କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ସାକ୍ଷ୍ୟ ଦେଲେ ପୀଡ଼ିତାଙ୍କ ପରିବାର

କୋରାପୁଟ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜି ପୀଡ଼ିତାଙ୍କ ପରିବାର ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେମିଳିଗୁଡା ବ୍ଲକ୍‌ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାମ୍ପରେ ବିଚାର ବିଭାଗୀୟ ତଦନ୍ତ କମିସନ ଆଗରେ ପରିବାର ଲୋକେ ସେମାନଙ୍କ ମତ ରଖିଥିଲେ। ପୀଡ଼ିତାଙ୍କ ମା’ ଓ ଭାଇଙ୍କ ସମେତ ୪ଜଣ ସଂପର୍କୀୟ ସାକ୍ଷ୍ୟ ଦେଇଥିବା ଜଣାପଡିଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ମେ’ ୧୩ ତାରିଖରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ପୁଲିସ ଅଧିକାରୀ ଓ ସରକାରୀ ଅଧିକାରୀ ସାକ୍ଷ୍ୟ ପ୍ରଦାନ କରିବା ପରେ ଆଜି ପରିବାର ଲୋକଙ୍କୁ ନୋଟିସ ଜାରି କରାଯାଇଥିଲା। ସାକ୍ଷ୍ୟ ଗ୍ରହଣ ପାଇଁ ସେମିଳିଗୁଡା ବ୍ଲକ ପରିସରରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଥିଲା। କମିସନ ତଥା ଜିଲ୍ଲା ଦୌରାଜଜ୍‌ ବି.କେ. ମିଶ୍ର ଏହି ସାକ୍ଷ୍ୟ ଗ୍ରହଣ କରିଥିଲେ। ଆଜି ପୀଡିତାଙ୍କ ମା’, ଭାଇ, ଖୁଡି ଓ ମାମୁ ସାକ୍ଷ୍ୟ ଦେଇଥିଲେ। ଘଟଣା ସଂପର୍କରେ ସେମାନେ ଯାହା ଜାଣିଛନ୍ତି ସେ ସଂପର୍କିତ ବିଭିନ୍ନ ତଥ୍ୟ କମିସନଙ୍କ ଆଗରେ ରଖିଥିଲେ। ସେମାନେ ପୀଡିତାଙ୍କୁ କେଉଁ ଅବସ୍ଥାରେ ଦେଖିଥିଲେ, ପୀଡିତା ଘଟଣା ସଂପର୍କରେ ସେମାନଙ୍କୁ କ’ଣ କହିଥିଲେ ତାହା ଜଣାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର