ପୁଣି ଅସୁସ୍ଥ କୁନ୍ଦୁଲି ପୀଡିତା

ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଯିବ

କୋରାପୁଟ :କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ପୀଡିିତା ପୁଣି ଅସୁସ୍ଥ ହୋଇ ପଡିଛନ୍ତି। ଆଜି ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା କରାଯିବା ପରେ ମଧ୍ୟ ପୀଡିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବାରୁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ପଠାଯାଇଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃତ୍ତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗତ ୧୦ତାରିଖ ପୂର୍ବାହ୍ନରେ ଏହି ଅଘଟଣ ପରେ ପୀଡିତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ୨୭ତାରିଖରେ ଡାକ୍ତରଖାନାରୁ ବାହାରିଥିଲେ। ଶିଶୁ ମଙ୍ଗଳ କମିଟିର ସୁପାରିଶ ଅନୁସାରେ ଜୟପୁରର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଥିଲାବେଳେ ସେ ଅସୁସ୍ଥ ହୋଇ ପଡିବାରୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୩୦ତାରିଖରେ ତାଙ୍କୁ ଡାକ୍ତରଖାନାରୁ ଛାଡ ମିଳିବା ପରେ କୋରାପୁଟ ଉପକଣ୍ଠ ଡୁମୁରୀପୁଟର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ତାଙ୍କୁ ରଖାଯାଇଥିଲା।

ତେବେ ଆଜି ସନ୍ଧ୍ୟାରେ ପୀଡିତା ଜଣଙ୍କ ପୁଣି ଅସୁସ୍ଥ ହୋଇ ପଡିଥିଲେ। ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବା ସେ କହିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ଏକ୍ସରେ କରାଯିବା ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ହୋଇଥିଲା। ଏକ ମେଡିକାଲ ଟିମ୍‌ ପୀଡିତାଙ୍କର ଚିକିତ୍ସା କରିଥିଲେ। ତେବେ ତାଙ୍କ ପେଟ ଯନ୍ତ୍ରଣା କମି ନ ଥିବା ସେ କହିଥିଲେ। ତେଣୁ ତେଣୁ ତାଙ୍କର ଅଧିକ ପରୀକ୍ଷା ନିରୀକ୍ଷା କରିବା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର