କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତାଙ୍କ ଖୁଡ଼ି ଓ ଦାଦା ପୁଅ ଭାଇଙ୍କର କରାଗଲା କାଉନସେଲିଂ

 

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ଦିନକୁ ଦିନ ଲୋକ ଅସନ୍ତୋଷ ବୃଦ୍ଧି ପାଉଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସଂପର୍କୀୟ ଓ ସମର୍ଥକମାନଙ୍କ ବିକ୍ଷୋଭ ଦେଖି ତଦନ୍ତ ସକ୍ରିୟ ହୋଇଛି। ଏହି ଘଟଣା ପରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ଗଭୀର ମାନସିକ ଦୁସ୍ଥିତିରେ ଗତି କରୁଛନ୍ତି। ସୋମବାର ପୀଡ଼ିତାଙ୍କ ଖୁଡ଼ି ଏବଂ ତାଙ୍କ ଦାଦା ପୁଅ ଭାଇଙ୍କର କାଉନ୍‌ସେଲିଂ କରାଯାଇଛି। ସଦର ଥାନା ବାରିଣିପୁଟ ଆଉଟ୍‌ ପୋଷ୍ଟ ଅଧିନରେ ଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ଦୀର୍ଘ ୩ ଘଣ୍ଟା ଧରି ଏହି କାଉନ୍‌ସେଲିଂ ଚାଲିଥିଲା। ଆଜି ସକାଳ ୧୦ଟା ସମୟରେ ଉପର କୋଲାବରେ ରହୁଥିବା ପୀଡ଼ିତାଙ୍କ ଖୁଡ଼ି ଓ ଦାଦା ପୁଅ ଭାଇଙ୍କୁ କାଉନସିଲଂ ପାଇଁ ଅଣା ଯାଇଥିଲା। ତେବେ, ପୀଡ଼ିତାଙ୍କ ମାଆ ଏବଂ ତାଙ୍କ ନିଜ ଭାଇଙ୍କର ମଧ୍ୟ କାଉନସେଲିଂ କରାଯିବାର ଥିବା ବେଳେ ସେମାନେ ପୀଡ଼ିତାଙ୍କୁ ଭେଟିବାକୁ କୋରାପୁଟ ଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖ ପୂର୍ବାହ୍ନରେ କୋରାପୁଟ ଜିଲ୍ଲାର କୁନ୍ଦୁଲିଠାରେ ସାମରିକ ପୋଷାକ ପିନ୍ଧିଥିବା ୪ ଜଣ ଦୁର୍ବୃତ୍ତ ନବମ ଶ୍ରେଣୀରେ ପଢୁଥିବା ନାବାଳିକା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ କେରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଧୀରେ ଧୀରେ ସୁସ୍ଥ ହେବାରୁ ୨୭ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ମାତ୍ର ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କୁ କୋରାପୁଟର ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର