ଉଲ୍ଲେଖଥାଉକି, ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲିର ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଓ ଓଡ଼ିଶା ମାନବିକ ଅଧିକାର ସୁରକ୍ଷା ସେଲ୍‌ ପୂର୍ବରୁ ତଦନ୍ତ କରିଥିଲେ। ପରେ ସରକାର ଘଟଣାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ ହେଁ, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ହୋଇଛି। କେବଳ ସେତିକି ନୁହେଁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ ପ୍ରତିନିଧିଙ୍କୁ ପଠାଇ ଘଟଣାର ତଦନ୍ତ କରାଇଛନ୍ତି। ଏହାବ୍ୟତୀତ ଜାତୀୟ ମାନବିକ ଅଧିକାର କମିସନଙ୍କ ସ୍ୱତନ୍ତ୍ର ପ୍ରତିନିଧି ଦଳ ମଧ୍ୟ ଘଟଣାର ତଦନ୍ତ କରି ଫେରିଛନ୍ତି। ଏବେ ନିକଟରେ କୋର୍ଟଙ୍କ ତଦାରଖରେ ଏସ୍‌ଆଇଟି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାତୀୟ ଏସ୍‌ସି କମିସନଙ୍କ ଦ୍ୱାରା ଘଟଣାର ତଦନ୍ତ ହେବା ମାମଲାର ଗମ୍ଭୀରତାକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର